ଡିଜିଟାଲ‌ ଯୁଗରେ ଯାଜପୁର ଜିଲ୍ଲା ପୋର୍ଟାଲ ଅଚଳ

କାମ କରୁନି ଏନଆଇସି, ଲୋକଙ୍କ ପାଇଁ ତ୍ରୁଟିପୂର୍ଣ୍ଣ ତଥ୍ୟ

ଯାଜପୁର(ଅନିଲ କୁମାର ପଣ୍ଡା): ଏବେ କାଗଜ ପତ୍ର ଛାଡି ଡିଜିଟାଲରେ ଚାଲିଲାଣି ସରକାରୀ କାର୍ଯ୍ୟ। ତେବେ ଯାଜପୁର ଜିଲ୍ଲାର ଡିଜିଟାଲ ବିଭାଗ ଲୋକଙ୍କ ସଠିକ ସୂଚନା ଦେବା‌ରେ ଫେଲ ମାରିଛି। ୩୦ଟି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପୋର୍ଟାଲ କାର୍ଯ୍ୟ କରୁଥିବା ବେଳେ ଯାଜପୁର ଜିଲ୍ଲା ପୋର୍ଟାଲ ଅଚଳ ହୋଇ ପଡିଛି, ଯାହାକୁ ନେଇ ସାଧାରଣ‌ରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁସାରେ ଯାଜପୁର ଜିଲ୍ଲାର ସବିଶେଷ ତଥ୍ୟ ଓ ବିବରଣୀ ପାଇଁ ପ୍ରଶାସନ ପକ୍ଷରୁ ଯାଜପୁର ଡଟ୍ ଏନଆଇସି ଡଟ୍ ଇନ କାର୍ଯ୍ୟ କରୁଛି। ଏଥିରେ ଜଣେ ଅଧିକାରୀ ରହିଥିବା ବେଳେ ୨ ଜଣ ଆଉଟ ସୋର୍ସିଂ କର୍ମଚାରୀ କାର୍ଯ୍ୟ କରୁଛନ୍ତି। କିନ୍ତୁ ଅନ୍ୟ ଜିଲ୍ଲା ତୁଳନାରେ ଯାଜପୁର ଜିଲ୍ଲା ପୋଟାଲ ସୂଚନା ଓ ତଥ୍ୟ ଦେବାରେ ବହୁ ପଛରେ ରହିଛି। ଉପରୁ ଉପରୁ ସଠିକ ତଥ୍ୟ ରହିଥିବା ବେଳେ ପୋଟାଲ ଭିତରେ ଏବେ ବି ରଂଜନ କୁମାର ଦାସ ଜିଲ୍ଲାପାଳ ରହିଥିବା ବେଳେ ଦେଢ଼ ବର୍ଷ ତଳେ କାର୍ଯ୍ୟ କରୁଥିବା ବ୍ରଜ ଗୋପାଳ ଆଚାର୍ଯ୍ୟ ଏବେ ବି ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଉଲ୍ଲେଖ ରହିଛି। ଯାହାକି ଡିଜିଟାଲ ଯୁଗରେ ଏପରି ତ୍ରୁଟିକୁ ସାଧାରଣରେ ଅନେକ ସମାଲୋଚନା କରାଯାଉଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନଆଇସି ବିଭାଗ ରହିଥିବା ବେଳେ କାର୍ଯ୍ୟ କରୁଥିବା ଅଧିକାରୀ କେନ୍ଦ୍ର ସରକାରଙ୍କ ଅଧିନରେ ରହିଥିବା ଯୋଗୁ ଉଚ୍ଚା ଦରମା ମଧ୍ୟ ପାଉଛନ୍ତି। ତଥାପି କାର୍ଯ୍ୟରେ ଅବହେଳା କରି ଏପରି ତ୍ରୁଟିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

ଜିଲ୍ଲାର ପୋର୍ଟାଲରେ ଜିଲ୍ଲାର ସବିଶେଷ ତଥ୍ୟ ରହିବା ସ୍ଥଳେ କେବଳ କଦବା କ୍ବଚିତ ସୂଚନାକୁ ଛାଡି ଦେଲେ କିଛି ବି ଅପଲୋଡ ହେଉନାହିଁ। ବର୍ତମାନ କରୋନା ମହାମାରୀ ସମୟରେ ଅନ୍ୟ ଜିଲ୍ଲାର ପୋର୍ଟାଲଗୁଡିକରେ ଜିଲ୍ଲାର କରୋନା ତଥ୍ୟ, ସହାୟତା ନମ୍ବର ଏବଂ ଅନ୍ୟାନ୍ୟ ସୂଚନା ପ୍ରଦାନ କରିଥିବା ‌ବେଳେ ଯାଜପୁର ଜିଲ୍ଳାରେ ଏପରି କୌଣସି ସୂଚନା ପୋଟାଲରେ ଦିଆଯାଇନାହିଁ। ନୂତନ ଜିଲ୍ଲାପାଳ କାର୍ଯ୍ୟରେ ଯୋଗ ଦେବା ପରେ ପ୍ରଥମ କରି କରେନା ମୁକାବିଲା କରିବା ପାଇଁ ଫିଭର କ୍ଲିନିକ ଖୋଲିଥିବା ବେଳେ ତାହା କେଉଁ କେଉଁ ସ୍ଥାନରେ ଖୋଲା ଯାଇଛି ସେ ନେଇ ବି ସୂଚନା ପୋର୍ଟାଲରେ ସ୍ଥାନିତ କରାଯାଇନାହିଁ। ବର୍ତମାନ ଲୋକେ ସୂଚନା ପାଇଁ ଡିଜିଟାଲର ସହାୟତା ଲୋଡୁଥିବା ବେଳେ ଯାଜପୁର ଜିଲ୍ଲା ପୋର୍ଟାଲର ଏପରି ବିକଳାଙ୍ଗ ଚିତ୍ରକୁ ପରିବର୍ତନ କରି ନିୟମିତ ବ୍ୟବଧାନରେ ନୂଆ ସୂଚନା ଓ ତଥ୍ୟ ଯୋଡିବାକୁ ଦାବି ହେଉଛି। ତେବେ ଏ ନେଇ ରାଷ୍ଟ୍ରୀୟ ସୂଚନା କେନ୍ଦ୍ର ଅଧିକାରୀ ସୁଧାଂଶୁ ଶତପଥୀଙ୍କୁ ମତାମତ ମିଳିପାରିନାହିଁ।

ସମ୍ବନ୍ଧିତ ଖବର