ବ୍ୟାସନଗର: ଯାଜପୁରରୋଡ ଥାନା ଅନ୍ତର୍ଗତ କଙ୍କଡ଼ାଝର ଜଙ୍ଗଲରୁ ପୁଲିସ ୫ଜଣ ଡକାୟତଙ୍କୁ ଗିରଫ କରିଛି। ଗତକାଲି ଭୋର ସାଢ଼େ ୬ଟା ବେଳେ ଅଭିଯୁକ୍ତମାନେ ଏହି ଜଙ୍ଗଲରେ ବସି ସ୍ଥାନୀୟ ଅଞ୍ଚଳରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଯାଜପୁରରୋଡ ପୁଲିସ ସେଠାରେ ଚଢ଼ଉ କରିଥିଲା। ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ଗୋଟିଏ ମୋବାଇଲ୍ ଫୋନ, ଗୋଟିଏ କତା ଓ ଦୁଇଟି ବାଇକ୍ ଜବତ କରାଯାଇଛି।
ଅଭିଯୁକ୍ତମାନେ ହେଲେ ଏହି ଥାନା ଅନ୍ତର୍ଗତ ଧବଳଗିରି ଗ୍ରାମର ରୁପା ଗାଗରାଇଙ୍କ ପୁଅ ସାଗର ଓରଫ ଭାଲୁ(୧୯), ଦାନଗଦୀ ଗ୍ରାମର ରବୀନ୍ଦ୍ର ମହାକୁଡ଼ଙ୍କ ଦୁଇପୁଅ ରାଜେଶ ଓରଫ ବିଟୁ(୨୬) ଓ ଦିନେଶ ଓରଫ ଲିଟୁ, ବିଷ୍ଣୁ ଚରଣ ସେଠୀଙ୍କ ପୁଅ ବୁନୁ ଓରଫ ବିକାଶ(୧୯), ବାଇଧର ସେଠୀଙ୍କ ପୁଅ ଦୀପକ(୨୦), ନରହରି ଦାସଙ୍କ ପୁଅ ଅନିଲ(୨୦), ଯାଜପୁରରୋଡ ଥାନା ଅନ୍ତର୍ଗତ ଧୂଳିଗଡ଼ ଗ୍ରାମର ନିର ଦେହୁରୀଙ୍କ ପୁଅ ସତ୍ୟବ୍ରତ ଓରଫ ପୁପୁନ(୨୫), ଏହି ଥାନା ଅନ୍ତର୍ଗତ ଲକ୍ଷ୍ମୀନଗର(ତରାପୁର) ଗ୍ରାମର ବଟକୃଷ୍ଣ ସାହୁଙ୍କ ପୁଅ ସିଦ୍ଧେଶ୍ବର ଓରଫ ଶ୍ରୀଧର(୩୨)।
ଅଭିଯୁକ୍ତମାନେ ବିଭିନ୍ନ ଥାନାରେ ଏକାଧିକ ମାମଲାରେ ଜଡ଼ିତ ଥିବା ପୁଲିସ ସୂଚନା ଦେଇଛି। ସେମାନେ ବ୍ୟବହାର କରୁଥିବା ଓଡି-୦୬ଜି-୯୯୬୨ ନମ୍ବର ନୀଳ ଓ କଳା ରଙ୍ଗର ପଲସର୍ ଏବଂ ନମ୍ବର ପ୍ଲେଟ୍ ଭଙ୍ଗା ଧଳା ରଙ୍ଗର ସୁଜୁକି ବାଇକ୍କୁ ପୁଲିସ ଜବତ କରିଛି। ଯାଜପୁରରୋଡ ଥାନା ଏସ୍ଆଇ ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନଙ୍କ ଅଭିଯୋଗ ଆଧାରରେ ଥାନା କେସ୍ ନମ୍ବର ୪୭୧/୨୪ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/jaj-1.jpg)