ଲୋକାର୍ପଣ ଅପେକ୍ଷାରେ ରାଜ୍ୟର ତୃତୀୟ ରାଜସ୍ବ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ

ଜୟପୁର:   ନିର୍ମାଣ କାମ ୩ମାସ ହେବ ସରି ଲୋକାର୍ପଣ ଅପେକ୍ଷାରେ ରହିଛି ରାଜ୍ୟର ତୃତୀୟ ଆରଆଇଟିଆଇ(ରାଜସ୍ବ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ)। ମକାପୁଟ ଫୁଲବାଢ଼ ସ୍ବାମୀନାଥନ ଗବେଷଣା କେନ୍ଦ୍ର ପାର୍ଶ୍ବରେ ୨କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଏହାର ନିର୍ମାଣ କାମ କରାଯାଇଥିଲା। ରାଜ୍ୟର କୋଣ ଅନୁକୋଣରୁ ଚୟନ ହୋଇଥିବା ୧୦୦ଜଣ ଆରଆଇ(ରାଜସ୍ବ ନିରୀକ୍ଷକ)ମାନେ ଏଠାରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ତାଲିମ ନେବେ।

ଗତ ଡିସେମ୍ବର ମାସର ଶେଷାର୍ଦ୍ଧରେ ଏହାର  ନିର୍ମାଣ କାମ ସଂପୁର୍ଣ୍ଣ ହେବା ସହ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗକୁ ଏଥି ମଧ୍ୟରେ ହସ୍ତାନ୍ତର ବି ସରିଛି ବୋଲି କହିଛନ୍ତି ପୂର୍ତ୍ତବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ.ଭାସ୍କର ଚନ୍ଦ୍ର ସାମନ୍ତରାୟ। ଦୁଇ ଏକ ପରିମିତ ଜମିରେ ୨ମହଲା ବିଶିଷ୍ଟ ଏହା ରହିଛି। ୬ହଜାର ବର୍ଗଫୁଟ ଅଂଚଳରେ ଏହି କୋଠା ନିର୍ମାଣ ହୋଇଛି। ଏଥିରେ ୨ଟି ଟ୍ରେନିଂ ହଲ୍ , ୨ଟି କନଫେରନ୍ସ ହଲ, କଂପୁଟର ରୁମ, ଷ୍ଟାଫ ଫ୍ୟାସଲିଟି ସେଣ୍ଟର ଓ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ। ସେଭଳି ଏହାରି ପରିସରରେ ହିଁ ୬୦ଜଣ ପୁରୁଷ ଓ ୪୦ଜଣ ମହିଳା ଆରଆଇ ରହିବା ପାଇଁ ହଷ୍ଟେଲ ନିର୍ମାଣ କରାଯିବାର ଯୋଜନା ରହିଛି।

ପ୍ରଶାସନିକ ଅନୁମୋଦନ ପରେ ଏହାର କାମ ଆରମ୍ଭ ହେବ। ସରକାରୀ ଜମିରେ ଏଭଳି ତାଲିମ କେନ୍ଦ୍ର ନିର୍ମାଣ ହେବା ରାଜ୍ୟରେ ପ୍ରଥମ। ପୂର୍ବରୁ ରାଜ୍ୟର ଅନ୍ୟ ଦୁଇଟି ସହରରେ ଏଭଳି ତାଲିମ ପ୍ରତିଷ୍ଠାନ ରହିଛି। ଏହି ଦୁଇଟି ଯାକ ଭଡ଼ା ଘରେ ଚାଳିଛି। ନିଯୁକ୍ତି ପାଉଥିବା ଆରଆଇ, ଏଆରଆଇ ମାନେ ଏହି ଦୁଇ ଅନୁଷ୍ଠାନକୁ ଯାଇ ସେଠାରେ ଥିବା ପୁରୁଣା କୋଠାରେ ତାଲିମ ନେଉଥିଲେ। ୨୦୧୮ମସିହାରେ ସରକାର ଏଠାରେ ନୂଆ ତାଲିମ ପ୍ରତିଷ୍ଠାନ କରିବାକୁ ନିଷ୍ପତି ନେଇଥିଲେ। ଏଥି ପାଇଁ ୨କୋଟି ୨୭ଲକ୍ଷ ୭୭ହଜାର ୧୧ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ଠିକା ସଂସ୍ଥା ଏହି କାମକୁ ୨କୋଟି ୯ଲକ୍ଷ ୬୬ହଜାର ୨୩୮ଟଙ୍କାରେ କରିବା ଲାଗି ଚୁକ୍ତି କରିଥିଲା।  ରାଜ୍ୟ ରାଜସ୍ବ ବିଭାଗକୁ ଏହାକୁ ହସ୍ତାନ୍ତର କରାଯିବା ସହ ଲୋକାର୍ପଣ ଅପେକ୍ଷାରେ ଏହା ରହିଛି। ଏଠାରେ ତାଲିମ ନେବା ପାଇଁ ୧୦୦ଜଣ ଆରଆଇ, ଅଧ୍ୟକ୍ଷ, ଶିକ୍ଷକ ଆଦିର ନିଯୁକ୍ତି ବି ବାକି ରହିଛି। ଏହି ଶିକ୍ଷାବର୍ଷରେ ଏହାର ଆରମ୍ଭ ହେବ ନା ନାହିଁ ତାହା ସମୟ ହିଁ କହିବ।

ସମ୍ବନ୍ଧିତ ଖବର