ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଦୁୁର୍ଘଟଣାରେ ପ୍ରାୟ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହାଛଡ଼ା ପ୍ରାୟ ୩ ଜଣ ଗୁରୁତର ହୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।

Advertisment

ପାଣି ଟାଙ୍କି ଶିଡ଼ିରୁ ଖସି ଯୁବକ ମୃତ
ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ଜାମୁଯୋଡ଼ି ପଞ୍ଚାୟତ ମେଦିନପୁର ଗ୍ରାମର ସ୍ବର୍ଗତ ଗିରିଧାରୀ ମହାନ୍ତଙ୍କ ପୁଅ ଟଙ୍କଧର (୨୨) ଆଜି ସନ୍ଧ୍ୟା ୬ଟାବେଳ  ହାତୀ ଭୟରେ ଓଭରହେଡ୍‌ ପାଣିଟାଙ୍କି ଉପରକୁ ଚଢ଼ିବା ବେଳେ ଶିଡ଼ିରୁ ଖସି ପଡ଼ି ପ୍ରାଣ ହରାଇଛନ୍ତି। ସନ୍ଧ୍ୟାରେ ଟଙ୍କଧର ସାଙ୍ଗମାନଙ୍କ ସହ ଧାନବିଲ ଆଡ଼େ ଯାଇଥିଲେ। ହଠାତ୍‌ ଜଙ୍ଗଲରୁ ଏକ ହାତୀ ଧାନ ଫସଲ ଖାଇବା ପାଇଁ ବାହାରି ଆସିଥିଲା। ଫଳରେ ସମସ୍ତେ ଭୟରେ ଏଣେତେଣେ ଦୌଡ଼ିଥିଲେ। ଟଙ୍କଧର ଗ୍ରାମରେ ନିର୍ମାଣ ହୋଇଥିବା ବୃହତ ପାନୀୟଜଳ ପ୍ରକଳ୍ପର ପାଣିଟାଙ୍କି ଉପରେ ଚଢ଼ିବାକୁ ଉଦ୍ୟମ କରିଥିଲେ। ଶିଡ଼ିରେ ପାଣିଟାଙ୍କି ଉପରକୁ ଚଢ଼ୁଥିବା ବେଳେ କିଛିଅଂଶ ଭାଙ୍ଗିଯିବାରୁ ସେ ୩୦ ଫୁଟ ତଳକୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହରିଚନ୍ଦନପୁର ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ଟଙ୍କଧରଙ୍କ ବାପା ଗିରିଧାରୀ ୧୦ ବର୍ଷ ତଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ।

ଟ୍ରକ ଓଲଟି ଚାଳକ ମୃତ
କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ୍‌ ୨୦ ନମ୍ବର ଜାତୀୟ ରାଜପଥର ଗୋପାଳପୁର-ନେକଡ଼ାଘର ନିକଟରେ ଆଜି ସକାଳେ ଏକ ଲୁହାପଥର ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଟ୍ରକ୍‌ର ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭଦ୍ରକ ଜିଲ୍ଲା ଗନଶିଳା ଗ୍ରାମର ଦରାଦର ମଲ୍ଲିକଙ୍କ ପୁଅ ପ୍ରଭାଂଶୁ ମଲ୍ଲିକ। ଟ୍ରକ୍‌ ଓଲଟି ପଡ଼ିବାରୁ ସେ ଷ୍ଟୟରିଂ ମଝିରେ ଚାପି ହୋଇ ରହିଯାଇଥିଲେ। ଫଳରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ କେନ୍ଦୁଝର ସଦର ଥାନା ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ମୃତକଙ୍କ ପରିବାର ଲୋକେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି।

ଟ୍ରକ ଧକ୍କାରେ ସ୍ତ୍ରୀ ମୃତ: ସ୍ବାମୀ ଓ ଶିଶୁକନ୍ୟା ଗୁରୁତର
ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବୈତରଣୀ ପୋଲ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌କୁ ଏକ ଟ୍ରକ୍‌ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ସ୍ବାମୀ ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଘଟଗାଁ ଥାନା ଗୋବରାବେଡ଼ା ଗ୍ରାମର ମଲ୍ଲୀ ନାଏକ।
ଗୋବରାବେଡ଼ା ଗ୍ରାମର ପ୍ରାଣବନ୍ଧୁ ନାଏକ, ପତ୍ନୀ ମଲ୍ଲୀ ଓ ୯ ମାସର ଝିଅକୁ ନେଇ ଏକ ବାଇକ୍‌ରେ ତୁରୁମୁଙ୍ଗା ଆଡ଼କୁ ଯାଉଥିଲେ। ବୈତରଣୀ ପୋଲ ନିକଟରେ ଏକ ବାଇକ୍‌କୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମଲ୍ଲୀଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାଣବନ୍ଧୁ ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବାପାଝିଅଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଚଢ଼େଇଭୋଳ ପୁଲିସ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଟ୍ରାକ୍ଟର ଓଲଟି ଜଣେ ମୃତ

କୋଲାବିରା: କୋଲାବିରା ଥାନା ଅନ୍ତର୍ଗତ କୁଲିହାମାଲର ଗୋକୁଳା ନାଏକଙ୍କ ଟ୍ରାକ୍ଟର (ଓଡି ୨୩ପି-୪୦୮୧) ରାଶି ବୁଣିବା ପାଇଁ  ଲରିଆପାଲି ଯାଇଥିଲା। ଫେରିବା ସମୟରେ ରାସ୍ତାରେ ରାତି ପ୍ରାୟ ୯ଟାରେ ଓଲଟି ପଡିଥିବା ବେଳେ ଡ୍ରାଇଭର ସନ୍ତୋଷ ଖର୍ସେଲ (ବମ) ଓ ଗାଡ଼ି ମାଲିକଙ୍କ ଭାଇ ମାନସ ନାଏକ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ସନ୍ତୋଷ ଖର୍ସେଲଙ୍କୁ ମୃତ ଘୋଷଣା କରିଥିଲେ। କୋଲାବିରା ପୁଲିସ୍ ଟ୍ରାକ୍ଟର ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଏସ୍‌ଆଇ ସନ୍ତୋଷ ପ୍ରଧାନ କହିଛନ୍ତି।

ସାପ କାମୁଡ଼ାରେ ବୃଦ୍ଧ ମୃତ
କବାଟବନ୍ଧ/ଚଢ଼େଇଧରା: ଜେନାପୁର ଥାନା ଅନ୍ତର୍ଗତ କୃଷ୍ଣପଶି ଗ୍ରାମର ସ୍ବର୍ଗତ ଶ୍ରୀରାମ ସାମଲଙ୍କ ପୁଅ ଶ୍ରୀହରି ସାମଲ(୬୯)ଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଯାଇଛି। ଶ୍ରୀହରି ତାଙ୍କ ବିଲରେ କାମ କରୁଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜେନାପୁର ପୁଲିସ ୨୧/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇଥିବା ଏସ୍‌ଆଇ ସୌମ୍ୟରଞ୍ଜନ ଭୋଳ ସୂଚନା ଦେଇଛନ୍ତି।

ପୋଖରୀରେ ବୁଡ଼ି ନାବାଳକ ମୃତ
ଦାନଗଦୀ : କଳିଙ୍ଗନଗର ଥାନା ଅନ୍ତର୍ଗତ ରଣାଗୁଣ୍ଡି ପଞ୍ଚାୟତ ମଣ୍ଡପଡ଼ା ଗ୍ରାମର ମୁରଲୀ ବେହେରାଙ୍କ ଝିଅ ପଦ୍ମାବତୀ(୧୨)ଙ୍କର ଆଜି ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ପଦ୍ମାବତୀ ସାଙ୍ଗମାନଙ୍କ ସହ ଗାଁ ପୋଖରୀରେ ଗାଧୋଉଥିବା ସମୟରେ ପାଣିରେ ବୁଡ଼ି ଯାଇଥିଲେ। ନିକଟରେ ଥିବା ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପାଟି ଶୁଣି କିଛିଲୋକ ପହଞ୍ଚି  ଏହି ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କଳିଙ୍ଗନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ୧୮/୨୩ରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁହୋଇଛି।

୨୦ ଫୁଟ ତଳକୁ ଖସିଲା କାର
ଆନନ୍ଦପୁର: ୨୦ନମ୍ବର ଜାତୀୟ ରାଜପଥ ଘସିପୁରା ଓଭରବ୍ରିଜ୍ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ୨୦ ଫୁଟ୍ ତଳକୁ ଖସି ପଡ଼ିଛି। ଗାଡ଼ିର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାର୍‌ଟି କେନ୍ଦୁଝରରୁ ଯାଜପୁର ଆଡ଼କୁ ଯାଉଥିଲା। ସକାଳ ସାଢ଼େ ୬ଟା ସମୟରେ ପଛରୁ ଆସୁଥିବା ଏକ ୧୨ଚକିଆ ଲୁହାପଥର ବୋଝେଇ ଟ୍ରକ୍‌ ଧକ୍କା ଦେବାରୁ କାର୍‌ଟି ଓଲଟି ପଡ଼ିଥିବା ଜଣାପଡ଼ିଛି। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ଟି ଫେରାର ହୋଇଯାଇଛି। ଘସିପୁରା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହିତ ଦୁର୍ଘଟଣା ଘଟାଇଥିବା ଟ୍ରକ‌୍‌କୁ ଠାବ କରିବା ପାଇଁ ତଦନ୍ତ ଜାରି ରଖିଛି।