ଭୁବନେଶ୍ବର: ରାଜ୍ୟରେ ପ୍ରତିଦିନ ବିଭିନ୍ନ କାରଣରୁ କେହି ନା କେହି ମୃତାହତ ହେଉଛନ୍ତି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୬ ଜଣଙ୍କର ମୃତ୍ୟୁ ଘଟିଛି। ସେସମସ୍ତ ବିଷୟରେ ନିମ୍ନରେ ଉଲ୍ଲେଖ କରାଯାଇଛି।

Advertisment

ଧାନ କ୍ଷେତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାମରା: ବାମରା ବ୍ଲକ ଲରିଆପାଲି ପଞ୍ଚାୟତ ବଡ଼ଭୁଇଁ ଗ୍ରାମର ପୁଅ ମୋହନ ନାଏକ (୪୫)ଙ୍କ ମୃତଦେହ ବୁଧବାର ଗାଁ ମୁଣ୍ଡରେ ଥିବା ଏକ ଧାନ କ୍ଷେତରୁ ଉଦ୍ଧାର କରାଯାଇଛି। ସେ ଧାନବିଲରେ ଥିବା ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। ସେ ୩ ଦିନ ଆଗରୁ ଘରୁ କେଉଁଆଡ଼େ ପଳାଇ ଯାଇଥିଲେ। ଆଜି ମୃତଦେହ ମିଳିବା ପରେ ମୃତକଙ୍କ ଭାଇ ଅବଧୂତ ନାଏକ ମହୁଲପାଲି ଥାନାରେ ଲିଖିତ ଭାବେ ଜଣାଇଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ଭାଲୁ ଆକ୍ରମଣରେ ଚାଷୀ ମୃତ
ଆନନ୍ଦପୁର: ଆନନ୍ଦପୁର ଥାନା ମନୋହରପୁର ସାନପୁରୁଣାପାଣି ଗାଁରେ ଭାଲୁ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଘନଶ୍ୟାମ ହେମ୍ବ୍ରମ (୪୫)।‌ ସେ ଆଜି ସକାଳେ ଘରଠାରୁ ୫୦୦ ମିଟର ଦୂରରେ ଥିବା ନିଜ ଧାନବିଲକୁ ଯାଇଥିଲେ। ଏହି ସମୟରେ ୩ଟି ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥି‌ଲେ। ଭାଲୁମାନଙ୍କୁ ଦେଖି ସେଠାରେ ଥିବା ଅନ୍ୟ ଲୋକମାନେ ଗଛରେ ଚଢ଼ି ନିଜର ଜୀବନ ବଞ୍ଚାଇଥିଲେ। ଘନଶ୍ୟାମଙ୍କୁ ୩ଟି ଭାଲୁ ମିଳିତଭାବେ ଆକ୍ରମଣ କରିଥିଲ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରଚୁର ରକ୍ତସ୍ରାବ ‌ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଭାଲୁମାନେ ସେଠାରୁ ପଳାଇବା ପରେ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆନନ୍ଦପୁର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇଛି। ବନ ବିଭାଗ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି।

ହାଇଦ୍ରାବାଦରେ ଧର୍ମଶାଳା ଯୁବକଙ୍କ ମୃତ୍ୟୁ
ଧର୍ମଶାଳା: ହାଇଦ୍ରାବାଦର ହୋଟେଲ୍ ପାରାଡାଇଜରେ କାମ କରୁଥିବା ଧର୍ମଶାଳା ବ୍ଲକ୍ ଚୋରମୁହାଁ ପଞ୍ଚାୟତ ହଳଦୀଆପଦା ଗ୍ରାମର ଅଚ୍ୟୁତ ମଲିକଙ୍କ ପୁଅ ବିଭୁପଦ ମଲିକ(୨୮)ଙ୍କ ଗତ ମଙ୍ଗଳବାର ମୃତ୍ୟୁ ହୋଇଛି। ଗତ ୩ତାରିଖରେ ସେ ଅସୁସ୍ଥ ହୋଇପଡ଼ିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବିଭୁପଦ ଜଣେ ଫୁଟବଲ୍ ଖେଳାଳି ଭାବେ ଜଣାଶୁଣା ଥିଲେ। ମରଶରୀର ଜାରକାରେ ପହଞ୍ଚିବା ପରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ଧର୍ମଶାଳା ଫୁଟବଲ୍ ସଂଘ ପକ୍ଷରୁ ଶୋଭାଯାତ୍ରାରେ ମରଶରୀରକୁ ହଳଦିଆପଦାସ୍ଥିତ ବାସଭବନକୁ ନିଆଯାଇଥିଲା। ଡିଫା ସଭାପତି ପ୍ରମୋଦ ଦାସ, ସାଧାରଣ ସଂପାଦକ ପ୍ରବୋଧ କୁମାର ପାତ୍ର, ଚୋରମୁହାଁ ସରପ‌ଞ୍ଚ ପ୍ରଦ୍ୟୁମ୍ନ କେଶରୀ ମହାନ୍ତି, ସମିତିସଭ୍ୟ ପ୍ରିୟବ୍ରତ ପ୍ରଧାନ, ଫୁଟବଲ୍ ଖେଳାଳି ପ୍ରମୋଦ ଲାଲା, ସୁଜିତ୍ ସ୍ବାଇଁ, ପଶୁର୍ରାମ ମହାନ୍ତି, ମାନସ ଜେନା, ସେକ୍ ମାଜନ୍, ସେକ୍ ଇନ୍ୟୁସ୍‌, ସେକ୍ ସଲିମ୍, ସେକ୍ ଧନା, ଅଶ୍ବିନୀ ଧଳ, ସୌମ୍ୟରଂଜନ ବାରିକ, ଜ୍ଞାନରଂଜନ ମହାନ୍ତି, ଅନିଲ ସ୍ବାଇଁ, ସୌଭାଗ୍ୟ ମୁଦୁଲି, ସୁବ୍ରତ ବେହେରା,ବିଜୟ ଜେନା, ସେକ୍ ଗୋଲାପ, ରାଜେଶ୍ ପାଳ, ଯୁବନେତା ମୁନା ଖାଁ, ନାରାୟଣ ମଲିକ, କାର୍ତ୍ତିକ ମଲିକ, ହିତେଶ ମଲିକ ଓ ସୋମନାଥ ମହାନ୍ତି ଶେଷଦର୍ଶନ କରିଥିଲେ। ପରେ ବ୍ରାହ୍ମଣୀ ନଦୀପଠାରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା।

ଟ୍ରକ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ
ବ୍ୟାସନଗର/ରଗଡ଼ି/ପାଣିକୋଇଲି: କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଆଲିଆ ଛକ ନିକଟରେ ଅଜଣା ଟ୍ରକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ କୋରେଇ ଥାନା କାଚରାସାହି ପଞ୍ଚାୟତ ରାଉତପଡ଼ାର ସଂଜୟ କୁମାର ଶିଅଳ (୩୧)। ସେ ପାଣିକୋଇଲି ଆଡ଼କୁ ଏକ ପଲସର ବାଇକରେ ଆସୁଥିବାବେଳେ ପଛପଟୁ ତାଙ୍କ ଏକ୍‌ ଟ୍ରକ୍‌ ଧକ୍କା ଦେଇ ପଳାଇ ଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଯାଜପୁରରୋଡ୍‌ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାଣିକୋଇଲି ପୁଲିସ ବାଇକ ଜବତ କରିବା ସହ ୨୫୮/୨୩ ରେ ଏକ ମାମଲା ରୁଜୁ କରି ମୃତଦେହକୁ ଦାନଗଦୀରେ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।
ସଂଜୟ ଏୟାରଟେଲ କ୍ରେଡିଟ ବ୍ୟାଙ୍କର ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ। ସେ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ। ନିକଟରେ ତାଙ୍କର ନିର୍ବନ୍ଧ ସରିଥିଲା। ଦୁଇମାସ ପରେ ବିବାହ ହୋଇଥାନ୍ତା। ତାଙ୍କ ଅକାଳ ବିୟୋଗରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଶିକ୍ଷକ ନୀଳମାଧବ ବାରିକଙ୍କ ସମେତ ବହୁ ଗ୍ରାମବାସୀ ଶୋକପ୍ରକାଶ କରିଛନ୍ତି। ଦୁଇବର୍ଷ ତଳେ ସଂଜୟଙ୍କ ବାପାଙ୍କ ପରଲୋକ ହୋଇଥିଲା।

ସାପ କାମୁଡ଼ାରେ ମହିଳା ମୃତ
ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କୁମାରଗୁଡ଼ା ଗାଁରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଗୁଣପୁର ପଞ୍ଚାୟତ କୁମାରଗୁଡ଼ା ଗ୍ରାମର ଲାକାଦେଇ ମାଝୀ (୫୫) ମଙ୍ଗଳବାର ରାତିରେ ଶୋଇଥିବା ବେଳେ ପ୍ରାୟ ସାଢ଼େ ୧୧ଟାରେ ଏକ ସାପ କାମୁଡ଼ି ଦେଇଥିଲା। ଆଜି ସକାଳୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ଲାକାଦେଇଙ୍କ ସ୍ୱାମୀ ଗତ ୨ବର୍ଷ ତଳେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ଗୋଟିଏ ପୁଅ ଓ ୨ ଝିଅ ରହିଛନ୍ତି।

ତାମିଲନାଡ଼ୁରେ ଓଡ଼ିଆ ଦାଦନ ଶ୍ରମିକ ମୃତ
ପଣ୍ଡିଗାଁ: କଳାହାଣ୍ଡି ଜିଲ୍ଲା ଟେମରା ଗାଁର ଜଣେ ଯୁବକ ତାମିଲନାଡ଼ୁକୁ କାମ କରିବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ବୁଧବାର ସକାଳେ ଗାଁରେ ଶବ ପହଞ୍ଚିବା ପରେ ଶୋକାକୁଳ ପରିସ୍ଥିତିରେ ଅନ୍ତିମ ସତ୍କାର କରାଯାଇଛି। ପ୍ରକାଶ ଯେ, ଟେମରା ଗ୍ରାମର ସନ୍ତୋଷ ମାଝୀ ତାମିଲନାଡ଼ୁକୁ କାମ କରିବାକୁ ଯାଇ କୋଏମ୍ବାଟୁରର ଏକ କମ୍ପାନିରେ କାମ କରୁଥିଲେ। ଗତ ଶୁକ୍ରବାର ୱେଲ୍‌ଡିଂ କରୁଥିବା ସମୟରେ ବିଦ୍ୟୁତ୍ ସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ଅନ୍ୟ ଶ୍ରମିକମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନା ପାଇ ସମ୍ପର୍କୀୟମାନେ ସେଠାକୁ ଯାଇ ଗାଁକୁ ଶବ ଆଣିଥିବା ଜଣାପଡ଼ିଛି।