କାଳିଆପାଣି (ରବି ନାରାୟଣ କର): ନଗଡ଼ା ପଡ଼ୋଶୀ ତୁମୁଣି ଗାଁ ବିକାଶରେ ବାଧକ ସାଜିଛି ପ୍ରଶାସନିକ ସ୍ଥାଣୁତା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସବୁ ମାନଦଣ୍ଡ ପୂରଣ କରୁଥିବା ସତ୍ତ୍ବେ ଆବାସରୁ ବଞ୍ଚିତ ଗରିବ ଜୁଆଙ୍ଗମାନେ ନିଜସ୍ବ ଉଦ୍ୟମରେ ଘର ତୋଳୁଛନ୍ତି। ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତର ଏହି ଗାଁରେ ସମସ୍ତ ୨୧ଯାକ ମୂଳ ପରିବାର ଆଦିମ ଜନଜାତି ବର୍ଗଭୁକ୍ତ ଏବଂ ଗରିବ ଓ ବିପିଏଲ୍ ତାଲିକାଭୁକ୍ତ। ଦୈତାରୀ ସୁରକ୍ଷିତ ଜଙ୍ଗଲର ଫରେଷ୍ଟ୍ ବ୍ଲକ-୨୭ ରେ ୫୦ ବର୍ଷ ତଳୁ ଅତି ଦୟନୀୟ ଭାବେ ଗଢ଼ି ଉଠିଥିବା ଏହି ବସ୍ତିରେ ଲୋକେ ଆରମ୍ଭରୁ ଝାଟିମାଟି ଘରେ ରହି ଆସୁଛନ୍ତି। ପଡ଼ୋଶୀ ନଗଡ଼ାର ୭୫ ପରିବାର ପାଇଁ ଖଣି ପ୍ରଭାବିତ ବିଜୁ ପକ୍କାଘର ଯୋଜନାରେ ୨୦୧୭ ମସିହାରୁ ଘର ନିର୍ମାଣ ସରିଛି।
ଅନ୍ୟତମ ପଡ଼ୋଶୀ ଗୁହିଆଶାଳ ମୌଜାର ୨୬ ଜୁଆଙ୍ଗ ପରିବାର ଲାଗି ଗତବର୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ନିର୍ମାଣ ଜାରି ରହିଛି। ସମାନ ଯୋଜନାରେ ପାହାଡ଼ ତଳ ଅଶୋକଝର ଜୁଆଙ୍ଗ ବସ୍ତିର ୨୦ ପରିବାର ଉପକୃତ ହୋଇଛନ୍ତି। ୨୦୧୭ ମସିହାରୁ ଗାଁର ୨୧ ଜଣ ପରିବାର ମୁଖ୍ୟଙ୍କ ନାଁରେ ଜଙ୍ଗଲ ଜମି ଅଧିକାର ଆଇନ(୨୦୦୬) ଆଧାରରେ ସ୍ଥାୟୀ ଜମିପଟ୍ଟା ରହିଛି। ହେଲେ ଏହି ଜାଗା କିମ୍ବା ଜମି ସେମାନେ ଏଯାବତ୍ ଦେଖିନଥିବା କିମ୍ବା ସେମାନଙ୍କ ଉପସ୍ଥିତିରେ ଚିହ୍ନଟ ହୋଇନଥିବା ଗାଁର ୨ ମୁଖିଆ ମିଟୁ ପ୍ରଧାନ ଓ କାଳିଆ ପ୍ରଧାନ କହନ୍ତି। ଗାଁକୁ ସଡ଼କ ନଥିବା ଦର୍ଶାଇ ପ୍ରଶାସନ ତୁମୁଣିବାସୀଙ୍କୁ ଆବାସ ଯୋଜନାରୁ ଦୂରେଇ ରଖିଥିବା ସାଧାରଣରେ ଅଭିଯୋଗ ହୋଇଛି।
୫ ଗୋଟି ପାହାଡ଼ ଯାଜପୁର ଜିଲ୍ଲା ଦକ୍ଷିଣ ପାର୍ଶ୍ବ ଢେଙ୍କାନାଳ ସୀମାନ୍ତ କାଳିଆତଳ, ପଶ୍ଚିମରେ କମ୍ଭାରୁଣି, ସାତକୁଲିଆ, ଦେଓଗାଁ ଓ କଙ୍କଡ଼ାଗୋଡ଼ି ମଧ୍ୟବର୍ତ୍ତୀ ସମତଳ ଭୂମିରେ ରହିଛି ତୁମୁଣି ଗାଁ। ଦେଓଗାଁ ମୌଜା ବାହାଳିସାହି ଗାଁ ମୁଣ୍ଡରୁ ପଶ୍ଚିମ ଦିଗକୁ ୩ କିଲୋମିଟର ପାହାଡ଼ ଚଢ଼ି ତୁମୁଣି ଯାଇହେବ। ସେହିପରି ନଗଡ଼ା ଉପକଣ୍ଠ ନାଲିଆଡାବରୁ ସାତକୁଲିଆ ପାହାଡ଼ର ଗୁଳାବାଟରେ ସମାନ ବାଟ ଅତିକ୍ରମ କରି ତୁମୁଣି ଗାଁ ଯିବାକୁ ହୋଇଥାଏ। ବନ ବିଭାଗ ପକ୍ଷରୁ ନାଲିଆଡାବରୁ ତୁମୁଣିକୁ ବନ ସଡ଼କ ନିର୍ମାଣ ପାଇଁ ୨ ବର୍ଷ ତଳୁ ନିଆଯାଇଥିବା ପଦକ୍ଷେପ କେବଳ ବୋଲଡର ସଂଗ୍ରହରେ ସୀମିତ ରହିଛି। ଏହି ବାଟରେ ଗାଁକୁ ନିର୍ମାଣ ସାମଗ୍ରୀ(ବାଲି, ଚିପ୍ସ, ଲୁହାଛଡ଼ ଓ ସିମେଣ୍ଟ) ପରିବହନ ଅତ୍ୟନ୍ତ କଷ୍ଟକର ବ୍ୟାପାର ଓ ବ୍ୟୟ ବହୁଳ।
ଆହୁରି ପଢ଼ନ୍ତୁ: Cricket: ବର୍ଷା ବଦଳାଇଲା ବିଶ୍ବକପ୍ର ଗଣିତ: ଭାଗ୍ୟ ଦେଲା ଜିମ୍ବାୱେକୁ ‘ସୁପର-୮’ର ଟିକେଟ୍
୨୦୧୫ ମସିହା ମାର୍ଚ୍ଚ ୨୦ ତାରିଖରେ ଘଟିଥିବା ଅଗ୍ନିକାଣ୍ଡରୁ ଗାଁର ସବୁ ଘର ପୋଡ଼ି ଯାଇଥିଲା। ଗାଁରୁ ଅଧ କିଲୋମିଟର ଦୂର ଏକାଧିକ ଚୁଆରେ ଜଳଉତ୍ସ ଥିବାରୁ ବହୁ ପାହାଡ଼ର ମଧ୍ୟସ୍ଥ ଏହି ଗାଁରେ ଅଗ୍ନିକାଣ୍ଡ ହେଲେ ଏଥିରୁ ବର୍ତ୍ତିବା ସହଜ ନୁହେଁ। ଗାଁର ଉତ୍ସାହୀ ଯୁବକ ବନ ବିଭାଗରେ ଠିକା ଶ୍ରମିକ, ଆଖପାଖରେ ମୂଲମଜୁରି ଓ ଆଉ କିଛି ଦାଦନ ଖଟିବାକୁ ଯାଇଛନ୍ତି। ଉପାର୍ଜିତ ଅର୍ଥରୁ ଅଗ୍ନି ନିର୍ବାପନ ବ୍ୟବସ୍ଥା ଥିବା ଆଜବେସଷ୍ଟସ ଘର ତିଆରି ପାଇଁ ଅଣ୍ଟା ଭିଡ଼ିଛନ୍ତି। ବରିଷ୍ଠ ନାଗରିକ ମଧୁ ପ୍ରଧାନ ଓ ବରଜୁ ପ୍ରଧାନ ଏବଂ ୫ ଜଣ ଯୁବକ ଟାଙ୍ଗରା ପ୍ରଧାନ, ଭଜନା ପ୍ରଧାନ, ସୁବନ ପ୍ରଧାନ, ମଧୁ ପ୍ରଧାନ ଓ ନାଣ୍ଡୁ ପ୍ରଧାନ ନିଜସ୍ବ ଉଦ୍ୟମ ଓ ପାରିଶ୍ରମିକରେ ଘର ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। ସଂଘବଦ୍ଧ ଭାବେ କାଳିଆପାଣି ବଜାରରୁ ଆଜବେସଷ୍ଟସ ଓ ଆନୁଷଙ୍ଗିକ ସାମଗ୍ରୀ କିଣି ମିନିଟ୍ରକ୍ରେ ନାଲିଆଡାବ ଆଣିବା ପରେ ସଂପର୍କୀୟଙ୍କ ସହଯୋଗରେ ପାହାଡ଼ି ଗୁଳା ବାଟରେ ଗାଁକୁ ଭାରରେ ଆଜବେସଷ୍ଟସ ବୋହିଥିଲେ।
ଏ ସଂପର୍କରେ ବିଡିଓ ପ୍ରଜ୍ଞା ପରିମିତା ପୃଷ୍ଟିଙ୍କୁ ପଚାରିବାରେ ତୁମୁଣି ଗାଁକୁ ଗମନାଗମନ ବ୍ୟବସ୍ଥା ନଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହୋଇପାରୁନଥିବା କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/17/img-2026-02-17-20-13-27.jpeg)