୩୦ ନଂ ଜୋନ୍‌ ଉପ ନିର୍ବାଚନ : ବାଜି ମାରିଲା ବିଜେଡି, ଭୋଟ୍‌ ୬% ବଢ଼ିଲା

ଜିଲ୍ଲା କଂଗ୍ରେସ ସଭାପତିଙ୍କ ଇସ୍ତଫା

ଯାଜପୁରଟାଉନ୍‌/ସଦର : ଗତକାଲି ଅନୁଷ୍ଠିତ ୩୦ ନଂ ଜୋନ ଜିଲ୍ଲା ପରିଷଦ ଉପ ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇଛି। ଶାସକ ବିଜେଡି ପୁଣି କଂଗ୍ରେସ ଓ ବିଜେପିକୁ ବହୁ ପଛରେ ପକାଇ ବାଜିମାରିଛି। ୩୦ ନଂ ଜୋନ ସଭ୍ୟ ଭାବେ ୨୦୧୭ ନିର୍ବାଚନରେ ଭାଗବତ ପ୍ରସାଦ ମିଶ୍ର ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟ ହୋଇଥିଲେ। ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିବାରୁ ଏହି ଜୋନରେ ଉପନିର୍ବାଚନ କରାଯାଇଥିଲା। ମୃତ ଭାଗବତଙ୍କ ପୁଅ ବିଶ୍ୱ ପ୍ରତାପ ମିଶ୍ର ପ୍ରାର୍ଥୀ ହୋଇ ୬୧୧୭ ଭୋଟରେ ବିଜୟ ଲାଭ କରିଛନ୍ତି। ଅନ୍ୟପଟେ ବିଜେପି ପାଇଁ ପୂର୍ବରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ବରାଳ ଓ କଂଗ୍ରେସର ମଫିଜୁଲ ରହେମାନ୍‌  ପୂରାପୂରି ବିଫଳ ହୋଇଛନ୍ତି।

ଆଜି ନିର୍ଦ୍ଧାରିତ ସମୟ ସକାଳ ୮ଟାରେ ବ୍ଲକ୍‌ ପରିସରରେ ୬ଟି ଟେବୁଲରେ ୧୦୧ ବୁଥର ଭୋଟ ଗଣତି ଆରମ୍ଭ ହୋଇଥିଲା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା। ଗତକାଲି ଅନୁଷ୍ଠିତ ୬ଟି ପଞ୍ଚାୟତରେ ମୋଟ ୬୮.୫୯ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୧୬୫୩ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିଥିଲେ। ଏଥିରୁ ବିଜେଡି ସପକ୍ଷରେ ୧୨୭୯୯ଟି  ଭୋଟ୍‌ ଯାଇଥିବା ବେଳେ ବିଜେପିକୁ ୬୬୮୨ ଏବଂ କଂଗ୍ରେସକୁ ମାତ୍ର ୧୭୮୦ଟି ଭୋଟ୍‌ ମିଳିଛି। ୩୯୨ଟି ଭୋଟ୍‌ ନାକଚ ହୋଇଯାଇଥିଲା।

ଆଜି ସକାଳ ୭ଟାରୁ ଭୋଟ ଗଣତି ହୋଇଥିବାବେଳେ ନିର୍ଦ୍ଧାରିତ ୧୨ଟାରେ ଭୋଟ ଗ୍ରହଣ ଶେଷ ହୋଇଥିଲା। ଏହି ଗଣତିରେ ବ୍ଲକର ବିଭିନ୍ନ କର୍ମକର୍ତ୍ତୀ ସାମିଲ ହୋଇଥିବା ବେଳେ ନିର୍ବାଚନ ଅଧିକାରୀ ତଥା ବିଡିଓ ସୌରଭ ଚକ୍ରବର୍ତ୍ତୀ, ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ତହସିଲଦାର ସରୋଜ କୁମାର ରାଉତ, କ୍ଷୀରୋଦ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟ ପକ୍ଷରେ ଏହି ଫଳାଫଳକୁ ନେଇ ଜିଲ୍ଲା ରାଜନୀତି ସରଗରମ ହୋଇ ଉଠିଛି। କଂଗ୍ରେସ ଜିଲ୍ଲା ସଭାପତି ମନୋଜ ରାଉତ ନୈତିକତା ଆଧାରରେ ନିଜ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର