ଆଜି ବିଶ୍ବ ଏଡ଼ସ ଦିବସ: ଯାଜପୁରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ବର୍ଷକରେ ୧୬ ଚିହ୍ନଟ,୨ ମୃତ

ଯାଜପୁର: ଯାଜପୁର ଜିଲ୍ଲାରେ ସ୍ବାସ୍ଥ୍ୟ ପ୍ରଶାସନ ଦ୍ବାରା ବ୍ୟାପକ ସଚେତନତା ଯୋଗୁ ଏଡସ ପରି ଏକ ମାରତ୍ମକ ରୋଗ ଏବେ ନିୟନ୍ତ୍ରଣକୁ ଆସିଛି। ଧୀରେ ଧୀରେ ବିଗତ ବର୍ଷ ଅପେକ୍ଷା ଏହାର ହାର ସଂକୁଚିତ ହେଉଛି। ବର୍ତ୍ତମାନର ଶିକ୍ଷିତ ଯୁବପୀଢ଼ି ସଙ୍କୋଚ ନକରି ରୋଗ ପରୀକ୍ଷା କରି ଚିକିତ୍ସିତ ହେବା ଆରମ୍ଭ କରୁଛନ୍ତି। ୨୦୧୭ରେ ଜିଲ୍ଲାରେ ୪୪ ଜଣ ଏଡସ ରୋଗୀ ଚିହ୍ନଟ ହୋଇଥିବା ‌ବେଳେ ୨୦୧୮ ଏହା କମି ୩୯ରେ ପହଞ୍ଚିଥିଲା। ୨୦୧୯ରେ ତାହା ହ୍ରାସ ପାଇକି ୩୫ରେ ପହଞ୍ଚି ଥିବା ବେଳେ ଚଳିତ ବର୍ଷ ମାତ୍ର ୧୬ ଜଣ ଚିହ୍ନଟ ହୋଇଛିନ୍ତି।

ଜିଲ୍ଲାରେ ମୁଖ୍ୟ ଚିକିତ୍ସାଳୟକୁ ମିଶାଇ ୧୩ଟି କେନ୍ଦ୍ରରେ ରୋଗ ପରୀକ୍ଷା କରାଯାଉଥିବା ବେଳେ ଚିହ୍ନଟ ରୋଗୀମାନଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଔଷଧ ପ୍ରଦାନ କରାଯାଉଛି। ବିଭାଗୀୟ ତଥ୍ୟାନୁସାରେ ଜିଲ୍ଲାରେ ଏହି ରୋଗର ପରୀକ୍ଷଣ ୨୦୦୩ ମସିହାରୁ ଆରମ୍ଭ କରାଯାଇଥିଲା। ୨୦୦୩ରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୭ ବର୍ଷ ମଧ୍ୟରେ ଜିଲ୍ଲାରେ ଲକ୍ଷାଧିକ ଲୋକଙ୍କୁ କାଉସିଲିଂ କରାଯାଇଛି। ସୂଚନା ଅନୁସାରେ ଆଜି ପର୍ଯ୍ୟନ୍ତ ୨ଲକ୍ଷ ୮୦ ହଜାର ୨୧୭ ଜଣଙ୍କୁ କାଉନସିଲିଂ କରାଯାଇଥିବା ବେଳେ ୨ଲକ୍ଷ ୫୨ହଜାର ୮୦୨ ଜଣଙ୍କ ରୋଗ ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୩୭୩ ଜଣ ପୁରୁଷ ଓ ୨୬୦ ଜଣ ମହିଳାଙ୍କ ଶରୀରରେ ଏଡସ ଭୂତାଣୁ ଚିହ୍ନଟ କରାଯାଇଛି। ତେବେ ଏହି ୧୭ ବର୍ଷ ମଧ୍ୟରେ ଜିଲ୍ଲାରେ ୭୦ ପୁରଷ ଓ ୩୪ ଜଣ ମହିଳା ମୋଟ ୧୦୪ ଜଣଙ୍କ ଜୀବନ ଯାଇଛି। ଜିଲାର ୧୪ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ପରୀକ୍ଷା ହେଉଥିବା ବେଳେ ମୁଖ୍ୟତଃ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଅଧିକାଂଶ ‌ ରୋଗୀ ଚିହ୍ନଟ କରାଯାଇଛି। ଚଳିତ ବର୍ଷ ରିପୋର୍ଟ ଅନୁସାରେ ଜିଲ୍ଲାରେ ୩୦ ହଜାର ୪୪୬ ଜଣଙ୍କୁ କାଉନସିଲିଂ କରାଯାଇ ସମସ୍ତଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ସେଥି ମଧ୍ୟରୁ ମାତ୍ର ୧୬ ଜଣଙ୍କ ଦେହରେ ରୋଗ ଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଚିହ୍ନଟ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ଯାଜପୁର, ବିଂଝାରପୁର,ବରୀ ଓ ଦଶରଥପୁର ହୋଇଥିବା ଜଣାଯାଇଛି। ଏହି ଅଞ୍ଚଳରୁ ଅଧିକାଂଶ ଲୋକ କାମ ଉଦେଶ୍ୟରେ ଘର ଛାଡି ବାହାରେ ରହୁଥିବା ବେଳେ ସେଠାରେ ଏଡସ ଦ୍ବାରା ସଂକ୍ରମିତ ହେଉଛନ୍ତି। ରୋଗୀର ତାଲିକାରେ ଯାଜପୁର ‘ସି’ ସ୍ଥାନରେ ଥିବାରୁ ଏଠାରେ ଅନ୍ୟ ଜିଲ୍ଲା ପରି ଏଡସ ନିୟନ୍ତ୍ରଣ ଓ ଆୟତ ୟୁନିଟ ଗଠନ ‌ହୋଇନାହିଁ। କେବଳ ଏଡସ ୟୁନିଟ ଖୋଲାଯାଇ ମାଗଣା ପରାମର୍ଶ,ଚିକିତ୍ସା ଓ ଔଷଧ ପ୍ରଦାନ କରାଯାଉଛି। ପୂର୍ବରୁ ଏହି ରୋଗ ପରୀକ୍ଷା କେବେଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ହେଉଥିବା ‌ବେଳେ ବର୍ତମାନ ସରକାର ପ୍ରତି ପିଏଚସିରେ ଗର୍ଭବତୀ ମହିଳାଙ୍କ ଏଡସ ପରୀକ୍ଷାକୁ ବ୍ୟଧ୍ୟତା ମୂଳକ କରିଛନ୍ତି। ଫଳରେ ଗର୍ଭ ଜନ୍ମର ପୂର୍ବରୁ ରୋଗ ଚିହ୍ନଟ ହେଲେ ମା ଠାରୁ ଜନ୍ମିତ ଶିଶୁକୁ ଔଷଧ ମାଧ୍ୟମ‌ରେ ରୋଗମୁକ୍ତ କରିବାକୁ ବ୍ୟବସ୍ଥା ହୋଇଛି। ଜିଲ୍ଲାରେ ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ରହିଥିବା ବେଳେ ଏସଡ ନିରାକରଣ ପାଇଁ କେହି ତତ୍ପରତା ପ୍ରକାଶ କରୁନାହାନ୍ତି। କେବଳ ଜିଲ୍ଲାରେ ଏନଆଇଏସଡବ୍ଲୁ(ନ୍ୟବୁରାଲ ଇନଷ୍ଟିଟ୍ୟୁଟ୍ ଫର ସୋସିଆଲ ୱାର୍କ)ସ୍ବେଚ୍ଛାସେବୀ ସଂଗଠନ ଜରିଆରେ ଟ୍ରକ ଚାଳକ,ନୀରକ୍ଷକ ଅଞ୍ଚଳ ଓ ରାଜ୍ୟ ବାହାରୁ ଆସୁଥିବା ମହିଳା ଶ୍ରମିକଙ୍କ ନିକଟରେ ପହଞ୍ଚି ରୋଗର କାରଣ ଓ ନିରାକରଣ ସଂପର୍କରେ ସଚେତନ କରାଉଛି। ରାଜ୍ୟ ସରକାର ଏଡସ ରୋଗୀଙ୍କୁ ଭତ୍ତା ସହିତ ଆବାସ ଯୋଜନାରେ ଅଗ୍ରାଧିକାର ଭିତ୍ତିରେ ସାମିଲ କରୁଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାର ଏଡସ ଆକ୍ରାନ୍ତ ରୋ‌ଗୀଙ୍କୁ ହଇରାଣ କିମ୍ବା ଆକ୍ଷେପ କଲେ ୧ ବର୍ଷର ଜେଲଦଣ୍ଡ ସହିତ ଏକ ଲକ୍ଷର ଜରିମାନା ବ୍ୟବସ୍ଥା କରାଇଛନ୍ତି। l ଜିଲ୍ଲାର ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ ମୋଟ ୩୬ ଜଣ ଉଭୟ ଏଡସ ଓ ଟିବି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ମୋଟ ଆକ୍ରାନ୍ତ ମଧ୍ୟରୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଏଡସ ସେଲରୁ ୪୦ ପୁରୁଷ ଓ ୩୫ ମହିଳା ମୋଟ ୭୫ ଜଣ ମାଗଣା ଔଷଧ ସେବନ କରୁଛନ୍ତି। ତେବେ ରୋଗ ସଂପର୍କରେ ଅବଗତ ହୋଇ ସୁରକ୍ଷିତ ଯୌନ ସଂପର୍କ ଓ ନିରାପତ୍ତା ଗ୍ରହଣ କଲେ ରୋଗୀ ସଂଖ୍ୟା କମିବା ସହ ଚଳିତ ବ‌ର୍ଷର ବାର୍ତ୍ତା ବିଶ୍ବ ଏକତା ଓ ସହଭାଗୀ ଦାୟିତ୍ବ ସଫଳ ହୋଇପାରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର