ଯାଜପୁରସଦର: ବିଳମ୍ବିତ ରାତିରେ ଯୁବତୀଙ୍କୁ ପୋଲ ଉପରୁ ନଈକୁ ଠେଲି ଦିଆଗଲା। ପାଟ୍ରୋଲିଂ କରୁଥିବା ପୁଲିସ ଦେଖିଲା। ପାଖରେ ପନିପରିବା ଚାଷ ଜଗିଥିବା ଚାଷୀ ବି ଚିତ୍କାର ଶୁଣି ପହଞ୍ଚିଗଲେ। ଏମାନଙ୍କୁ ଦେଖି ଦୁର୍ବୃତ୍ତ ଚମ୍ପଟ ମାରିଲା। ଆଖି ସାମ୍ନାରେ ନଈରେ ବୁଡ଼ି ଯାଉଥିବା ଯୁବତୀଙ୍କୁ ପୁଲିସ ଉଦ୍ଧାର କରିପାରିଲାନି। ଓଡ୍ରାଫ୍ ଟିମ୍ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଯୁବତୀଙ୍କ ପତ୍ତା ପାଇଲେନି। ଘଟଣାକୁ ପାଞ୍ଚ ଦିନ ବିତିଯାଇଥିବା ବେଳେ ଏହା ଏବେ କୁହେଳିକାମୟ ହୋଇଯାଇଛି। ନିଖୋଜ ଯୁବତୀ ମିଳୁନି କି ଦୁର୍ବୃତ୍ତଙ୍କ ପତ୍ତା ମିଳୁନି। ଏଭଳି ସ୍ଥିତିରେ ପୁଲିସ ମଧ୍ୟ ଚୁପ୍ ରହିଯାଇଛି। ଏହି ଘଟଣାକୁ ଏବେ କେହି କେହି ମିଛ ବୋଲି ମଧ୍ୟ କହିବା ଆରମ୍ଭ କଲେଣି। ଯାଜପୁର ସଦର ଥାନା ଅନ୍ତର୍ଗତ ଖରସ୍ରୋତା ନଦୀ ପୋଲ ଉପରେ ଏଭଳି ଘଟଣା ଘଟିଥିବା ବେଳେ ପୁଲିସ ନିଜ ଆଖିରେ ଏହି ଦୃଶ୍ୟକୁ ଦେଖିଥିବା କହୁଛି। ୫ ଦିନ ପରେ ଯୁବତୀଙ୍କ ବଞ୍ଚିବା ଆଶା କ୍ଷୀଣ। ତେବେ ଶବ ଏଯାଏଁ ଉଦ୍ଧାର ହୋଇପାରି ନଥିବାରୁ ପୁଲିସର ତଦନ୍ତ ଅଟକି ଯାଇଛି। ଏଭଳି କି ଜିଲ୍ଲାର କୌଣସି ଥାନାରେ ଏହି ସମୟ ମଧ୍ୟରେ ଯୁବତୀ ନିଖୋଜ ନେଇ ଏତଲା ହୋଇ ନଥିବାରୁ ଏହି ଘଟଣା ଅଧିକ ରହସ୍ୟାବୃତ୍ତ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ ଗତ ୭ ତାରିଖ ରାତିରେ ଯାଜପୁର ସଦର ଥାନା ପକ୍ଷରୁ ଏଏସ୍ଆଇ ଲମ୍ବୋଦର ଜେନା ସହଯୋଗୀଙ୍କ ସହ ପାଟ୍ରୋଲିଂ କରୁଥିଲେ। ସେହି ସମୟରେ ଖରସ୍ରୋତା ନଦୀ ପୋଲ ନିକଟରେ ଜଣେ ଯୁବତୀଙ୍କ ଚିତ୍କାର ଶୁଣି ପହଞ୍ଚିଥିଲେ। ଟର୍ଚ ଜାଳି ଦେଖିବା ବେଳେ ନଦୀରେ ଏକ ଯୁବତୀ ଭାସି ଯାଉଥିଲେ। ପ୍ରଖର ସ୍ରୋତ ଯୋଗୁଁ ଉଦ୍ଧାର କରି ନପାରି ଯାଜପୁର ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ୍କୁ ଖବର ଦେଇଥିଲେ। ଏହାପର ଠାରୁ ଲଗାତର ଭାବେ ନଦୀରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ ଯୁବତୀଙ୍କ ପତ୍ତା ମିଳିପାରିନି। ଏ ନେଇ ଯାଜପୁର ସଦର ଥାନା ଭାରପ୍ରାପ୍ତ ଅଧିକାରୀ ମନୋରଂଜନ ଦାସ କହିଛନ୍ତି ଜିଲ୍ଲାର କୌଣସି ଥାନାରେ ଯୁବତୀ ନିଖୋଜ ନେଇ କୌଣସି ଅଭିଯୋଗ ହୋଇନାହିଁ। ଆମର ଚେଷ୍ଟା ସତ୍ତ୍ୱେ ନିଖୋଜ ଯୁବତୀଙ୍କୁ ଉଦ୍ଧାର କରାଯାଇପାରିନାହିଁ। ମୃତ ଦେହ ମିଳୁନଥିବାରୁ ତଦନ୍ତ ଆଗେଇ ପାରୁନି ବୋଲି ସେ କହିଛନ୍ତି।
ନଦୀରେ ଯୁବତୀଙ୍କୁ ଠେଲିଦେବା ଘଟଣା:ଯୁବତୀ ମିଳିଲେନି, ଦୁର୍ବୃତ୍ତ ଧରାପଡିଲାନି
/sambad/media/post_attachments/wp-content/uploads/2018/06/bansadhara-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)