କାଳିଆପାଣି (ରବି ନାରାୟଣ କର): ଶତ ପ୍ରତିଶତ ଦିବ୍ୟାଙ୍ଗ ହେଲେ ବି ସବୁ ସରକାରୀ ସହାୟତାରୁ ବଞ୍ଚିତ ରହିଛନ୍ତି ଆଦିବାସୀ ତରୁଣ ବୁଦ୍ଧିରାମ। ୧୭ ବର୍ଷ ଧରି ସେ ଡବା ଶିଶୁଖାଦ୍ୟ କେବଳ ଲାକ୍ଟୋଜେନ ଖାଇ ବଞ୍ଚିରହିଛନ୍ତି। ଅଭିଶପ୍ତ ଅଲୋଡ଼ା ଶୈଶବ ଓ କୈଶୋର ପରେ ବୁଦ୍ଧିରାମଙ୍କ ତରୁଣ ଅବସ୍ଥା ବି ଦୟନୀୟ। ଯାହାକି ସାରା ପରିବାର ପାଇଁ ବୋଝ ପାଲଟିବା ସହ ଆର୍ଥିକ, ମାନସିକ ଓ ଶାରିରୀକ ପୀଡ଼ାର କାରଣ ହୋଇଛି। ଖେଳବୁଲା ଓ ପାଠପଢ଼ା ବୟସରେ ବି ସେ ଭୂଇଁରୁ ଉଠୁନାହାନ୍ତି। ମାଆ କୋଳ କିମ୍ବା ବିଛଣା ଛାଡ଼ୁନାହାନ୍ତି। ବିଭିନ୍ନ ପ୍ରକାର କାନ୍ଦରେ ମନର ଭାବ ପ୍ରକାଶ କରିବା ଛଡ଼ା ତାଙ୍କର ଆଉ କିଛି ସାମର୍ଥ୍ୟ ନାହିଁ। ଶହେ ପ୍ରତିଶତ ଦିବ୍ୟାଙ୍ଗ ହୋଇ ମାସିକ ୩୫୦୦ ଟଙ୍କା ଭତ୍ତା ପାଇବାକୁ ହକ୍ଦାର ହେଲେ ହେଁ ବୁଦ୍ଧିରାମ ୧୭ ବର୍ଷ ଧରି ଏଥିରୁ ବଞ୍ଚିତ ରହିଥିବା ଅଭିଯୋଗ ହୁଏ।
ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅଫିସ ପାଖ କଣ୍ଟାବଣି ସାହିର ଆଦିବାସୀ ଯୁବକ ମଧୁ ମାରାଣ୍ଡିଙ୍କ ତୃତୀୟ ସନ୍ତାନ ବୁଦ୍ଧିରାମ। ଦିନକୁ ସେ ୫ ରୁ ୬ ଥର ସେ ଖାଇବାକୁ ଅଳି କରୁଛି, ଖାଇବାକୁ ନଦେଲେ ରାହା ଛାଡ଼ି କାନ୍ଦୁଛି ବୋଲି ମାଆ ବାସନ୍ତୀ କହନ୍ତି। ଲାକ୍ଟୋଜେନ ବ୍ୟତୀତ ଅନ୍ୟ କୌଣସି ଖାଦ୍ୟ ତା’ ତଣ୍ଟିରେ ଗଳୁନି କି’ ତାକୁ ରୁଚୁନି। ବୁଦ୍ଧିରାମ ପାଇଁ ମାସକୁ ତାଙ୍କୁ ୧୨ ରୁ ୧୩ଟି ଲାକ୍ଟୋଜେନ-୪ କିଣିବାକୁ ପଡ଼ୁଛି ବୋଲି ମଧୁ କହନ୍ତି। ଏବେ ଗୋଟିଏ ଡବାକୁ ୪୯୦ ଟଙ୍କା ଦରରେ କେବଳ ବୁଦ୍ଧିରାମର ଖାଦ୍ୟ ପାଇଁ ପ୍ରତିମାସ ତାଙ୍କୁ ୬ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି ବୋଲି ସେ କହନ୍ତି। ପୁଣି ବର୍ଷ ସାରା ରୋଗୀଣା ବୁଦ୍ଧିରାମକୁ ସାଧାରଣ ଝାଡ଼ାବାନ୍ତି ଲାଗି ରହିଥିବା କହି ମଧୁ ପୁଅ ପାଇଁ ଲମ୍ବା ଖର୍ଚ୍ଚ ତାଲିକା ଦେଖାଇ ମନଦୁଃଖ କରନ୍ତି। ଜଙ୍ଗଲ ପାଖ ଓ ଖୋଲାମେଲା ପରିବେଶରେ ରହୁଥିବା ତାଙ୍କ ଘର ପାଖେ ପୁଣି ବୁଲା କୁକୁର ଓ ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବ ରହିଛି। ପୁଅର ଏହି ଅବସ୍ଥା ପାଇଁ ସବୁବେଳେ ଜଗିବାକୁ ପଡ଼ୁଥିବା କହନ୍ତି ମାଆ ବାସନ୍ତୀ।
୬ ବର୍ଷ ତଳୁ ଟାଟା ଖଣିରୁ ଛଟେଇ ହୋଇ ବେରୋଜଗାର ଥିବା ମଧୁଙ୍କ ପାଇଁ ବୁଦ୍ଧିରାମ ବୋଝ ଉପରେ ନଳିତାବିଡ଼ା। ପରିବାରର ଆର୍ଥିକ ଦୁଃସ୍ଥିତି ପାଇଁ ବଡ଼ଝିଅ ଲକ୍ଷ୍ମୀ ଯୁକ୍ତ ୨ ପାସ୍ ପରେ ପାଠଛାଡ଼ି ମୂଲ ଲାଗୁଛନ୍ତି। ଦ୍ବିତୀୟ ସନ୍ତାନ ଖୁଦୀରାମ ମୂଲ ମଜୁରି କରି ନିଜସ୍ବ ଖର୍ଚ୍ଚରେ ଯୁକ୍ତ ୩ ପଢ଼ୁଛନ୍ତି। ସାନପୁଅ ଶ୍ରୀଧର(୧୪) ଓ ସାନଝିଅ ବିଜେତା(୧୨) ଗାଁ ପାଖ ସ୍କୁଲରେ ପଢ଼ୁଛନ୍ତି। ଶାରିରୀକ ଅବସ୍ଥା ଓ ମାନସିକ ସ୍ଥିତି ଆଧାରରେ ବୁଦ୍ଧିରାମ ସଂପୂର୍ଣ୍ଣ ଦିବ୍ୟାଙ୍ଗ ହେଲେ ମଧ୍ୟ ଭତ୍ତାରୁ ବଞ୍ଚିତ ହୋଇରହିଛନ୍ତି। ନିଜସ୍ବ ଖର୍ଚ୍ଚରେ ସ୍ବତନ୍ତ୍ର ଗାଡ଼ିଭଡ଼ା କରି ୩ ବର୍ଷ ତଳେ ସୁକିନ୍ଦା ଓ ୮ବର୍ଷ ତଳେ ବୁଦ୍ଧିରାମକୁ ଦାନଗଦୀ ଭୀମଭୋଇ ସାମର୍ଥ୍ୟ ଶିବିର ନିଆଯାଇଥିଲେ ହେଁ କିଛି ଲାଭ ହୋଇନଥିବା ଦର୍ଶାଇ ମଧୁ କ୍ଷୋଭ ପ୍ରକାଶ କରିଛନ୍ତି। ଆଖିର ଫଟୋ ଓ ଆଙ୍ଗୁଠି ଛାପ ନେବା ସମ୍ଭବ ହେଉନଥିବା ପରିପ୍ରେକ୍ଷୀରେ ଆଧାରକାର୍ଡ ପ୍ରସ୍ତୁତିରେ ବାଧକ ହୋଇଛି। ଆଧାରକାର୍ଡ ନଥିବାରୁ ତାଙ୍କୁ ସରକାରୀ ସହାୟତା ମିଳିପାରୁନଥିବା ଦର୍ଶାଇ ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କ ଦରଖାସ୍ତକୁ ବାରମ୍ବାର ଫେରାଇ ଦେଉଛନ୍ତି ବୋଲି ବଡ଼ଭଉଣୀ ଲକ୍ଷ୍ମୀ ଅଭିଯୋଗ କରନ୍ତି।
ଏ ସଂପର୍କରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମିନତି ରାଉତଙ୍କୁ ଭେଟି ପଚାରିବାରେ ସ୍ବତନ୍ତ୍ର ବର୍ଗର ଦିବ୍ୟାଙ୍ଗ ବୁଦ୍ଧିରାମଙ୍କୁ ସହାୟତା ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ।**(ଫଟୋଅଛି)*
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/06/untitled-31jpg-2026-02-06-19-50-41.jpeg)