ଦୁଇ ଥାନା ମଧ୍ୟରେ ସୀମା ବିବାଦ, ଗଛ ଉପରେ ଯୁବତୀ

କାଳିଆପାଣି,: ଯାଜପୁର-କେନ୍ଦୁଝର ଜିଲ୍ଲା ସୀମାନ୍ତ ବ୍ରାହ୍ମଣୀପାଳ ନିକଟସ୍ଥ ଜନିନ୍ଦାପାଳ ବଜାରସ୍ଥିତ ଏକ ଗଛ ଉପରେ ଚଢ଼ି ଜଣେ ଅପରିଚିତା ଯୁବତୀ ମାସାଧିକ କାଳ ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି। ଏହି ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସୀମାନ୍ତ ଇଲାକାରେ ଥିବା ଉଭୟ ଦୈତାରି ଓ ଟମକା ଥାନା ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଦୈତାରି ଥାନା ଅଧିକାରୀ ସସ୍ମିତା ଖିଲାର ଉକ୍ତ ସ୍ଥାନରେ ପହଞ୍ଚି ସରଜମିନ୍‌ ତଦନ୍ତ କରିବା ପରେ ଏହା ତାଙ୍କ ଇଲାକା ହୋଇନଥିବା କହିଥିଲେ। ଏଥିସହ ହରିଚନ୍ଦନପୁର ତହସିଲଦାରଙ୍କ ସହ ଯୋଗାଯୋଗ କରି ଏହା ଦୈତାରି ଥାନା ଅଧୀନରେ ନଥିବା ସହ କହନ୍ତି। ଏ ସଂକ୍ରାନ୍ତରେ ସେ ଏକ ଷ୍ଟେସନ ଡାଏରି କରିଥିବା ସୂଚନା ଦେଇଛନ୍ତି। ସେହିପରି ଟମକା ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଅଜି ଛୁଟିରେ ଥିବା ଅବସରରେ ଥାନାର ସେକେଣ୍ଡ୍‌ ଅଫିସର ଏସ୍‌ଆଇ ପ୍ରଫୁଲ ଲାକ୍ରାକୁ ପଚାରିବାରେ ଉକ୍ତ ଏରିଆ ତାଙ୍କ ଥାନା ପରିସରଭୁକ୍ତ ନଥିବା ଦାବି କରନ୍ତି। ଦୁଇ ଥାନା ମଧ୍ୟରେ ସୀମା ବିବାଦ ଲାଗି ରହିଥିବାରୁ ଏହି ଅସହାୟ ଯୁବତୀ ଜଣକ ଏବେ ବି ଗଛ ଉପରେ ରହୁଛି।

ସମ୍ବନ୍ଧିତ ଖବର