ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ଉଦ୍ୟମ : ଅଖାରେ ପୂରାଇ ରେଙ୍ଗାଳି ଡ୍ୟାମ୍‌ରେ ଫିଙ୍ଗିବାକୁ ନେଉଥିଲେ, ପୁଲିସ ପହଞ୍ଚିବାରୁ ବିଲରେ ଛାଡ଼ି ଚାଲିଗଲେ, ୬ ଗିରଫ

ଡୁବୁରୀ : ଗୁଣି ଗାରେଡି କରୁଥିବା ସନ୍ଦେହକୁ ନେଇ ଜଣେ ବ୍ୟକ୍ତିଙ୍କୁ ଗ୍ରାମର କିଛି ଲୋକ ହାତଗୋଡ଼ ବାନ୍ଧି ଅଖାରେ ପୂରାଇ ଡ୍ୟାମ୍‌ରେ ଫିଙ୍ଗିବା ପାଇଁ ନେଉଥିଲେ। ତେବେ ପୁଲିସ ପହଞ୍ଚିଯିବାରୁ ଏକ ବିଲରେ ପକାଇ ଚାଲିଗଲେ। ଏହି ଘଟଣାରେ ପୁଲିସ କଳିଙ୍ଗନଗର ଥାନା ଅନ୍ତର୍ଗତ ରଙ୍ଗାହୁଡ଼ି ଗାଁର ୬ଜଣଙ୍କୁ ଗିରଫ କରିଛି।

ଘଟଣାରୁ ପ୍ରକାଶ ଯେ ରଙ୍ଗାହୁଡ଼ି ଗାଁର ଜଣେ ମହିଳା ଗୁଣି ଗାରେଡ଼ି କରୁଥିବା ନେଇ ଗାଁ ଲୋକେ ସନ୍ଦେହ କରି ଆସୁଥିଲେ। ଏହାକୁ ନେଇ ଶୁକ୍ରବାର ଦିନ ସଂପୃକ୍ତ ମହିଳାଙ୍କ ସହ ଗାଁର ଅନ୍ୟ କିଛି ମହିଳାଙ୍କ ଝଗଡ଼ା ହୋଇଥିଲା। ମହିଳା ଜଣକ ଗୁଣି ଗାରେଡ଼ି କରୁଥିବା ଯୋଗୁଁ ଗାଁର ଅନେକ ପିଲା ଇତିମଧ୍ୟରେ ମୃତ୍ୟୁବରଣ କରିଥିବା ନେଇ ଅଭିଯୋଗ କରି ତାଙ୍କୁ ଗାଁରୁ ତଡ଼ିଦେବା ପାଇଁ ଦାବି କରିଥିଲେ। ଏହାକୁ ନେଇ ଦୀର୍ଘ ସମୟ ଧରି ଯୁକ୍ତିତର୍କ ହେବା ପରେ ମହିଳାମାନେ ନିଜ ନିଜ ଘରକୁ ଚାଲି ଯାଇଥିଲେ। ତେବେ ପରବର୍ତ୍ତୀ ସମୟରେ ଗାଁର କେତେକ ଲୋକେ ସଂପୃକ୍ତ ମହିଳାଙ୍କ ଘରକୁ ଯାଇ ତାଙ୍କ ସ୍ୱାମୀ ଗୌରାଙ୍ଗ ଚାତାରଙ୍କୁ ଘରୁ ଉଠେଇ ଆଣି ଗାଁ ଦାଣ୍ଡରେ ପ୍ରବଳ ମାଡ଼ ମାରିଥିଲେ। ଏହାପରେ ଗୌରାଙ୍ଗର ହାତ ଗୋଡ଼ ବାନ୍ଧି ଏକ ଅଖାରେ ଭର୍ତ୍ତି କରି ନିକଟସ୍ଥ ରେଙ୍ଗାଲି ଡ୍ୟାମ୍‌ରେ ଫୋପାଡ଼ି ଦେବାକୁ ନେଇଥିଲେ।

ତେବେ କୌଣସି ସୂତ୍ରରୁ ଖବର ପାଇ କଳିଙ୍ଗନଗର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଅଖାରେ ଭର୍ତ୍ତି ହୋଇଥିବା ଗୌରାଙ୍ଗକୁ ଏକ ବିଲ୍‌ରେ ଛାଡ଼ି ଦେଇ ଫେରାର୍‌ ହୋଇ ଯାଇଥିଲେ। ଏହି ଘଟଣାକୁ ନେଇ କଳିଙ୍ଗନଗର ଥାନାଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କ ନେତୃତ୍ୱରେ ପୁଲିସ୍‌ ଗତକାଲି ବିଳମ୍ବିତ ରାତିରେ ରଙ୍ଗାହୁଡ଼ି ଗ୍ରାମରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଥିଲେ। ଗିରଫ ବ୍ୟକ୍ତିମାନେ ଝେମଟାହୁଡ଼ିର ମହେନ୍ଦ୍ର ବାଲମୁଚ(୩୦), ରଙ୍ଗାହୁଡ଼ି ଗାଁର ବୁଦ୍ଦୁରାମ ଚାତାର (୩୦), ଡୋଲ ଚାତାର (୩୫), ଭୀମ ଚାତାର (୨୪), ଜଗବନ୍ଧୁ ବାଲମୁଚ (୩୫), ଅଙ୍କୁରାପାଳର ତୁଫାନ୍‌ ଜାମୁଦା (୨୪)। ଗିରଫ ଯୁବକଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର