ଯାଜପୁର: ବାତ୍ୟାର ଭୟ ପ୍ରକୋପ ମନରୁ ନଯାଉଣୁ ମାଡ଼ି ଆସିଥିଲା ବନ୍ୟା । ବୈତରଣୀରେ ଆକସ୍ମିକ ବନ୍ୟା ଆସିବା ଫଳରେ ଲୋକେ ଭୟଭୀତ ହୋଇପଡିଥିଲେ । ଅନ୍ୟ ପଟେ ଦଶରଥପୁର ବ୍ଲକ କଂଟପଡାରେ ୩ଟି ଓ ପହ୍ଲାସାହିଠାରେ ଗୋଟିଏ ଘାଇ ସୃଷ୍ଟି ହୋଇ କିଛି ପଂଚାୟତବାସୀଙ୍କୁ ପ୍ରଭାବିତ କରିଛି । ଜଳସ୍ତର କ୍ରମଶଃ ହ୍ରାସ ପାଉଥିଲେ ମଧ୍ୟ କିଛି ଗାଁରୁ ସଂପୂର୍ଣ୍ଣ ବନ୍ୟା ପାଣି ଛାଡିନି । ଅନେକ ସ୍ଥାନରେ ଚାଷଜମିରେ ବର୍ଷା ଜଳ ଜମି ରହିଥିବା ବେଳେ ନିଷ୍କାସିତ ହୋଇପାରିନାହିଁ । ଅନ୍ୟ ପଟେ ଘର ବାହୁଡା ଲୋକ ନିଜର ଭଙ୍ଗା ଘର ସଜାଡିବାରେ ବ୍ୟସ୍ତ ।
ଭଙ୍ଗା ଘରକୁ ମାଟିରେ ଲିପି ଠିକ କରୁଥିବା ବେଳେ କିଏ ସେଥିରେ ସହଯୋଗ କରୁଥିବାର ଚିତ୍ର ଦେଖିବାକୁ ମିଳିଛି । ଚଳିତବର୍ଷର ବାତ୍ୟା ଓ ବନ୍ୟା ଦଶରଥପୁର,ବିଂଝାରପୁର, ଯାଜପୁର ଏବଂ କୋରେଇ ବ୍ଲକର ପାୟ ୨୫ ହଜାରରୁ ଉର୍ଦ୍ଧ ଲୋକ କ୍ଷତିଗ୍ରସ୍ତ ହୋଇଥିବା ପ୍ରଶାସନ କହୁଛି । ସେଥିରୁ ୧୩ ହଜାର ଉର୍ଦ୍ଧ ଲୋକ ପାଣି ଘେରରେ ରହି ପ୍ରଭାବିତ ହୋଇଥିଲେ । ବୈତରଣୀର ଶାଖା କାଣୀ ନଦୀରେ ହୋଇଥିବା ଘାଇର ମରାମତି ଆରମ୍ଭ ହୋଇଥିବା ବେଳେ ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରାଯାଇଛି ।