ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବରୀ/ ରତ୍ନଗିରି : ବରୀ ଥାନା କଳାମାଟିଆ ପଞ୍ଚାୟତର କଳାମାଟିଆ ନାଳରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ଏହି ଥାନା ଅନ୍ତର୍ଗତ ଗମୁ ପଞ୍ଚାୟତ ଡିହପାଳ ଗ୍ରାମର ଅଭିରାମ ଧଳଙ୍କ ପୁଅ ରୌପ୍ୟକାନ୍ତ ଓରଫ ସିଲନ୍‌(୨୬)। ମୃତଦେହ ପଚିଶଢ଼ି ଯାଇଥିବାରୁ ସିଲନ୍‌ଙ୍କ ମୃତ୍ୟୁ ୨/୩ ଦିନ ତଳେ ହୋଇଥିବା ସନ୍ଦେହ କରାଯାଉଛି।
ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି। ପୁଅକୁ ହତ୍ୟା କରାଯାଇଛି ବୋଲି ସିଲନ୍‌ଙ୍କ ପିତା ଅଭିରାମଙ୍କ ସହ ତାଙ୍କ ମା’ ଓ ମାଉସୀ ଅଭିଯୋଗ କରିଛନ୍ତି। ବରୀ ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି କେସ୍‌ ନଂ ୧୨/୨୦୧୮ରେ ତଦନ୍ତ ଚାଳାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି ବରୀ ଥାନା ଅଧିକାରିଣୀ ରୋଜାଲିନ୍‌ ପଟେଲ୍‌ ସୂଚନା ଦଇଛନ୍ତି ।
ଘଟଣା ଅନୁଯାୟୀ ୯ ରିଖ ସନ୍ଧ୍ୟା ଠାରୁ ପୁଅ ସିଲନ୍‌ ନିଖୋଜ ଥିବା ତାଙ୍କ ମା ମମତା ଧଳ ୧୦ତାରିଖ ରାତିରେ ବରୀ ଥାନାରେ ଅଭିଯୋଗ କରିଥିଲେ। ଭୁବନେଶ୍ୱରରେ କାମ କରୁଥିବା ସିଲନ୍‌ ଗତ ୯ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରୁ କାଇପଡ଼ାକୁ ଆସିଥିଲେ। ୪/୫ ଜଣ ସାଙ୍ଗଙ୍କ ସହ ଭୋଜି କରିଥିଲେ। ସିଲନ୍‌ ଘରକୁ ଫେରିନଥିଲେ। ସିଲନ୍‌ଙ୍କ ପରିବାର ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ଖବର ନମିଳିବାରୁ ସିଲନ୍‌ଙ୍କ ମା’ ମମତା ଧଳ ଗତ ୧୦ ତାରିଖ ବରୀ ଥାନାରେ ପୁଅର ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ। ଖୋଜାଖୋଜି ବେଳେ ସିଲନ୍‌ଙ୍କ ଚପଲ ଓ ଘଣ୍ଟା କାଇପଡ଼ା ବଜାର ନିକଟରୁ ରାସ୍ତାକଡ଼ରୁ ମିଳିଥିଲା। ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଆଜି ତାଙ୍କ ମୃତଦେହ ନାଳରୁ ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର