ଯାଜପୁର/ପାଣିକୋଇଲି : ବିଂଝାରପୁର ଡବଲ୍ ମର୍ଡର ଘଟଣାର ପର୍ଦାଫାସ କରିଛି ଯାଜପୁର ପୁଲିସ। କେନ୍ଦ୍ରାପଡ଼ା ଓ ଯାଜପୁରରୁ ହତ୍ୟାକାଣ୍ଡରେ ସଂପୃକ୍ତ ୭ ଜଣ ଅପରାଧୀଙ୍କୁ ଧରିଛି। ସେମାନଙ୍କଠାରୁ ଲୁଟ୍ ଅଳଙ୍କାର ଜବତ କରିଛି। କେବଳ ସେତିକି ନୁହେଁ ହତ୍ୟାକାଣ୍ଡରେ ବ୍ୟବହୃତ ମହେନ୍ଦ୍ରା କେୟୁଭି କାର୍, ୩ ବାଇକ୍, ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି, ଦୁଇଟି ଲୁହା ପାଇପ୍ ଏବଂ କଟୁରିକୁ ପୁଲିସ ଜବତ କରିଛି। ଅନ୍ୟ ତିନି ଅପରାଧୀ ଏବେ ବି ଫେରାର ଅଛନ୍ତି। ଖୁବ୍ ଶୀଘ୍ର ସେମାନଙ୍କୁ ଧରାଯିବ। ଅଭିଯୁକ୍ତମାନଙ୍କୁ ଆସନ୍ତାକାଲି ଯାଜପୁର କୋର୍ଟ ଚାଲାଣ କରାଯିବ। ସେମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ ମାନ୍ୟବର ଅଦାଲତଙ୍କୁ ଅନୁରୋଧ କରାଯିବ। ଆଜି ପାଣିକୋଇଲିସ୍ଥିତ ଏସ୍ପି ଅଫିସ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଏସ୍ପି ଚରଣ ସିଂହ ମୀନା ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି ।
ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ପ୍ରିୟଦର୍ଶୀ କହିଥିଲେ ଯେ ହତ୍ୟାକାଣ୍ଡ ପଛରେ ରହିଛି ଷଡ଼ଯନ୍ତ୍ର। ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଉଛନ୍ତି ବିଂଝାରପୁର ବଜାରର ଜଣେ ଗହଣା ବ୍ୟବସାୟୀ ଚନ୍ଦ୍ରକାନ୍ତ ସାହୁ। ପୁଲିସ ତାଙ୍କୁ ଗିରଫ କରିବା ସହ ବିଂଝାରପୁର ଅଞ୍ଚଳର ସେକ୍ ଜୁମାଙ୍କ ପୁଅ ସେକ୍ ସରାଫତ, ସୁକିନ୍ଦା ଥାନା ତଥା ସୁକିନ୍ଦା ଗ୍ରାମର ସେକ୍ ମୁଶାରଫଙ୍କ ପୁଅ ସେକ୍ ରମଜାନ୍ ଓରଫ ରାମୁ, ନିଉ ଜାମୁପଶି ଗାଁର କେଶବ ଦାସଙ୍କ ପୁଅ ରାଜେନ୍ଦ୍ର ଓରଫ ମାଟିଆ ରାଜୁ, କେନ୍ଦ୍ରାପଡ଼ା ଜିଲ୍ଲା ନିକିରେଇ ଥାନା ଇନ୍ଦୁପୁର ଗାଁର ବସନ୍ତ ସେଠୀଙ୍କ ପୁଅ ପିଣ୍ଟୁ, ଏକ୍ବାଲ ହୋସେନ୍ଙ୍କ ପୁଅ ମୁସ୍ତାକ୍ ହୋସେନ୍, ଦୋବନ୍ଧ ଗାଁର ସେକ୍ ମୁଶାରଫ୍ଙ୍କ ପୁଅ ସେକ୍ ମୁସ୍ତାକ୍ ଓରଫ ମିଟୁ। ଅନ୍ୟ ଦୁଇ ଅପରାଧୀ କେନ୍ଦ୍ରାପଡ଼ା ଜିଲ୍ଲାର ମୁନା ଓ ଲକି ଫେରାର୍ ହୋଇଯାଇଛନ୍ତି। ମୋଟ୍ ୧୦ ଜଣ ଅପରାଧୀ ଏହି ହତ୍ୟାକାଣ୍ଡ ଓ ଲୁଟ୍ତରାଜ୍ରେ ସଂପୃକ୍ତ ଅଛନ୍ତି ବୋଲି ଆଇଜି ଶ୍ରୀ ପ୍ରିୟଦର୍ଶୀ କହିଥିଲେ। ଅପରାଧୀମାନଙ୍କ ନାଁରେ ବିଂଝାରପୁର ଥାନା କେସ୍ ନଂ ୪୨/୧୮ ଦଫା ୩୯୬ରେ ମାମଲା ରୁଜୁ କରାଯାଇଛି।
ଶ୍ରୀ ପ୍ରିୟଦର୍ଶୀ କହିଥିଲେ ଯେ ସୁନା ବ୍ୟବସାୟୀ ବିଂଝାରପୁରର ଚନ୍ଦ୍ରକାନ୍ତଙ୍କ ପ୍ରରୋଚନାରେ ହତ୍ୟାକାଣ୍ଡ ଭିଆଇବାକୁ କେନ୍ଦ୍ରାପଡ଼ାର ପେସାଦାର ଅପରାଧୀ ମୁସ୍ତାକ ମୁଖ୍ୟ ଦାୟିତ୍ଵ ନେଇଥିଲା। ୯ ତାରିଖ ରାତିରେ ଖଗେଶ୍ୱର ଓ କାରିଗର ଚୈତନ୍ୟ ଘରକୁ ଫେରୁଥିଲେ। ଚନ୍ଦ୍ରକାନ୍ତ ସାହୁ ଓରଫ ବାବୁ ଓ ଅନ୍ୟ ଅପରାଧୀ ୩ଟି ବାଇକ୍ରେ ସେମାନଙ୍କୁ ପିଛା କରିଥିଲେ। ରାସ୍ତାର ଖରିଆ ନାଳ ନିକଟରେ ରାତି ପ୍ରାୟ ୮ଟା ୨୫ ମିନିଟ୍ରେ ଖଗେଶ୍ୱର ଓ ଚୈତନ୍ୟଙ୍କୁ ଅଟକାଇ ଭୟଭୀତ କରିବା ସହ ଦୋକାନ ଚାବି, ଅଳଙ୍କାର ଓ ଟଙ୍କା ଛଡ଼ାଇ ନେଇଥିଲେ। ଖଗେଶ୍ୱର କେତେକ ଅପରାଧୀଙ୍କୁ ଚିହ୍ନି ପାରିଥିଲେ। ଧରାପଡ଼ିବା ଆଶଙ୍କାରେ ଅପରାଧୀମାନେ ଅତି ନିର୍ମମ ଭାବରେ କଟୁରିରେ ହାଣି ଖଗେଶ୍ୱର ଓ ଚୈତନ୍ୟଙ୍କୁ ହତ୍ୟା କରିଥିଲେ। ଘଟଣାର ଅଳ୍ପ ସମୟ ପରେ ଗ୍ରାମବାସୀ ଓ ପୁଲିସ୍ର ହସ୍ତକ୍ଷେପ ଫଳରେ ଅପରାଧୀଙ୍କ ଦୋକାନ ଲୁଟ୍ ଯୋଜନା ପଣ୍ଡ ହୋଇଯାଇଥିଲା। ମାତ୍ର ଅପରାଧୀମାନେ ଧରାପଡ଼ିଯିବା ଭୟରେ ଲୁଟ୍ ସୁନାରୁପା ଗହଣା ସମେତ ଦୋକାନ ଚାବି ଏବଂ ଲୁଟ ଟଙ୍କା ନେଇ କେନ୍ଦ୍ରାପଡ଼ା ଆଡ଼କୁ ପଳାଇ ଯାଇଥିଲେ।
ବିଂଝାରପୁର ଡବଲ ମର୍ଡର ଘଟଣା ଯାଜପୁର ପୁଲିସ ପାଇଁ କଡ଼ା ଚ୍ୟାଲେଞ୍ଜ ହୋଇଥିଲା। ଖୋଦ୍ ଏସ୍ପି ଏସ୍ପି ଚରଣ ସିଂ ମୀନାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଯାଜପୁର ପୁଲିସ ଅପରାଧୀଙ୍କୁ ଧରିବା ପାଇଁ ବିଭିନ୍ନ ଅଞ୍ଚଳରେ ଜାଲ ବିଛାଇଥିଲା। ଏସ୍ଡିପିଓ ପ୍ରଶାନ୍ତ କୁମାର ମଲ୍ଲ, ବିଂଝାରପୁର ଥାନା ଆଇଆଇସି ସୂଚିତ୍ର ବିଜୟ ଦାଶ, ବାଲିଚନ୍ଦ୍ରପୁର ଥାନା ଆଇଆଇସି ରାକେଶ ତ୍ରିପାଠୀ, କାଳିଆପାଣି ଥାନା ଆଇଆଇସି ଯୁବରାଜ ସ୍ୱାଇଁ, ସାଇବର ଅପରାଧ ସେଲ୍ର ମୁଖ୍ୟ ରଂଜନ କୁମାର ବେହେରାଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ଟ୍ରାକ୍ କରି ଅପରାଧୀଙ୍କୁ ଗିରଫ୍ କରିବାରେ ସକ୍ଷମ ହୋଇଛି।
ବିଂଝାରପୁର ଡବଲ୍ ମର୍ଡର୍ ଘଟଣାର ପର୍ଦ୍ଦାଫାସ:୭ ଅପରାଧୀଙ୍କୁ ଉଠାଇଲା ପୁଲିସ
ସୁନା ବ୍ୟବସାୟୀ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଲୁଟ୍ ଅଳଙ୍କାର ଉଦ୍ଧାର କାର, ବାଇକ୍, ବନ୍ଧୁକ, କଟୁରି ଜବତ
/sambad/media/post_attachments/wp-content/uploads/2018/02/jaj-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)