ରତ୍ନଗିରି: ଦେଢ଼ମାସ ହେଲା ହାଟକୁ ଯାଇନୁ। ପରିବାପତ୍ର କିଣିବାକୁ ଆଉ ସାମର୍ଥ୍ୟ ନାହିଁ। ରାସନ କାର୍ଡରେ ଯେଉଁ ଚାଉଳ ଗଣ୍ତାକ ମିଳିଥିଲା ଆଜି ପର୍ଯ୍ୟନ୍ତ ଚଳିଗଲୁ, ଆଉ ପାରୁନାହୁଁ। ଏବେ ସରକାର କିଛି ବିକଳ୍ପ ବ୍ୟବସ୍ଥା ନକଲେ ସମୂହ ପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଦେବୁ ବୋଲି କହିଛନ୍ତି ଦୁର୍ଦିନରେ ଥିବା ମତ୍ସ୍ୟଜୀବୀମାନେ।
ଗତ ଅଗଷ୍ଟ ୧୬ ତାରିଖ ଦିନ ଅମଠପୁର ପଞ୍ଚାୟତ ପାଲଟପୁର ଗ୍ରାମର ଅନାମ ଜେନାଙ୍କ ପତ୍ନୀଙ୍କୁ ବିରୂପା ନଦୀରେ ଲୁଗା ସଫା କରୁଥିବା ସମୟରେ କୁମ୍ଭୀର ଟାଣିନେଇ ସମସ୍ତଙ୍କ ଆଗରେ ଖାଇଦେଇଥିଲା। ସେହିଦିନଠାରୁ ଲଗାତାର କିଛିଦିନ ପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ ମାଇକ୍ ମାଧ୍ୟମରେ ନଦୀକୁ ନଯିବାକୁ ନଦୀକୂଳିଆ ଗ୍ରାମବାସୀଙ୍କୁ ସତର୍କ କରାଯାଇଥିଲା। ସେବେଠାରୁ ନଦୀକୂଳିଆ ଲୋକେ କୁମ୍ଭୀର ଭୟରେ ନଦୀକୁ ଯାଉନାହାନ୍ତି। ଏହାରଣ ପ୍ରଭାବରେ ବିରୂପା ନଦୀକୂଳରେ ରହିଥିବା ଅମଠପୁର ଗ୍ରାମରେ ପ୍ରାୟ ୫୦ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ ପରିବାର ଏବେ ଉପାସ ରହିବା ସ୍ଥିତିକୁ ଆସିଗଲେଣି। ସରକାରଙ୍କ ପକ୍ଷରୁ ଏମାନଙ୍କୁ ମତ୍ସ୍ୟଜୀବୀ ଭାବେ ଗଣତି କରାଯାଇଛି। ପରିବାରର ସଦସ୍ୟମାନେ ନିକଟରେ ଥିବା ବିରୂପା ନଦୀରେ ହୁଲିଡଙ୍ଗା ମାଧ୍ୟମରେ ମାଛ ମାରି ନିଜନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ବନ ବିଭାଗ ନଦୀକୁ ନଯିବାକୁ ପରାମର୍ଶ ଦେବା ଦିନଠାରୁ ସେମାନେ ଆଉ ମାଛ ମାରିବାକୁ ସାହସ ଜୁଟାଇ ପାରୁନାହାନ୍ତି। ଏଣେ ଜୀବିକା ହରାଇଥିବାରୁ ପରିବାର ଚଳାଇବା କଷ୍ଟ ହେଲାଣି।
ବନ ବିଭାଗ କେବଳ ଲୋକଙ୍କୁ ସତର୍କ କରାଇ କୁମ୍ଭକର୍ଣ୍ଣ ଦିଦ୍ରାରେ ଶୋଇଯାଇଛି ବୋଲି ଲୋକଙ୍କ ଅଭିଯୋଗ। କୁମ୍ଭୀର ଧରିବାକୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ପାଖରେ ଥିବା ହୁଲିଡଙ୍ଗାକୁ ବିକ୍ରି କରିବାକୁ ଯୋଜନା କଲେଣି। ଖୁବ୍ଶୀଘ୍ର କୁମ୍ଭୀରକୁ ଧରି ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ନଚେତ୍ ଆମ ପରିବାରକୁ ଆର୍ଥିକ ସହାୟତା ଦିଆଯାଉ ବୋଲି ଦାବି କରିଛନ୍ତି। ଏହାକୁ ଯଦି ବିଚାରକୁ ନିଆ ନଯାଏ ତେବେ ଆମେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ମତ୍ସ୍ୟଜୀବୀ ଭାଗୀରଥି ଦଳାଇ, ଅଭିରାମ ଦଳାଇ, ଚନ୍ଦ୍ରମଣି ଦଳାଇ, ସୁରେନ୍ଦ୍ର ଦଳାଇ, ବାବୁଲି ଦଳାଇ, ବିନୋଦ ଦଳାଇ, ଶଶିକାନ୍ତ ଦଳାଇ, କାଳନ୍ଦୀ ଦଳାଇ, ରମେଶ ଦଳାଇ, ବିପିନ ଦଳାଇ, କିଶୋର ଦଳାଇ, ଆଦିକନ୍ଦ ଦଳାଇ, ସାଗର ଦଳାଇ, ଟୁଲୁ ଦଳାଇ, ଅରକ୍ଷିତ ଦଳାଇ, ପରିକ୍ଷିତ ଦଳାଇ, ରବୀନ୍ଦ୍ର ଦଳାଇ, ମୁନା ଦଳାଇ, ସାଉଣ୍ଟା ଦଳାଇ, ଗୋଲକ ଦଳାଇ, ଅଲେଖ ଦଳାଇ, ମଣିଆ ଦଳାଇ ଓ ଗଣିଆ ଦଳାଇ ଚେତାବନୀ ଦେଇଛନ୍ତି।