ବିଛାଖଣ୍ଡିରେ ରକ୍ତାକ୍ତ ସଂଘର୍ଷ : ଠିକାଦାର ଓ ୩ କର୍ମଚାରୀ ଆହତ

ପାହାଡ଼ରୁ ଗଡ଼ାଇଦେଲେ ପୋକଲିନ୍‌

କବାଟବନ୍ଧ : ଧର୍ମଶାଳା ତହସିଲ ଜେନାପୁର ଥାନା ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ରେ ଆଜି ରକ୍ତାକ୍ତ ସଂଘର୍ଷ ଘଟିଛି। ୨୫/୩୦ ଜଣ ପଥର ମାଫିଆ ସଂଘବଦ୍ଧ ହୋଇ ଅତର୍କିତ ଆକ୍ରମଣ କରିବା ଦ୍ୱାରା ୩ ଜଣ ଗୁରୁତର ଆହତ ହୋଇଛନ୍ତି। କେବଳ ସେତିକି ନୁହେଁ ଏକ ପୋକଲିନ୍‌ ମେସିନ୍‌କୁ ପାହାଡ଼ ତଳକୁ ଖସାଇ ଦେଇଛନ୍ତି। ପୋକଲିନ୍‌ ମେସିନ୍‌ଟି ଭାଙ୍ଗିରୁଜି ଯାଇଛି। ସଂପୃକ୍ତ ଖାଦାନ ଲିଜଧାରୀ ତଥା ଠିକାଦାରମାନେ ଜେନାପୁର ଥାନାରେ ଅଭିଯୋଗ କରିଛନ୍ତି ।

ଲିଜ୍‌ଧାରୀଙ୍କ ଅଭିଯୋଗ ହେଲା, ବିଛାଖଣ୍ଡି ପାହାଡ଼ର ୩ଟି ଲିଜ୍‌ ଖାଦାନ ଉପରେ ତାଳଜଙ୍ଗ ପଞ୍ଚାୟତର କେତେକ ମାଫିଆ ଆଜି ଦାଦା ବଟି ପାଇଁ ଚଢଉ କରିଥିଲେ। ଆଜି ସକାଳେ ପ୍ରାୟ ୨୫/୩୦ ଜଣ ପଥର ମାଫିଆ ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ହୋଇ ବିଛାଖଣ୍ଡି ପାଣି ଟାଙ୍କି ଅଞ୍ଚଳରେ ଥିବା ଲିଜ୍‌ କଳାପଥର ଖାଦାନରେ ଅତର୍କିତ ଆକ୍ରମଣ କରିଥିଲେ। ସେଠାରେ କାମ କରୁଥିବା ଠିକାଦାରଙ୍କ ଶ୍ରମିକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଏକ ପୋକଲିନ୍‌ ମେସିନକୁ ପାହାଡ଼ ତଳକୁ ଠେଲି ଦେଇଥିଲେ। ଆକ୍ରମଣରେ ଖାଦାନରେ କାମ କରୁଥିବା ଠିକାଦାର ସିଲୁ ମହାପାତ୍ରଙ୍କର ଶ୍ରମିକ ଝାଡଖଣ୍ଡ ଅଂଚଳର ଖେମ୍‌ଲାଲ୍‌ କୁମାର (୨୦), ଘନଶ୍ୟାମ କୁମାର ମାଥୁର (୨୧) ଓ ଅସିତ୍‌ କୁମାର (୨୪) ଆହତ ହୋଇଛନ୍ତି । ଆହତମାନଙ୍କୁ କବାଟବନ୍ଧ ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।

ଆଜି ସଂଧ୍ୟାରେ ଠିକାଦାର ସିଲୁ ମହାପାତ୍ର ଏ ନେଇ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦାଦାବଟି ନଦେବାରୁ ଏପରି ଆକ୍ରମଣ ହୋଇଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ପ୍ରଭୁରଂଜନ ସାମଲ ଓ ଅନ୍ୟଜଣେ ଠିକାଦାରଙ୍କ ଖାଦାନ ଉପରେ ଏହି ମାଫିଆମାନେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ପ୍ରଭୁରଂଜନଙ୍କୁ ଗତକାଲି କିଛି ଦୁର୍ବୃତ୍ତ ରାସ୍ତାରେ ଅଟକାଇ ଦାଦାବଟି ମାଗିବା ସହ ଧମକ ଚମକ ଦେଇଥିଲେ ବୋଲି ଶ୍ରୀ ସାମଲ ଆଜି ଜେନାପୁର ଥାନାରେ ଅଭିଯୋଗ କରିଛନ୍ତି ।

ଗଣ୍ଡଗୋଳ ସଂପର୍କରେ ଖବର ପାଇ ଜେନାପୁର ଥାନା ଆଇଆଇସି ସୁଶାନ୍ତ କୁମାର ଦାଶ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଦୁର୍ବୃତ୍ତମାନେ ଛାଡିଯାଇଥିବା ଦୁଇଟି ବାଇକ୍‌ ଜବତ କରିଛନ୍ତି । ପୁଲିସ ଘଟଣାର ଛାନ୍‌ଭିନ୍‌ ଚଳାଇଛି । ଅନ୍ୟପଟେ ଆକ୍ରମଣକାରୀମାନେ ପୂର୍ବରୁ ଏହି ପଥର ଖାଦାନଗୁଡିକ ବେଆଇନ୍‌ ଭାବେ ଖନନ କରିଥିଲେ। ଲିଜ୍‌ ହୋଇଯିବା ପରେ ସେମାନେ ଆକ୍ରୋଶମୂଳକ ଭାବେ ଏହି ଆକ୍ରମଣ ଭିଆଇଥିବାର ଆଲୋଚନା ହେଉଛି ।

ସମ୍ବନ୍ଧିତ ଖବର