ଜମିବାଡି ବିବାଦ : ଯବାନଙ୍କ ଗୁଳିମାଡ଼ରେ ୩ ଗୁରୁତର

ଅଭିଯୁକ୍ତ ଗିରଫ, ବନ୍ଧୁକ ଜବତ

ଧର୍ମଶାଳା/ଚଢ଼େଇଧରା : ଜମିବାଡି ବିବାଦକୁ କେନ୍ଦ୍ରକରି ଆଜି ଯାଜପୁରର ଜେନାପୁର ଅଞ୍ଚଳରେ ଗୁଳି ଫୁଟିଛି। ଜଣେ ଯବାନଙ୍କ ଗୁଳିମାଡ଼ରେ ପରିବାରର ୩ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି।

ଏହି ୩ ଜଣ ହେଲେ, କମାଗଡ଼ ପଞ୍ଚାୟତ ଭରତପୁର ଗ୍ରାମର କ୍ଷୀରୋଦଙ୍କ ପତ୍ନୀ ସୁଜାତା ପ୍ରଧାନ (୫୦), ପୁଅ ବିବେକ ପ୍ରଧାନ (୨୯) ଓ ରଂଜନ ପ୍ରଧାନ (୨୪)। ସେମାନଙ୍କୁ ପ୍ରଥମେ ସ୍ଥାନୀୟ ଧର୍ମଶାଳା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁଳି ଫୁଟାଇ ଥିବା ଯବାନ ମହେଶ୍ୱର ଦାସଙ୍କୁ ଜେନାପୁର ପୁଲିସ୍‌ ଗିରଫ କରିବା ସହ ତାଙ୍କ ବନ୍ଧୁକ ଜବତ କରିଛନ୍ତି।

ସୂଚନା ଅନୁସାରେ, ଭରତପୁର ଗ୍ରାମର ବାରଣୀ ଦାସ ପରିବାର ଓ କ୍ଷୀରୋଦ ପ୍ରଧାନଙ୍କ ପରିବାର ମଧ୍ୟରେ ନିର୍ଦିଷ୍ଟ ଜମିକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା। ଆଜି ସକାଳେ ବାରଣୀ ଦାସଙ୍କ ପୁଅ ମହେଶ୍ୱର ଦାସ (୪୦) ଓ କ୍ଷୀରୋଦ ପ୍ରଧାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ କ୍ଷୀରୋଦ ନିଜ ବିଲକୁ ଚାଲିଯାଇଥିଲେ। ମାତ୍ର ଯବାନ ମହେଶ୍ୱର ଦାସ ଘର ଭିତରକୁ ଯାଇ ନିଜର ଡବଲ୍‌ ବ୍ୟାରେଲ୍‌ ବନ୍ଧୁକ ଆଣି କ୍ଷୀରୋଦଙ୍କ ଘର ପାଖରେ ପହଞ୍ଚି ପୁଣି ଗାଳିଗୁଲଜ କରିଥିଲା। ଏମିତିକି ସେ ବ୍ଲାଙ୍କ୍‌ ଫାୟାରିଂ କରିଥିଲେ। ବାହାରେ ପାଟି ହେଉଥିବା ଶୁଣି କ୍ଷୀରୋଦଙ୍କ ପତ୍ନୀ ସୁଜାତା ପ୍ରଧାନ (୫୦) ଘରୁ ବାହାରି ଆସିଥିଲେ। ତାଙ୍କ ପୁଅ ବିବେକ ପ୍ରଧାନ (୨୯) ଓ ରଂଜନ ପ୍ରଧାନ (୨୪) ମଧ୍ୟ ପଦାକୁ ଚାଲି ଆସିଥିଲେ। ଉତ୍ତ୍ୟକ୍ତ ମହେଶ୍ୱର ସେମାନଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ। ମହେଶ୍ୱର ୨ ରାଉଣ୍ଡ ଗୁଳି ଫୁଟାଇଥିବା ବେଳେ ସେଥିରୁ ଗୋଟିଏ ଗୁଳି ରଂଜନ ପ୍ରଧାନ(୨୪)ଙ୍କ ଛାତିରେ ବାଜିଥିବାବେଳେ ମା’ ସୁଜାତା ପ୍ରଧାନ(୫୦) ମୁଣ୍ଡରେ ଏବଂ ବିବେକ ପ୍ରଧାନ(୨୯)ଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଗୁଳି ଶବ୍ଦ ଓ ଚିତ୍କାର ଶୁଣି ଶୁଣି ସ୍ଥାନୀୟ ଲୋକମାନେ ସେଠାରେ ରୁଣ୍ଡ ହୋଇଯାଇଥିଲେ। ଆହତମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଯାଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ରଞ୍ଜନଙ୍କ ଛାତିରେ ଗୁଳି ରହିଥିବା ପୁଲିସ ପ୍ରକାଶ କରିଛି।

ଅନ୍ୟପକ୍ଷରେ, ସେନାବାହିନୀରେ କାମ କରୁଥିବା ଯବାନ ମହେଶ୍ୱରଙ୍କ ଏପରି ଉନ୍ମତ୍ତକାଣ୍ଡ ଗ୍ରାମରେ ଆତଙ୍କ ଖେଳାଇ ଦେଇଛି। ମହେଶ୍ୱରଙ୍କୁ ମଧ୍ୟ ପାଲଟା ଆକ୍ରମଣ ହୋଇଛି। ସେ ମଧ୍ୟ ଆହତ ହୋଇଛନ୍ତି। ମହେଶ୍ୱରଙ୍କୁ ପୁଲିସ ଗିରଫ କରି ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା କରିଛନ୍ତି। ଜେନାପୁର ଥାନା ଅଧିକାରୀ ସୁଶାନ୍ତ ଦାସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମହେଶ୍ୱର ଦାସଙ୍କୁ ଗିରଫ କରିବା ସହ ବଂଧୁକ ଜବତ କରିଛନ୍ତି। ୯/୧୮ରେ କେସ୍‌ ରୁଜୁ କରି ତଦନ୍ତ ଚାଲୁ ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର