ବିଂଝାରପୁର : ବହୁ ଚର୍ଚ୍ଚିତ ବିଂଝାରପୁର ଡବଲ୍ ମର୍ଡର ଘଟଣାରେ ଅଭିଯୁକ୍ତମାନଙ୍କୁ ଆଜି ପୁଲିସ୍ ୪ ଦିନ ରିମାଣ୍ଡରେ ନେଇଛି। ୭ ଦିନ ରିମାଣ୍ଡରେ ନେବାକୁ ପୁଲିସ କୋର୍ଟରେ ଆବେଦନ କରିଥିଲା। ଯାଜପୁର ଏସ୍ଡିଜେଏମ୍ କୋର୍ଟ ଆଜି ୪ଦିନ ରିମାଣ୍ଡରେ ନେବାକୁ ପୁଲିସକୁ ନିର୍ଦେଶ ଦେଇଛନ୍ତି। ରିମାଣ୍ଡ ଅବଧି ଆସନ୍ତାକାଲିଠାରୁ ଆରମ୍ଭ ହେବ ବୋଲି ଯାଜପୁର ଏସ୍ଡିପିଓ ପ୍ରଶାନ୍ତକୁମାର ମଲ୍ଲ ସୂଚନା ଦେଇଛନ୍ତି।
ଯାଜପୁର ଜିଲ୍ଲା ସୁକିନ୍ଦାର ସେଖ୍ ମୁଶରଫ୍ଙ୍କ ପୁତ୍ର ସେକ୍ ରଂଜନ ଓରଫ ରାମୁ, ବିଂଝାରପୁରର ସେକ୍ ଜମୁଙ୍କ ପୁଅ ସେକ୍ ସରାଫତ୍, କେନ୍ଦ୍ରାପଡ଼ା ଇନ୍ଦୁପୁରର ବସନ୍ତସେଠୀଙ୍କ ପୁଅ ପିଣ୍ଟୁ ସେଠୀ, କେନ୍ଦ୍ରାପଡ଼ା ଜିଲ୍ଶ ଦୋବନ୍ଦାର ସେକ୍ ମୁଶରଫ୍ଙ୍କ ପୁଅ ସେକ୍ ମୁସ୍ତାକ୍, ଇନ୍ଦୁପୁରର ଇକବାଲ ହୋସେନଙ୍କ ପୁଅ ମୁସ୍ତାକ ହୋସେନ୍, ସୁକିନ୍ଦା ଜାମୁପଶି ଗ୍ରାମର କେଶବ ଦାସଙ୍କ ପୁଅ ରାଜେନ୍ଦ୍ର ଦାସ ଓରଫ୍ ମଣ୍ଟିଆ ରାଜୁଙ୍କୁ ପୁଲିସ ଜେରା କରିବ। ଏହି ୪ ଦିନ ମଧ୍ୟରେ ପୁଲିସ ଜେରା କରି ସେମାନଙ୍କଠାରୁ ଅଧିକ ତଥ୍ୟ ହାସଲ କରିବ ବୋଲି ଆଶା ରଖିଛି। ସେପଟେ ହତ୍ୟାକାଣ୍ଡ ପଛରେ କେବଳ ଲୁଟ୍ ଉଦ୍ଦେଶ୍ୟ ଥିଲା ନା ଆଉ କିଛି ସେଦିନ ପ୍ରତି ମଧ୍ୟ ପୁଲିସ ଅଧିକ ଧ୍ୟାନ ଦେବ। ପୂର୍ବରୁ ମଧ୍ୟ ସୁନା ବ୍ୟବସାୟୀ ଖଖେଶ୍ୱର ରଣାଙ୍କ ଉପରେ ଆକ୍ରମଣ ହୋଇଥିବାରୁ ପୁଲିସ ଏଦିଗରେ ମଧ୍ୟ ଅଧିକ ଖୋଳତାଡ଼ କରିବ। ଆଜି ଯାଜପୁର ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରିଥିଲେ। ବିଂଝାରପୁର ପୁଲିସ୍ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚୁରା କରିବା ପାଇଁ ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରିଥିଲେ। ଅଦାଲତ ପୁଲିସ୍ର ଆବେଦନ ମଞ୍ଜୁର କରିଥିବା ବିଂଝାରପୁର ଥାନାଧିକାରୀ ସୂଚୀତ୍ରବୀର୍ଯ୍ୟ ଦାସ ସୂଚନା ଦେଇଛନ୍ତି।