ମଦ ବେପାରୀଙ୍କୁ ହାତଗୋଡ଼ ବାନ୍ଧି ଅଟକ :ଥାନାରେ ୫ ଅଟକ

କୋରେଇ : ପାଣିକୋଇଲି ଥାନା ଅନ୍ତର୍ଗତ ମାଳଆନନ୍ଦପୁର ପଞ୍ଚାୟତରେ ଜଣେ ମଦ ବେପାରୀଙ୍କୁ ହାତଗୋଡ଼ ବାନ୍ଧି ପୁଲିସ୍‌ ଜିମା ଦେଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଯୁବକଙ୍କୁ ରାତିସାରା ବର୍ଷାରେ ହାତଗୋଡ ବାନ୍ଧି ପକାଇ ଦେଇଥିବା ବେଳେ ସକାଳୁ ପୁଲିସ ଉଦ୍ଧାର କରିଛି। ଏ ନେଇ ପାଣିକୋଇଲି ଥାନାରେ ୧୪୩/୧୮ ଓ ୧୪୪/୧୮ରେ ୨ଟି ମାମଲା ରୁଜୁ ହୋଇଛି। ଉଭୟ ପକ୍ଷରୁ ୫ ଜଣଙ୍କୁ ଅଟକ ରଖି ପୁଲିସ୍‌ ତଦନ୍ତ ଜାରି ରଖିଛି। ସୂଚନା ମୁତାବକ ମାଧପୁର ଗ୍ରାମର ଚକ୍ରଧର ସାହୁ ଓ ରାଜକିଶୋର ସାହୁ ଉଭୟ ଚୋରା ମଦ ବେପାର କରନ୍ତି। ଗତ ମଙ୍ଗଳବାର ରାଜକିଶୋରଙ୍କ ଘରେ ଚଢ଼ଉ କରିଥିବା ବେଳେ ମଦ ନପାଇ ଅବକାରୀ ଅଧିକାରୀମାନେ ଫେରି ଯାଇଥିଲେ। ଏହି ଚଢ଼ଉ ଚକ୍ରଧରଙ୍କ ପ୍ରରୋଚନାରେ ହୋଇଥିଲା ବୋଲି ରାଜକିଶୋରଙ୍କ ପରିବାର ସନ୍ଦେହ କରିଥିଲେ। ଏହାକୁ ନେଇ ଗତକାଲି ରାତିରେ ଚକ୍ରଧରଙ୍କୁ ରାଜକିଶୋରଙ୍କ ପରିବାର ବାନ୍ଧି ପକାଇ ରାତି ସାରା ଅଟକ ରଖିଥିଲେ। ମାଧପୁର ବନ୍ଧକୁ ଶୌଚ ପାଇଁ ଯାଉଥିବା ଚକ୍ରଧରଙ୍କୁ ରାଜକିଶୋର, ତାଙ୍କ ଭାଇ ରଞ୍ଜିତ, ଅଜିତ, ଟୁନିଆ ସଂଘବଦ୍ଧ ଭାବେ ଟେକିନେଇ ଦଉଡ଼ିରେ ହାତଗୋଡ଼ ବାନ୍ଧି ପ୍ରବଳ ବର୍ଷାରେ ପକାଇ ଦେଇଥିଲେ। ଏପରିକି କିଛି ମଦ ଆଣି ତାଙ୍କ ନିିକଟରେ ରଖି ପୁଲିସ୍‌କୁ ଖବର ଦେଇଥିଲେ। ହେଲେ ଚକ୍ରଧର ନିଜେ ମଦ ଆଣି ସେମାନଙ୍କୁ ଫସାଇବାକୁ ଉଦ୍ୟମ କରିଥିବା ରାଜକିଶୋର ପାଲଟା ଅଭିଯୋଗ କରିଛନ୍ତି। ସକାଳୁ ପୁଲିସ ଘଟଣା ସ୍ଥଳରେ ପହଁଚି ଚକ୍ରଧରଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ଦୁଇ ପକ୍ଷଙ୍କ ଅଭିଯୋଗ ଆଧାରରେ ଉଭୟ ପକ୍ଷରୁ ୫ ଜଣଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚୁରା ଜାରି ରଖିଛି।

ସମ୍ବନ୍ଧିତ ଖବର