ଜୟପୁର: ଗତ ୨୯ ଓ ୩୦ଦୁଇ ଦିନ ବୈଷୟିକ କାରଣକୁ ନେଇ ଜୟପୁର –ଭୁବନେଶ୍ବର ବିମାନଚଳାଚଳ ବନ୍ଦ ରହିଥିଲା। ଦୁଇ ଦିନ ଚାଳିବା ପରେ ପୁଣି ଆଜି ଓଆସନ୍ତାକାଲି ଦୁଇ ଦିନ ବିମାନ ଚଳାଚଳ ବନ୍ଦ ରହିବ। ୪ତାରିଖ ଠାରୁ ପୁଣି ନିର୍ଦ୍ଧାରିତ ସମୟରେ ଏହା ଚଳାଚଳ କରିବ ବୋଲି ଇଣ୍ଡିଆ ୱାନ ଏୟାର ପକ୍ଷରୁ ସୂଚନା ମିଳିଛି। ଗତ ମେ ମାସରେ ଗତ ୧୧, ୨୯ ଓ ୩୦ ତାରିଖ ତିନି ଦିନ ପାଇଁ ବନ୍ଦ ରହିଥିଲା। ଏଭଳି ଅଚାନକ ବୈଷୟିକ କାରଣକୁ ନେଇ ବିମାନ ଚଳାଚଳ ବନ୍ଦ ରହିବ ବୋଲି ‌ମେସେଜ ଦେବା ସହ ଟିକେଟ ଟଙ୍କା ଆକାଉଣ୍ଟକୁ ଫେରାଇଥିବା କହିଛନ୍ତି ଯାତ୍ରୀ ଜଗଦୀଶ ବର୍ମା। ସେ ଆସନ୍ତାକାଲି ଜୟପୁରରୁ ଯାତ୍ରା କରିବା ପାଇଁ ଟିକେଟ୍ କରିଥିଲେ। ଏଭଳି  ବିମାନ ଚଳାଚଳ କରିବ ନାହିଁ ବୋଲି ସୂଚନା ଦେଇ ଫୋନ କରି କହିବା କେତେ ଦୁର ଯୁକ୍ତିଯୁକ୍ତ। କାହିଁକି ବିମାନ ଚଳାଚଳ ପାଇଁ ବିଡ୍ ନେଇଥିବା ଇଣ୍ଡିଆ ୱାନ ଏୟାର ଦ୍ବିତୀୟ ବିମାନ ଚଳାଚଳ କରୁ ନାହିଁ ବୋଲି ଶ୍ରୀ ବର୍ମା ପ୍ରଶ୍ନ କରିଛନ୍ତି। ଯଦି କେହି ଜରୁରୀ ରୋଗୀ କିମ୍ବା କୌଣସି ନିଯୁକ୍ତି ସାକ୍ଷାତକାର କିମ୍ବା ଜରୁରୀ କାମରେ ଯିବା ପାଇଁ ଟିକେଟ୍ କରିଥିଲେ ଏଭଳି କରିବା ଠିକ୍ ନୁହେଁ ବୋଲି ଶ୍ରୀ ବର୍ମା କହିଛନ୍ତି। ୭୬ବର୍ଷ ତଳର ସ୍ବପ୍ନ ପୁରଣ ହୋଇ ପାରିଲା ବୋଲି ‌ଯେଉଁ ଆଶା ରହିଥିଲା ତାହା ଏବେ ବି ସଫଳ ହୋଇ ପାରିନି ବୋଲି ଶ୍ରୀ ବର୍ମା ଓ ଯାତ୍ରୀ ସଂଜୟ ଅଧିକାରୀ କହିଛନ୍ତି।

Advertisment

ଗତ ୨୦୨୨ ମସିହା ଅକ୍ଟୋବର ୩୧ତାରିଖ ଦିନ ଭୁବନେଶ୍ବରରୁ ଜୟପୁରକୁ ୯ସିଟ୍ ବିଶିଷ୍ଟ ବିମାନ ଇଣ୍ଡିଆ ୱାନ ଏୟାର ଚଳାଚଳ କରିଥିଲା। ସପ୍ତାହକ ପରେ ଜୟପୁରରୁ ବିଶାଖାପାଟଣା ଚାଳିଥିଲା। ଗୋଟିଏ ବିମାନ ଭୁବନେଶ୍ବରରୁ ଜୟପୁର ଆସି ପୁଣି ଜୟପୁରରୁ ବିଶାଖାପାଟଣା ଯାଇ ସେଠାରୁ ପୁଣି ଜୟପୁର ଆସି ଜୟପୁରରୁ ଭୁବନେଶ୍ବରକୁ ଚଳାଚଳ କରୁଛି। ଏହି ବିମାନ ସେବା ଆରମ୍ଭ ପର ଠାରୁ ଗତ ଜାନୁଆରୀ ମାସରେ ଥରେ , ମେ ୧୧, ମେ ୨୯ ଓ ୩୦ରେ ଏହି ସେବା ବନ୍ଦ ହୋଇଥିଲା।  ଏହି  ବିମାନ ସେବା ଆରମ୍ଭ ପର ଠାରୁ ସବୁ ଦିନ ଭୁବନେଶ୍ବରରୁ ଜୟପୁର ୮ଟି ସିଟ୍ ବୁକିଂ ରହୁଥିବା ବେଳେ କାଁଭାଁ ବିଶାଖାପାଟଣା ଟ୍ରିଫ୍ ରେ ଯାଉଥିବା ସେବାରେ ସିଟ୍ ଖାଲି ରହୁଛି। ଆରମ୍ଭ ପରେ ପ୍ରାୟ ମାସକ ସପ୍ତାହକରେ ୬ଦିନ ଚାଳୁଥିବା ବେଳେ ପରବର୍ତ୍ତୀ ସମୟରେ ୭ଦିନ ଚାଳୁଛି। ଇଣ୍ଡିଆ ୱାନ ଏୟାର ଏହାରି ମଧ୍ୟରେ ଆଉ ୨ଟି ବିମାନ କିଣି ସାରିଥିବାରୁ ଦ୍ବିତୀୟ ବିମାନ ‌କାହିଁକି ଚଳାଉ ନାହିଁ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି।