ଟ୍ରାନ୍ସପୋର୍ଟ କର୍ମଚାରୀଙ୍କ ଠାରୁ ଝାମ୍ପିନେଲେ ୩ଲକ୍ଷ

କାଳିଆପାଣି : ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଖଣିଅଞ୍ଚଳ ମୁଖ୍ୟରାସ୍ତାରେ ଜଣେ ଟ୍ରାନ୍ସପୋର୍ଟ କଂପାନି କର୍ମଚାରୀ ଲୁଟ୍‌ର ଶିକାର ହୋଇଛନ୍ତି। ଟାଟା ୧ନଂ ପରିତ୍ୟକ୍ତ ଖଣି ପାଖ ପୋଲ ଉପରେ ୨ଟି ବାଇକ୍‌ରେ ଆସି ଦୁର୍ବୃତ୍ତ ୩ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ଏହି ଯୁବକ ଜଣକ କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରିସ୍ଥିତ ‘ଦାସ ରୋଡ୍‌ ୱେଜ୍‌’ର କର୍ମଚାରୀ ବିଶ୍ୱଜିତ୍‌ ସ୍ୱାଇଁ(୨୩) ବୋଲି ଜଣାପଡ଼ିଛି। ଟମକା-ମଙ୍ଗଳପୁର ସଡ଼କରେ ବାଇକ୍‌ ଚଳାଇ ସେ କାଳିଆପାଣି ଆସୁଥିବା ସମୟରେ ଲୁଟ୍‌ର ଶିକାର ହୋଇଥିଲେ। ସକାଳ ୯ଟା ବେଳେ ୨ଟି ବାଇକ୍‌ରେ ହେଲ୍‌ମେଟ୍‌ ପିନ୍ଧିଥିବା ୪ ଜଣ ଲୁଟେରା ଅଧାରାସ୍ତାରେ ବିଶ୍ୱଜିତ୍‌ଙ୍କୁ ଅଟକାଇ ଟଙ୍କା ଲୁଟି ନେଇଥିଲେ। ଲୁଟ୍‌ପାଟ୍‌ ପରେ ମୁହଁରେ ରୁମାଲ ଗୁଡ଼ାଇଥିବା ଏହି ଲୁଟେରାମାନେ ସେହି ରାସ୍ତାରେ କଲରଙ୍ଗି ଢାବା ଛକରୁ ଦକ୍ଷିଣ ଦିଗରେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଗୋଡ଼ା ଛକ ଆଡ଼କୁ ପଳାଇ ଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ସୁକିନ୍ଦା ଥାନା ଅନ୍ତର୍ଗତ ବୋତଲଣ୍ଡା ଗାଁର ବାବୁଲି ସ୍ୱାଇଁଙ୍କ ପୁଅ ବିଶ୍ୱଜିତ୍‌ ୩ ବର୍ଷ ହେଲା କମ୍ପାନି ପକ୍ଷରୁ କାଳିଆପାଣିରେ ଟଙ୍କା ପହଞ୍ଚାଇବା କାମ କରନ୍ତି।

ଆଜି ଗାଁରୁ ଭୁବନ ଯାଇ ସେଠାରୁ ନିଜ ବାଇକ୍‌(ଓଆର୍‌-୦୨ୱାଇ-୩୪୭୦)ରେ ସେ ଏକୁଟିଆ ଟଙ୍କା ଧରି କାଳିଆପାଣି ଆସୁଥିଲେ। ଘଟଣାସ୍ଥଳରୁ ମାତ୍ର ୧ କିଲୋମିଟର ଦୂର କୁସୁମୁଣ୍ଡିଆ ଛକରେ ଏକ ହିରୋ ସିଡି ଡିଲକ୍ସ ବାଇକ୍‌(ଓଡି-୦୯ଏଫ୍‌-୯୬୬୯)ରେ ସବାର ଥିବା ୨ ଜଣ ଯୁବକ ତାଙ୍କୁ ପିଛା କରିଥିଲେ। ପୂର୍ବରୁ ଉକ୍ତ ପୋଲ ଉପରେ ଏକ ଏଫ୍‌ଜେଡ୍‌ ୟାମ୍‌ହା ବାଇକ୍‌ରେ ବସିଥିବା ଆଉ ୨ ଜଣ ଯୁବକ ତାଙ୍କ ବାଟ ଓଗାଳିଥିଲେ। ସଂଗେ ସଂଗେ ପିଛା କରୁଥିବା ଯୁବକ ଦ୍ଵୟ ସେହି ସ୍ଥାନରେ ପହଞ୍ଚି ଯାଇଥିଲେ। ତିନି ଜଣ ଯୁବକ ବିଶ୍ୱଜିତ୍‌ଙ୍କ ବେକକୁ ଧରି କାବୁ କରିଥିଲେ। ଜଣେ ବିଶ୍ୱଜିତ୍‌ଙ୍କ ଅଣ୍ଡକୋଷକୁ ଶକ୍ତ ଗୋଇଠା ପକାଇଥିଲା। ସେ କିଛି ବୁଝିବା ଆଗରୁ ୟାମ୍‌ହା ବାଇକ୍‌ ଚାଳକ ଜଣକ ହାତରେ ଧରିଥିବା ଏକ ଲୁହା ରଡ୍‌ରେ ବାଇକ୍‌ ଡିକି ଭାଙ୍ଗି ଟଙ୍କାତକ ଲୁଟି ନେଇଥିଲା। ବିଶ୍ୱଜିତ୍‌ ଏ ସଂପର୍କରେ ମାଲିକଙ୍କୁ ଜଣାଇବା ପରେ ପୁଲିସ୍‌ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଛାନ୍‌ଭିନ୍‌ କରିଥିଲା। ହେଲେ ଲୁଟେରାମାନଙ୍କ ସଂପର୍କରେ କୌଣସି ଠୋସ୍‌ ସୂଚନା ମିଳିପାରିନଥିବା ପୁଲିସ୍‌ କହିଛି। ବିଶ୍ୱଜିତ୍‌ଙ୍କ ଏତଲା କ୍ରମେ ପୁଲିସ୍‌ ଏ ସଂପର୍କରେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୩୯୪ ଓ ୫୦୬/୩୪ ଆଇପିସି ଆଧାରରେ ଏକ କେସ୍‌ ୪୪/୨୦୧୮ ରୁଜ୍ଜୁକରି ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର