ବ୍ୟାସନଗର: ଯାଜପୁରରୋଡ ଥାନା ଅନ୍ତର୍ଗତ କୁମ୍ଭୀରଗାଡ଼ିଆ ଅଞ୍ଚଳର ହେଟାଗଡ଼ିଆ ଗ୍ରାମରୁ ଗତ ମାସ ୨୯ ତାରିଖରେ ହୋଇଥିବା ଡକାୟତି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ଲୁହାରଡ଼, ଗୋଟିଏ ଭଙ୍ଗା ତାଲା ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ ଏହି ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁର କାମଦେବ ପ୍ରଧାନଙ୍କ ପୁଅ ବିଚିତ୍ର(୩୮), କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁଣ୍ଡି ଗ୍ରାମର ସ୍ବର୍ଗତ ମନୋରଞ୍ଜନ ମହାପାତ୍ରଙ୍କ ପୁଅ ରାଜେଶ(୩୨) ଓ ବାଲେଶ୍ବର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କେନ୍ଦୁଭଦଳି ଗ୍ରାମର ଆନନ୍ଦ ଚନ୍ଦ୍ର ଦାସଙ୍କ ପୁଅ ପ୍ରଶାନ୍ତ(୨୬)। ଅଭିଯୁକ୍ତ ପ୍ରଶାନ୍ତ ଅନ୍ୟମାନଙ୍କ ଠାରୁ ଲୁଟ୍ ଜିନିଷ କିଣିଥିଲା।
ସୂଚନା ଅନୁଯାୟୀ ଗତମାସ ୨୯ ତାରିଖ ରାତି ପ୍ରାୟ ୨ଟା ବେଳେ ୭ ଜଣ ଅଜଣା ବ୍ୟକ୍ତି ମୁହଁରେ କପଡ଼ା ବାନ୍ଧି ହେଟାଗଡ଼ିଆ ଗ୍ରାମର ଉତ୍ତମ ସାହୁଙ୍କ ପୁଅ ରବିନାରାୟଣ ସାହୁଙ୍କ ଘରେ କବାଟ ଭାଙ୍ଗି ପଶିଥିଲେ। ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ରବିନାରାୟଣଙ୍କୁ ବାନ୍ଧି ପକାଇବା ସହ ହତ୍ୟା ଧମକ ଦେଇ ଓଡି-୦୪କ୍ୟୁ-୯୩୦୩ ନମ୍ବର ସ୍କୁଟି ଏବଂ ଓଡି-୩୪ଏଲ-୦୪୬୪କୁ ନେଇଯାଇଥିଲେ। ଅପରାଧୀମାନେ ୫ଟି ମୋବାଇଲ୍ ଫୋନ, ୬୦ ହଜାର ଟଙ୍କା, ସୁନା ଗହଣା ନେବା ସହ ବନ୍ଧୁକ ମୁନରେ ଧମକ ଦେଇ ରବିନାରାୟଣଙ୍କ ମୋବାଇଲରୁ ଫୋନ୍ ପେ ମାଧ୍ୟମରେ ୫ ହଜାର ଟଙ୍କା ନେଇଯାଇଥିଲେ।
ଏନେଇ ରବିନାରାୟଣ ସାହୁ ପରଦିନ ଥାନାରେ ଅଭିଯୋଗ କରିବା ପରେ ଯାଜପୁରରୋଡ ଥାନା କେସ୍ ନମ୍ବର ୫୩୦/୨୩ରେ ମାମଲା ରୁଜୁ ହୋଇଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଯାଜପୁରରୋଡ ପୁଲିସ ଗତକାଲି ଅଭିଯୁକ୍ତ ରାଜେଶ, ବିଚିତ୍ର ଓ ପ୍ରଶାନ୍ତକୁ ଗିରଫ କରିଥିଲେ। ଦଫା ୪୫୭, ୩୯୫, ୪୧୧ ଆଇପିସି ଓ ୨୫ ଆର୍ମ ଆକ୍ଟରେ ଆଜି ଅଭିଯୁକ୍ତମାନଙ୍କୁ ଯାଜପୁରୋଡ କୋର୍ଟଚାଲାଣ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି।