କାଳିଆପାଣି: ଯାଜପୁର ଜିଲ୍ଲା କାଳିଆପାଣି ଖଣି ଅଞ୍ଚଳରେ ପୁଣି ୨ଟି ମୁଣ୍ଡ ନେଇଛି ଯକ୍ଷ୍ମା ଓ କିଡ୍‌ନି ରୋଗ। ଆଜି କାଳିଆପାଣି ବିର୍ସାନଗର ବସ୍ତିର ଯକ୍ଷ୍ମାରୋଗୀ ସନ୍ତୋଷ ବାଗେ(୫୯)ଙ୍କର ମୃତ୍ୟୁ ହୋଇଛି। ୮ ଦିନ ତଳେ ମାଆ ସରସ୍ବତୀଙ୍କ ମୃତ୍ୟୁ ହୋଇଥିବାରୁ ସେ ଶୁଦ୍ଧିକ୍ରିୟା କରିଥାନ୍ତେ। ହେଲେ ଯକ୍ଷ୍ମା ଆକ୍ରାନ୍ତ ସନ୍ତୋଷଙ୍କର  ମୃତ୍ୟୁ ହୋଇଥିଲା। ସେହିପରି ପଡ଼ୋଶୀ ପୋଗର ଲମ୍ବାଏଁଙ୍କର କିଡ୍‌ନି ରୋଗରେ ମୃତ୍ୟୁ ହୋଇଛି। ଖଣିରେ ବୋଝେଇ ଶ୍ରମିକ ଭାବେ କାମ କରୁଥିବା ପୋଗର କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ କଟକ ବଡ଼ ଡାକ୍ତରଖାନା ଯାଇଥିଲେ। ତାଙ୍କର ୨ଟିଯାକ କିଡ୍‌ନି ନଷ୍ଟ ହୋଇଯାଇଥିଲେ ହେଁ ପରେ ସେ ଘରେ ରହି ଝଡ଼ାଫୁଙ୍କା ଓ ଜଡ଼ିବୁଟି ଚିକିତ୍ସା କରାଉଥିଲେ।
ଏହି ମାସରେ ଅନ୍ୟ ୩ କିଡ୍‌ନି ‌ରୋଗୀ କୋଇପଶି ବସ୍ତିର ଓଏମ୍‌ସି ଠିକା ସଫେଇ କର୍ମଚାରୀ କୁନୁ କାରୁଆ(୩୭), ଓଏମ୍‌ସି କର୍ମଚାରୀ ଜୟରାମ ମୁଣ୍ଡା(୫୫) ଓ ନଗଡ଼ାର ସାଗା ପ୍ରଧାନ(୩୦)ଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଗତମାସରେ କିଡ୍‌ନି ରୋଗାକ୍ରାନ୍ତ ୬ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ୨୧ ତାରିଖରେ ବାମ୍ବିଲୋ ଗାଁର ଲକ୍ଷ୍ମୀପ୍ରିୟା ନାୟକ, ୧୭ରେ କଅଁସ ପଞ୍ଚାୟତ ଓସ୍ତପାଳ ଗାଁର ଭକ୍ତୁରାମ ଦେହୁରୀ(୩୨), ୯ରେ ଓଏମ୍‌ସି ସୁକ୍ରଙ୍ଗି କ୍ରୋମାଇଟ୍‌ ଖଣି କର୍ମଚାରୀ ସୁନିଲ କୁମାର ସାହୁ(୪୨), ୬ରେ କାଳିଆପାଣି ଘାଗିଆସାହିର ୨ ଜଣ ମଙ୍ଗଲ ମାରାଣ୍ଡି(୫୧) ଓ ଲକ୍ଷ୍ମଣ ମାରାଣ୍ଡି(୬୩) ଏବଂ ୩ ତାରିଖରେ କଅଁସ ପଞ୍ଚାୟତ ସାରୁଆବିଲ ଗାଁର ଚକ୍ରଧର ପ୍ରଧାନ(୨୫) ଓ ଗୋବିନ୍ଦ ଦେହୁରୀ(୬୧)ଙ୍କର ମୃତ୍ୟୁ ହୋଇଥିଲା। ଗତ ନଭେମ୍ବର ୧୦ ତାରିଖରେ ସେହି ଘାଗିଆସାହିର ଗୁରୁଚରଣ ମାରାଣ୍ଡି(୪୪) ଓ ସେପ୍ଟେମର ୧୮ ତାରିଖରେ ଖଣି ଶ୍ରମିକ ଭକ୍ତୁ ମହାନ୍ତଙ୍କ ମୃତ୍ୟୁ ହୋଇଥିଲା। ସେହିପରି ସନ୍ତୋଷ ବାଗେକୁ ମିଶାଇ ବର୍ଷକରେ ଯକ୍ଷ୍ମା ରୋଗରେ ୧୪ ମୃତ୍ୟୁ ହେଲାଣି।

Advertisment

ଗତ ୧୯ ତାରିଖରେ ଓସ୍ତପାଳ ଗାଁର ଚନ୍ଦ୍ରମଣି ମହାନ୍ତ(୬୪)। ଗତ ସେପ୍ଟେମ୍ବର ମାସ (୩୦, ୨୬, ୧୯ ଓ ୧୮ ତାରିଖ)ରେ ରାଁସୋଳ ପଞ୍ଚାୟତ କଲରଙ୍ଗି କୁମାରଡ଼ି ଗାଁର ସାହେବ ଜାମୁଡ଼ା ଓରଫ ରଞ୍ଜନ ଜାମୁଡ଼ା(୨୯), କଅଁସ ପଞ୍ଚାୟତ ଜାରଗିସାହିର ମହାନ୍ତି ସିଧୁ(୪୮), କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗ ଗାଁ ଉପରସାହିର ଶଙ୍କର ମୁଣ୍ଡା(୩୨) ଓ କାଳିଆପାଣି ହନୁମାନ ବଜାର ହଟିଂର ନିରାଶ ମହାକୁଡ଼(୩୨)। ଅଗଷ୍ଟ ୨୩ ତାରିଖରେ କାକୁଡ଼ିଆ ଗାଁର ବଳରାମ ପିଙ୍ଗୁଆ(୩୭), ଜୁନ ୧୫ ତାରିଖରେ ପେଣ୍ଠସାହିର ଲାଣ୍ଡୁ ମୁଣ୍ଡା, ମେ ମାସ ୨୪ ଓ ୨୦ ତାରିଖରେ ଯକ୍ଷ୍ମାକ୍ରାନ୍ତ ମହ୍ଲାରସାହି ମାଙ୍କିଡ଼ିଆ ବସ୍ତିର ଜଗା ଗାଗରାଇ(୩୫) ଓ କୋଇପଶି ବସ୍ତିର ଜଗା ଥଟାରି(୪୦), ଫେବ୍ରୁଆରି ୬ ତାରିଖରେ ପୋଡ଼ାହରା ଗାଁର ଡାଳିମ୍ବ ପିଙ୍ଗୁଆ(୬୦), ଡିସେମ୍ବର ୩୧ ତାରିଖରେ ଲାଲମୋନି ମାଙ୍କିଡ଼ିଆ(୪୦), ନଭେମ୍ବର ୨୫ ତାରିଖରେ କଲରଙ୍ଗିର ବୀର ମୁଣ୍ଡା(୪୮) ଓ ବିର୍ସାନଗର ବସ୍ତିର କୁନି ପୂର୍ତ୍ତି(୫୯)ଙ୍କର ମୃତ୍ୟୁ ହୋଇଥିଲା। ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କୁ ପଚାରିବାରେ ପରିସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି କହନ୍ତି।