ଜାଜୀୟ ରାଜପଥରେ ବଢ଼ୁଛି ଦୁର୍ଘଟଣା, ନିର୍ମାଣାଧୀନ ଓଭରବ୍ରିଜ୍ କାମ ସାରିବାକୁ ଦାବି

ରସୁଲପୁର: ରସୁଲପୁର ବ୍ଲକ୍ ଛକ ପାଖରୁ ଅଳ୍ପ ଦୂରରେ ୧୬ ନଂ. ଜାତୀୟ ରାଜପଥ ଉପରେ ଆଜି ଭୋର ସମୟରେ ଏକ ଗୋଖାଦ୍ୟ ବୋଝେଇ ଟ୍ରକ୍ (ଡବ୍ଲ୍ୟୁବି ୪୧ଏଫ୍ ୮୦୨୭) ଓଲଟି ପଡ଼ିଥିଲା। ଏହି ଟ୍ରକ୍‌ଟି ହାଇଦ୍ରାବାଦରୁ ଗୋଖାଦ୍ୟ ବୋଝେଇ କରି ପଶ୍ଚିମବଙ୍ଗର ବର୍ଦ୍ଧମାନ ଅଭିମୁଖେ ଯାଉଥିଲା। ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର୍ ଆହତ ହୋଇଛନ୍ତି। ଦୁର୍ଘଟଣା ସ୍ଥାନରେ ଗାଡ଼ି ଚଳାଚଳ ବନ୍ଦ ରହିବାରୁ ସମସ୍ୟା ହୋଇଥିଲା। ରାଜପଥ ପାଟ୍ରୋଲିଂ ଟିମ୍ ଓ ପୁଲିସ ପହଞ୍ଚି ରାସ୍ତାରୁ ଗାଡ଼ିଟି ଉଠାଇବା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା। ଗତବର୍ଷ ଜୁଲାଇ ମାସରେ ଏହି ସ୍ଥାନରେ ଥିବା ଏକ ପୋଲ ଭାଙ୍ଗିଯିବା କାରଣରୁ ଏ ପର୍ଯ୍ୟନ୍ତ ଏଠାରେ ରାସ୍ତା ଅବରୋଧ ହୋଇଛି। ଗତ ୧୧ ତାରିଖ ରାତିରେ ରାସ୍ତା ଜାଣି ନପାରି ଏହି ଭଙ୍ଗା ପୋଲ ଉପରକୁ ବାଇକ ନେଇଯିବାରୁ ପଡ଼ିଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।

ପୋଲ ନିର୍ମାଣ କାର୍ଯ୍ୟ ଅତି ମନ୍ଥର ଗତିରେ ହେଉଥିବାରୁ ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ବ ଦେଉନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏଠାରୁ ପ୍ରାୟ ୫୦୦ ମିଟର ଦୂର ବାହାଦଲାପୁର ଛକ ନିକଟରେ ଏକ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏଠାରେ ଏକପାଖିଆ ରାସ୍ତାରେ ଗାଡ଼ି ଚଳାଚଳରେ ଖୁବ୍ ସମସ୍ୟା ହେଉଛି ଏବଂ ବାରମ୍ବାର ଦୁର୍ଘଟଣା ଘଟୁଛି। ଯଥାଶୀଘ୍ର ଏହି ପୋଲ ନିର୍ମାଣ ସହିତ ବାହାଦଲାପୁର ଛକ ନିକଟରେ ନିର୍ମାଣାଧୀନ ଓଭରବ୍ରିଜ୍ କାମ ସାରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର