ବିଛାଖଣ୍ଡିରେ ପ୍ରବଳ ଉତ୍ତେଜନା : ସୁପରଭାଇଜରଙ୍କୁ ଗୋଡ଼େଇ ହାଣିଲେ

କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର

କବାଟବନ୍ଧ : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ରେ ପୁଣି ଏକ ଅଘଟଣ ଘଟିଛି। ଜଣେ ଠିକାଦାରଙ୍କ ସୁପରଭାଇଜରଙ୍କୁ କେତେକ ପଥର ମାଫିଆ ବିଚ୍‌ ରାସ୍ତାରେ ଗୋଡ଼େଇଗୋଡ଼େଇ ହାଣିଛନ୍ତି। ତାଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ କଟକ ବଡ଼ମେଡ଼ିକାଲକୁ ପଠାଇ ଦିଆଯାଇଛି।

ସୁପରଭାଇଜର୍‌ ହେଉଛନ୍ତି ସ୍ଥାନୀୟ ଖୁଣ୍ଟା ଗ୍ରାମର ସ୍ୱାତିଶ୍‌ ରଂଜନ ପରିଡ଼ା (୨୫)। ଆଜି ଅପରାହ୍ନ ୪ଟା ସମୟରେ ସ୍ୱାତିଶ ବଳରାମପୁର ଛକସ୍ଥିତ ଏକ ହୋଟେଲ୍‌ରେ ଖାଇସାରି କ୍ୟାମ୍ପକୁ ଫେରୁଥିବା ସମୟରେ ଆକ୍ରମଣର ଶିକାର ହୋଇଥିଲେ। ଅଭିଯୋଗ ଅନୁସାରେ, ତାଳଜଙ୍ଗ ନିକଟରେ କେତେଜଣ ମାଫିଆ ତାଙ୍କ ଉପରକୁ ପଥର ମାଡ଼ କରିଥିଲେ। ଫଳରେ, ସେ ବାଇକ୍‌ରୁ ଖସି ପଡ଼ିଥିଲେ। ପରେ ମାଫିଆମାନେ ସଂଘବଦ୍ଧ ହୋଇ ବିଭିନ୍ନ ମାରଣାସ୍ତ୍ରରେ ତାଙ୍କୁ ଚୋଟ ପରେ ଚୋଟ ମାରିଥିଲେ। ସ୍ୱାତିଶ ଛଟପଟ ହେଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଫିଙ୍ଗି ଦେଇ ଚାଲି ଯାଇଥିଲେ।

ଗୁରୁତର ଅବସ୍ଥାରେ ସ୍ୱାତିଶ୍‌ଙ୍କୁ ଜେନାପୁର ପୁଲିସ ଉଦ୍ଧାର କରି ପ୍ରଥମେ ଧର୍ମଶାଳା ମେଡିକାଲକୁ ପଠାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରେ କଟକ ବଡ଼ମେଡ଼ିକାଲକୁ ପଠାଇଥିଲେ।

ଏହି ଘଟଣାକୁ କେନ୍ଦ୍ରକରି ବିଛାଖଣ୍ଡି ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏ ନେଇ ଠିକାଦାର ପ୍ରଭୁରଞ୍ଜନ ସାମଲ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟ ଏକ ଆକ୍ରମଣକାରୀ ତାଳଜଙ୍ଗର କିଛି ଗ୍ରାମବାସୀ ମଧ୍ୟ ସାନି ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ, ଗାଳିଗୁଲଜ କରିବାରୁ ସୁପର୍‌ଭାଇଜରଙ୍କ ଉପରେ ଆକ୍ରମଣ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଇଛି। ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଆଲୋଚନା ହେଉଛି ।

ପ୍ରକାଶଥାଉକି, କିଛି ଲୋକ ଗତ ରବିବାର ଦିନ ଅନ୍ୟ ଜଣେ ଠିକାଦାର ଜ୍ଞାନରଂଜନ ମହାପାତ୍ରଙ୍କର ୩ ଜଣ କର୍ମଚାରୀଙ୍କୁ ମାଡମାରିବା ସହ ତାଙ୍କର ଏକ ହିଟାଚି ମେସିନକୁ ପାହାଡ଼ ଉପରୁ ଖସାଇ ଭାଙ୍ଗି ଦେଇଥିଲେ । ଘଟଣାର ୫ ଦିନ ପରେ ମଧ୍ୟ ଅପରାଧୀ ମାନେ ଗିରଫ ହୋଇ ନଥିବାବେଳେ ପୁନର୍ବାର ଏଭଳି ଘଟଣା ଘଟିଲା ବୋଲି ସାଧାରଣରେ ଆଲୋଚନା ହେଉଛି । ଏବଂ ଆଜିର ଘଟଣାରେ ପୂର୍ବ ଗଣ୍ଡଗୋଳରେ ସାମିଲ ଥିବା ଯୁବକ ମାନେ ସଂପୃକ୍ତ ରହିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର