ଯାଜପୁରଟାଉନ: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରିବା ଘଟଣାରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅର୍ଥ ଅନାଦାୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଯାଜପୁର ଆଡହକ ଏଡିଜେ ପୋକ୍ସୋ ଜଜ(୨) ବିଜୟ କୁମାର ଜେନା ରାୟରେ ଉଲ୍ଲେଖ କରିଛନ୍ତି।
ଯାଜପୁର ଥାନା ଅଞ୍ଚଳର ଏକ ମହିଳା ମହାବିଦ୍ୟାଳୟରେ ଯୁକ୍ତ୨ ପାଠ ପଢ଼ୁଥିବା ବିଂଝାରପୁର ଅଞ୍ଚଳର ଜନୈକା ଛାତ୍ରୀଙ୍କୁ ୨୦୧୯ ଅକ୍ଟୋବର ୧୮ ତାରିଖ ଦିନ ବିଂଝାରପୁର ଇଂଜନପୁରର ଶ୍ୟାମ ସୁନ୍ଦର ବାରିକ ବଳପୂର୍ବକ ଅପହରଣ କରିନେଇଥିଲା। ପ୍ରଥମେ ଯାଜପୁରରୋଡ ପରେ କଟକ ଓ ଶେଷରେ ବେଙ୍ଗାଲୁରୁକୁ ପଳାଇଥିଲା। ସେଠାରେ ପ୍ରାୟ ୨ ମାସ ରହିବା ପରେ ୨୦୧୯ ଡିସେମ୍ବର ୨୦ ତାରିଖ ଘରକୁ ଫେରୁଥିବାବେଳେ ପୁଲିସ ଯାଜପୁରରୋଡ ରେଳଷ୍ଟେସନ ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଅଭିଯୁକ୍ତ ମଧ୍ୟ ଗିରଫ ହୋଇଥିଲା। ଉଦ୍ଧାର ହୋଇଥିବା ନାବାଳିକାର ବୟାନକୁ ଭିତ୍ତିକରି ଅଭିଯୁକ୍ତକୁ ପୋକ୍ସୋ ଆଇନର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରି (କେସ ନଂ ୩୧୧/୨୦୧୯) ଯାଜପୁର ପୁଲିସ କୋର୍ଟଚାଲାଣ କରିଥିଲା।
ଏହି ମାମଲାରେ ମୋଟ ୧୧ ଜଣଙ୍କ ସାକ୍ଷ୍ୟପ୍ରମାଣକୁ ଭିତ୍ତିକରି ଆଜି ବିଚାରପତି ବିଜୟ କୁମାର ଜେନା ଉପରୋକ୍ତ ଦଣ୍ଡାଦେଶ ଶୁଣାଇବା ସହ ପୀଡ଼ିତାଙ୍କୁ ୨ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ରାଜେନ୍ଦ୍ର ପ୍ରସାଦ ନାୟକ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/COURT-ORDER-JUSTICE-LAW-INSIDER.jpg)