ଭରତପୁର ଗୋଷ୍ଠୀ ସଂଘର୍ଷ ଘଟଣା : ମୁଖ୍ୟ ଅଭିଯୁକ୍ତକୁ ଏନଏସ୍‌ଏରେ ଗିରଫ ଦାବି କଲା ବଡ଼ଚଣା ବ୍ଲକ କଂଗ୍ରେସ

ଚଣ୍ଡିଖୋଲ : ଭରତପୁର ମାତାମଠ ପୋଲଛକ ଗୋଷ୍ଠୀ ସଂଘର୍ଷ ଓ ପୁଲିସ ଗାଡ଼ି ପୋଡ଼ି ଘଟଣାକୁ ନେଇ ଆଜି ବଡ଼ଚଣା ବ୍ଲକ୍‌ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଶାସକ ଦଳ ଉପରେ ଦୋଷାରୋପ କରାଯାଇଛି। କଂଗ୍ରେସ ନେତା ଅଜୟ ସାମଲଙ୍କ ଅଧ୍ୟକ୍ଷତାରେ ବାଲିଚନ୍ଦ୍ରପୁରସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତ ଶାସକ ଦଳର ଆଗଧାଡ଼ିର ନେତା ବୋଲି ଅଭିଯୋଗ କରାଯାଇଛି।

ଶାସକ ଦଳ ନେତାଙ୍କ ସୁରକ୍ଷାରେ ଅଭିଯୁକ୍ତମାନେ ବହୁ ଅପରାଧରେ ସଂପୃକ୍ତ ଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଆଗରୁ ଗିରଫ କରୁନଥିଲା। ଫଳରେ ଏଭଳି ଅଘଟଣ ଘଟିଲା ବୋଲି କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ନାଣ୍ତୁ ଶାସକ ଦଳ ନେତାଙ୍କ ଛତ୍ରଛାୟା ତଳେ ରହି ଦୀର୍ଘ ଦିନ ହେଲା ଅରାଜକତା ସୃଷ୍ଟି କରୁଥିଲା। ସେହିପରି ବ୍ଲକ୍‌ ମହିଳା ବିଜେଡି ସଭାନେତ୍ରୀଙ୍କ ସ୍ବାମୀ ତଥା ଜଣେ ଶିକ୍ଷକ ଦୀର୍ଘ ବର୍ଷ ହେଲା ଅରାଜକତା ସୃଷ୍ଟି କରୁଛନ୍ତି। ସେ ଜଣେ ସରକାରୀ କର୍ମଚାରୀ ହୋଇଥିବା ବେଳେ ଏହି ଗୋଷ୍ଠୀ ସଂଘର୍ଷ ଘଟଣାରେ ସରକାରୀ ଗାଡ଼ି ପୋଡ଼ିବା ତାଙ୍କ ଔଦ୍ଧତ୍ୟର ନମୁନା ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

ଏହି ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ଜାତୀୟ ନିରାପତ୍ତା ଆଇନ ଆନୁଯାୟୀ ମକଦମା ରୁଜୁ କରାଯିବା ସହ ତୁରନ୍ତ ମହିଳା ବିଜେଡି ସଭାନେତ୍ରୀଙ୍କ ସ୍ବାମୀଙ୍କୁ ଗିରଫ ତଥା ଚାକିରିରୁ ବହିଷ୍କାର କରିବାକୁ କଂଗ୍ରେସ ଦାବି କରିଛି। ପୁଲିସ ଶାସକ ଦଳ ଚାପରେ କାର୍ଯ୍ୟାନୁଷ୍ଠାନ ନକଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବିଶ୍ବପ୍ରକାଶ ସାମଲ, ରତିକାନ୍ତ ପ୍ରଧାନ, ମାନଭଞ୍ଜନ ରାଉତରାୟ, ସେକ ରିଆସତ ଅଲ୍ଲୀ, ଖଗେଶ୍ବର ବେହେରା, ଅଶୋକ ବେହେରା, ଅଶୋକ ରାଉତ, ଚାନ୍ଦ ଖାଁ, ସନ୍ତୋଷ ସାହୁ, ଜୟପ୍ରକାଶ ବିଶ୍ବାଳ, ସନ୍ତୋଷ ପରିଡ଼ା, ଧନେଶ୍ବର ସାହୁ ଓ ପ୍ରଭାତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର