ଧର୍ମଶାଳା: ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ୧୪ନମ୍ବର କେନାଲ୍ ଓ ଏହାର ଶାଖା କେନାଲ ତଳମୁଣ୍ତରେ ପାଣି ପହଞ୍ଚୁନାହିଁ। ଏହି କେନାଲ୍ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ହଜାରହଜାର ଏକର ଜମିରେ ହୋଇଥିବା ଧାନଚାଷ ବାଧାପ୍ରାପ୍ତ ହୋଇଛି। ଜଳସେଚନ ବିଭାଗର ଅଧିକାରୀମାନଙ୍କୁ ଏନେଇ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ପ୍ରତିବାଦରେ କାଏମା, ଗୋପନଗର, ନାଉପାଳ, ଅନନ୍ତପୁର, ଗୋଗଳ ଓ ମିର୍ଜାପୁର ଗ୍ରାମର ଚାଷୀ ସୋଲେଖ ରାଉତ, ଯୁଧିଷ୍ଠିର ବେହେରା, ପ୍ରକାଶ ବେହେରା, ଗୋଲକ ବେହେରା, ସନ୍ତୋଷ ସାମଲ, ଟୁଟୁ ନାୟକ, ଜଗନ୍ନାଥ ମଲିକ, ବୀରବର ମଲିକ, ଶୁକଦେବ ମଲିକ, ଚଗଲା ବେହେରା, ଗୌତମ ଗୁରୁ, ଟୁନିଆ ମୁଦୁଲି, ପଞ୍ଚାନନ ସାହୁ, ଆନନ୍ଦ ଗୁରୁ, ଅଭିଷେକ ରାଉତ ପ୍ରଭୃତି ଆଜି ପୂର୍ବାହ୍ଣରେ କାଏମାସ୍ଥିତ ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ଦେଇଥିଲେ।
ବିଭାଗୀୟ ଅଧିକାରୀ କାର୍ଯ୍ୟାଳୟକୁ ନଆସିବାରୁ ଚାଷୀମାନେ ଧର୍ମଶାଳା ତହସିଲ କାର୍ଯ୍ୟାଳୟକୁ ଦୁଃଖ ଜଣାଇବାକୁ ଯାଇଥିଲେ। ସେଠାରେ ଅତିରିକ୍ତ ତହସିଲଦାରଙ୍କୁ ଦାବିପତ୍ର ଦେଇଥିଲେ। ପରେ ସେମାନେ ଜାରକା ଜଳସେଚନ ଡିଭିଜନକୁ ଯାଇ ଅଧିକାରୀଙ୍କୁ ସାକ୍ଷାତ୍ କରି କେନାଲ୍ ପାଣି ସମସ୍ୟା ସଂପର୍କରେ ଅବଗତ କରିଥିଲେ। ପାଣି ଆସିବା ପୂର୍ବରୁ କେନାଲକୁ ଠିକ୍ ଭାବେ ସଫା କରାଯିବା କଥା। ହେଲେ ଦାୟିତ୍ବରେ ରହୁଥିବା ଠିକାଦାର ଯାହିତାହି କେନାଲ୍ ସଫା କରି ଦେଉଛନ୍ତି। ଶ୍ରମିକଙ୍କ ବଦଳରେ ଜେସିବି ଲଗାଇ ଘାସ ଓ ଗଛଲତା ସଫା କରାଯାଉଛି। ଫଳରେ କେନାଲ ଖାଲଢିପ ହେଉଛି। ଏଥିପାଇଁ କେନାଲ୍ ତଳମୁଣ୍ତକୁ ପାଣି ଯାଉନାହିଁ ବୋଲି ଚାଷୀ ଅଭିଯୋଗ କରିଥିଲେ। ତୁରନ୍ତ କେନାଲରେ ପାଣି ଯିବା ବ୍ୟବସ୍ଥା କରିବାକୁ ଚାଷୀ ନେତାମାନେ ଦାବି କରଥିଲେ।