ଦାନଗଦୀ: ଚଳିତ ନିର୍ବାଚନରେ ଓଡ଼ିଶାର ଅସ୍ମିତା ମୁଖ୍ୟ ପ୍ରସଙ୍ଗ ହେଲା। କେବଳ ଉଚ୍ଚାରଣରେ ଅସ୍ମିତା କହିଲେ ଚଳିବ ନାହିଁ। ଆଚରଣରେ କିପରି ଅସ୍ମିତା ଦେଖାଉଛନ୍ତି, ତାହା ଦେଖିବାକୁ ପଡ଼ିବ ବୋଲି ସମ୍ବାଦ ସାହିତ୍ୟଘରର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।
ଆଜି ଦାନଗଦୀ ବ୍ଲକ୍ ସମ୍ବାଦ ସାହିତ୍ୟଘରର ଅଷ୍ଟମ ବାର୍ଷିକୋତ୍ସବରେ ଉଦ୍ଘାଟକ ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏହା କହିବା ସହ ସାହିତ୍ୟିକ, ସାମ୍ବାଦିକମାନେ ସାଧାରଣ ଜନତାର ଆଭିମୁଖ୍ୟ ଆକଳନ କରିବାରେ ବିଫଳ ହୋଇଛନ୍ତି ବୋଲି ଚଳିତ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି ବୋଲି ଟିପ୍ପଣୀ ଦେଇଥିଲେ। ଓଡ଼ିଆ ଅସ୍ମିତାକୁ ନେଇ ଯେଉଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ସେ ସମୟରେ ନାଗରିକ ସମାଜ କିମ୍ବା ଗଣମାଧ୍ୟମ ନିଜର ଭୂମିକା ଠିକ୍ ଭାବେ ନିର୍ବାହ କରିନାହିଁ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। କିଛିଲୋକ ଅନୁଷ୍ଠାନର ରୂପାନ୍ତରୀକରଣ ନାଁରେ ଗଣତାନ୍ତ୍ରିକ ବ୍ୟବସ୍ଥାର ରୂପାନ୍ତରୀକରଣ କରିବାକୁ ଚାହିଁଲେ, ହେଲେ ଆମେ ବୁଦ୍ଧିଦୀପ୍ତ ଲୋକମାନେ ତାହା ଦେଖି ପାରିଲେ ନାହିଁ। ‘ମାଟି ବଡ଼ ନା ପାର୍ଟି ବଡ଼’ ଚିରାଚରିତ ପ୍ରଶ୍ନ କରି ଶ୍ରୀ ପଟ୍ଟନାୟକ ଏହି ଅବ୍ୟବସ୍ଥା ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସାହିତ୍ୟିକମାନେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ସାହିତ୍ୟ ମଣିଷକୁ ମଣିଷ ସହିତ ଯୋଡ଼ିବା ଉଚିତ। ସାହିତ୍ୟିକମାନେ ନିଜ ପାଇଁ ନଲେଖି ସମାଜ କିମ୍ବା ଅନ୍ୟମାନଙ୍କ ପାଇଁ ଲେଖିଲେ ସଫଳ ହୋଇପାରିବେ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ବୟସ୍କମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ବରିଷ୍ଠ ନାଗରିକଙ୍କୁ ସଚେତନ କରିବା ସହିତ ଯୁବପିଢ଼ି ଏବଂ ପିଲାମାନେ ପ୍ରଶ୍ନ ପଚାରିବାର ଅଭ୍ୟାସ କରିବା ଉଚିତ ବୋଲି କହିଥିଲେ। ୬୦ବର୍ଷ ପରେ ଏକ ନୂଆ ଜୀବନ ଆରମ୍ଭ ହୋଇଥାଏ। ବରିଷ୍ଠ ନାଗରିକମାନେ ଜ୍ଞାନର ଗନ୍ତାଘର। ଅବସର ପରେ ସ୍ବାଧୀନ ଓ ନିର୍ଭୀକ ଭାବେ ସେମାନେ ଅନୁଭବକୁ ବାଣ୍ଟିଲେ ସମାଜ ପାଇଁ ମଙ୍ଗଳ ହେବ ବୋଲି କହିଥିଲେ। ସମ୍ବାଦ ସାହିତ୍ୟଘର ସାଢ଼େ ୪କୋଟି ଓଡ଼ିଆଙ୍କ ଘର ହେଉ ବୋଲି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଥିଲେ।
ଦାନଗଦୀ ସମ୍ବାଦ ସାହିତ୍ୟଘରର ସଭାପତି ଅଶୋକ କୁମାର ଖିଲାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବେ ସମ୍ବାଦ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ଯୋଗଦେଇ କହିଲେ, ଏବେ ୩୭୦ ବ୍ଲକ୍ରେ ସମ୍ବାଦ ସାହିତ୍ୟଘର ଗଠନ ହୋଇଛି। ନୂଆ ସମ୍ଭାବନା ପାଇଁ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ବାଦ ସାହିତ୍ୟଘର ସୃଷ୍ଟି କରିଛନ୍ତି, ଏହା ମାଧ୍ୟମରେ ଭାଷାର ସୁରକ୍ଷା ଓ ପରିବେଶର ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିଥିଲେ।
ମୁଖ୍ୟବକ୍ତା ଡ. ରାଜକିଶୋର ପାଢ଼ୀ କହିଲେ, ବଡ଼ବଡ଼ ସଭାରେ ସାହିତ୍ୟ ହୁଏନାହିଁ। ଯେଉଁଠି ଭାବ ବିନିମୟର ସୁଯୋଗ ଥାଏ, ତାହା ସାହିତ୍ୟକୁ ଅଧିକ ସଫଳ କରାଇଥାଏ ବୋଲି ମତ ଦେଇଥିଲେ।
ସମ୍ମାନିତ ଅତିଥି ଅବସରପ୍ରାପ୍ତ ଶିକ୍ଷକ ତଥା ପାଲାଗାୟକ ବଳରାମ ଆଏଚ କହିଲେ ସମ୍ବାଦ ପାଖରେ ସାହିତ୍ୟ ଓ ସାହିତ୍ୟ ପାଖରେ ଘର ସୃଷ୍ଟି ହୋଇଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଓ ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ରଙ୍କ ରଚନାକୁ ଉଦ୍ଧାର କରି ସାହିତ୍ୟର ସଂଜ୍ଞା ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ପାଦିକା ଯୁଗପ୍ରଭା ସାବତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ବରିଷ୍ଠ ସଦସ୍ୟ ତାରିଣୀ ପ୍ରସାଦ ପୁହାଣ ଅତିଥି ପରିଚୟ ପ୍ରଦାନ ଓ ରବିନାରାୟଣ ଶତପଥୀ, ଦାମୋଦର ନନ୍ଦ ମନ୍ତ୍ରପାଠ କରିଥିଲେ।
ଏହି ଅବସରରେ ଦାନଗଦୀ ସମ୍ବାଦ ସାହିତ୍ୟଘରର ମୁଖପତ୍ର ‘ପଦ୍ମଜା’ ଓ ଇନ୍ଦ୍ରଧନୁ ପୃଷ୍ଠାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ତଥା କବି ଯୁଗଳ କିଶୋର ସାବତଙ୍କ ‘ନିଭୃତ ଆଳାପ, ହୃଦୟ ଗୀତିକା ଓ କର୍ମ କର୍ଷଣ ଜୀବନ’ ଆଦି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଚିକିତ୍ସକ ମହମ୍ମଦ ସବୀର ଖାନ, ସମାଜସେବୀ ଲୋକନାଥ ଧୀର, ଆଦର୍ଶ କୃଷକ ଦୁଃଶାସନ ପରିଡ଼ାଙ୍କ ସମେତ ଦାନଗଦୀ ସମ୍ବାଦ ସାହିତ୍ୟଘରର କର୍ମକର୍ତ୍ତା ସୁଦାମ ଚରଣ ନାୟକ ଓ ମଧୁସୂଦନ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ରଶ୍ମିତା ସାହୁ, ଶୁଭଲକ୍ଷ୍ମୀ ତ୍ରିପାଠୀ, ସ୍ମୃତିପ୍ରଜ୍ଞା ସାହୁ, ସସ୍ମିତା କନ୍ଦର, ଦ୍ରୌପଦୀ ଚାତାର, ଶୁଚିସ୍ମିତା ଜେନାମଣି, ରାଜା ମଣ୍ଡଳ, ନିଶିପ୍ରଭା ଦଳେଇ ଓ ଅର୍ଚ୍ଚିତା ସାହୁଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଥମ ଅଧିବେଶନ କବିତା ପାଠୋତ୍ସବରେ କବି କାଞ୍ଚନବାଳା ମଲ୍ଲ, ଲବଙ୍ଗଲତା ପରିଡ଼ା, ସନ୍ଧ୍ୟାରାଣୀ ଘଡ଼ାଇ ଓ ସୁଦାମ ଚରଣ ନାୟକ ସଂଯୋଜନା କରିଥିଲେ। ଶେଷରେ ଦାନଗଦୀ ସାହିତ୍ୟଘର ସଂଯୋଜକ ପ୍ରଦୀପ ଜେନା ଧନ୍ୟବାଦ ଦେଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp