ଟ୍ରଲର ଚକ ତଳେ ଚାଲିଗଲା ଦୁଇ ଜୀବନ

ଯଖପୁରା : ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳାଞ୍ଚଳ ଅନ୍ତର୍ଗତ ବିଜୁ ପଟ୍ଟନାୟକ ମାର୍ଗରେ ଦଶମାଣିଆ ନିକଟରେ ଆଜି ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକଦ୍ବୟ ହେଲେ ସୋମେନ ପ୍ରସାଦ ମୁଦୁଲି ଓ ସତ୍ୟବ୍ରତ ମୁଦୁଲି। ଉଭୟଙ୍କ ବୟସ ୩୦ରୁ ୩୨ ବର୍ଷ ଭିତରେ ବୋଲି ଜଣାପଡ଼ିଛି।

କଳିଙ୍ଗନଗର ଥାନା ନିମପଲ୍ଲୀ ଗ୍ରାମର ତିନିଜଣ ଯୁବକ ସୋମେନ ପ୍ରସାଦ ମୁଦୁଲି (ହାପି), ସତ୍ୟବ୍ରତ ମୁଦୁଲି (ରିଙ୍କୁ) ଓ ଜିତୁ ଚକ୍ର ବୁଲେଟ୍ ମୋଟର ସାଇକଲ (ଓଡି ୩୪ ଏଫ୍‌ ୮୨୪୩) ଯୋଗେ ଯାଜପୁର ରୋଡ୍‌ରୁ ନିଜ ଘରକୁ ଫେରୁଥିଲେ। ଅନ୍ୟ ଏକ ମୋଟରସାଇକଲ (ଓଡି ୦୪ଇ ୬୩୫୬)ରେ ସୁକିନ୍ଦା ଥାନା ହରିପୁର ଗ୍ରାମର ବ୍ରହ୍ମାନନ୍ଦ ମଲ୍ଲିକ ଆସୁଥିଲେ। ଏହି ସମୟରେ ପଙ୍କପାଳ ଆଡୁ ଏକ ଟ୍ରଲର (ଓଡି ୦୪ କେ ୩୭୬୦) ଆସୁଥିଲା। ଟ୍ରେଲର ସହ ଧକ୍କା ହେବା କାରଣରୁ ବୁଲେଟରେ ଥିବା ହାପି ମୁଦୁଲି ଓ ରିଙ୍କୁ ମୁଦୁଲି ଏବଂ ଅନ୍ୟ ମୋଟରସାଇକଲରେ ଥିବା ବ୍ରହ୍ମାନନ୍ଦ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଯଖପୁରା ପୁଲିସ ତୁରନ୍ତ ଗାଡ଼ିଗୁଡ଼ିକୁ ଜବତ କରିବା ସହ ଆହତଙ୍କୁ ଦାନଗଦୀ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରେ ହାପିଙ୍କୁ ମୃତ ଘୋଷଣା କରିଥିଲେ। ରିଙ୍କୁଙ୍କୁ ପରିବାର ଲୋକେ ଟାଟା ମେଡିକା ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଆହତ ବ୍ରହ୍ମାନନ୍ଦଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଯଖପୁରା ଥାନା ପୁଲିସଠାରୁ ସୂଚନା ମିଲିଛି।

ବିଜୁ ପଟ୍ଟନାୟକ ମାର୍ଗରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିଲେ ହେଁ କୌଣସି ପଦକ୍ଷେପ ନିଆଯାଉନାହିଁ। ଦୁର୍ଘଟଣା ରୋକିବା ପାଇଁ ପ୍ରସ୍ତୁତ ହୋଇଥିବା ନୀଳ ନକ୍ସା ଏବେ ନାଲି ଫିତା ତଳେ ପଡ଼ି ରହିଛି।

ସମ୍ବନ୍ଧିତ ଖବର