ଏଟିଏମ୍‌ରୁ ୮୦ ହଜାର ଟଙ୍କା ଗାଏବ୍‌

ଯୋକଡ଼ିଆ : ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ଏଟିଏମ୍‌ କାଉଣ୍ଟର୍‌ରେ ଲୁଟେରା ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟ୍‌ରୁ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏନେଇ ଧର୍ମଶାଳା ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ କୁଆଖିଆ ଥାନା ସିଂହାପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଦର୍ଶନ ସାହୁ ଗତ ୧୮ ତାରିଖରେ ବାରବାଟୀ ଠାରେ ଥିବା ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଉଠାଉ ଥିବା ବେଳେ ଜଣେ ଠକ ହାବୁଡ଼ରେ ପଡିଥିଲେ। ଶ୍ରୀ ସାହୁ ଏହି ଏଟିଏମ୍‌ରେ ଟଙ୍କା ଉଠାଇବାକୁ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ଜଣେ ଯୁବକ ସହାୟତା କରିବାକୁ କହି ପ୍ରଥମେ ଏଟିଏମ୍‌ କାର୍ଡଟିକୁ ବଦଳାଇ ଦେଇଥିଲା। ପରେ ସିକ୍ରେଟ (ଗୁପ୍ତ) ନମ୍ବର ପାଇବା ପରେ ଲୁଟେରା ଜଣକ ଏକ କାର୍‌ରେ ଜାରକା ପଳାଇ ଯାଇଥିଲା। ଲୁଟେରା ଜଣକ ଏଟିଏମ୍‌ କାର୍ଡ ଓ ସିକ୍ରେଟ୍‌ ନମ୍ବର ନେଇ ପଳାଇଯିବା ପରେ ଭିନ୍ନଭିନ୍ନ ଏଟିଏମ୍‌ରୁ ଦୁଇଦୁଇ ଥର ୨୦ ହଜାର କରି ୪୦ ହଜାର ଏବଂ ଆଉ ଥରେ ୪୦ ହଜାର ମୋଟ୍‌ ୮୦ ହଜାର ଟଙ୍କା
ଅନ୍ୟ ଏକ ଆକାଉଣ୍ଟକୁ ଟ୍ରାନ୍ସଫର୍‌ କରିଥିଲେ।
ଅନ୍ୟପକ୍ଷରେ, ଶ୍ରୀ ସାହୁଙ୍କୁ ଦେଇଯାଇଥିବା ଏଟିଏମ୍‌ କାର୍ଡଟି ଢେଙ୍କାନାଳର ଶରତ ସାହୁଙ୍କ ନାମରେ ଥିବା ଜଣାପଡ଼ିଛି। ଧର୍ମଶାଳା ଥାନାରେ ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁକରି ତଦନ୍ତ ଚଳାଇଛି। ବ୍ୟାଙ୍କ୍‌ ସିସି କ୍ୟାମେରାରେ ଲୁଟେରାର ସଂପୂର୍ଣ ଭିଡିଓ ଫୁଟେଜ୍‌ ଓ ଫଟୋ ଚିତ୍ର ମିଳିଥିଲେ ମଧ୍ୟ ଅଦ୍ୟାବଧି ପୁଲିସ୍‌ ଲୁଟେରାକୁ ଠାବ କରି ପାରିନାହିଁ। ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ବୋଲି ଥାନାଧିକାରୀ ଅମିତାଭ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର