ବରୀରେ ବିଜେପିର ପରିବର୍ତ୍ତନ ସମାବେଶ, ଶକ୍ତି ପ୍ରଦର୍ଶନ କଲା ଦଳ

ବରୀ/ସୁଜନପୁର : ଯାଜପୁରର ବରୀଠାରେ ପରିବର୍ତ୍ତନ ସମାବେଶ ଆଳରେ ବିଜେପି ଆଜି ଶକ୍ତି ପ୍ରଦର୍ଶନ କରିଛି। ଗତ ୨୨ ତାରିଖ ଦିନ ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମର ଜବାବରେ ଦଳ ଏହି ସମାବେଶ ଆୟୋଜନ କରିଥିବା ଜଣାପଡ଼ିଛି।

ଯାଜପୁର ବ୍ଲକ୍‌ ଅନ୍ତର୍ଗତ ଏରବାଙ୍କ ପଞ୍ଚାୟତର ରଘୁନାଥପୁର ଖେଳପଡ଼ିଆରେ ଆୟୋଜିତ ଏହି ସମାବେଶରେ ବିଜେପିର ଜିଲ୍ଲା ସଭାପତି ଗୌତମ ରାୟ ସଭାପତିତ୍ୱ କରିଥିଲେ। ଏଥିରେ, ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେପିର ପ୍ରାକ୍ତନ ସଭାପତି ତଥା ବିଜେପି ବିଧାୟକ ଦଳ ନେତା କେ.ଭି. ସିଂହଦେଓ ଯୋଗ ଦେଇ କହିଥିଲେ ଯେ, ରାଜ୍ୟ ସରକାରଙ୍କ ମହାନଦୀ ସୁରକ୍ଷା ଅଭିଯାନ ଏକ ରାଜନୈତିକ ଚାଲ୍‌। ଏଥିସହିତ, ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ୧୨୦ ଆସନ ମିସନରେ ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ଥିବା ସେ ଦୃଢ଼ୋକ୍ତିି କରିଥିଲେ।

ସମ୍ମାନିତ ଅତିଥି ଭାବେ ବରୀ ନିର୍ବାଚନମଣ୍ଡଳୀର ବିଜେପି ଯୁବ ନେତା ବିଶ୍ୱରଂଜନ ମଲ୍ଲିକ ଯୋଗ ଦେଇ ସ୍ଥାନୀୟ ବିଧାୟକ ଦେବାଶୀଷ ନାୟକଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ନିର୍ବାଚନମଣ୍ଡଳୀର ଜୀବନଧାରା ତଥା ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବ୍ରାହ୍ମଣୀ ନଦୀ ଦୀର୍ଘବର୍ଷ ହେଲା ଶୁଷ୍କ ପଡ଼ିଥିବାବେଳେ ସ୍ଥାନୀୟ ବିଧାୟକ କେତେଥର ଏହାକୁ ନେଇ ସ୍ୱର ଉଠାଇଛନ୍ତି ବୋଲି ପ୍ରଶ୍ନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବରୀ ବ୍ଲକ୍‌ ଅଧ୍ୟକ୍ଷା ସୁନନ୍ଦା ଦାସ, ବରୀ ବ୍ଲକ୍‌ ଉପାଧ୍ୟକ୍ଷ ରମେଶ ଭଞ୍ଜ, ଜିଲ୍ଲା ପରିଷଦ ସଭ୍ୟ ଚତୁର୍ଭୁଜ ଦ୍ୱିବେଦୀ, ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ସାମଲ, ରଂଜିତା ସାମଲ, ଏରବାଙ୍କ ସରପଂଚ ସୁଲୋଚନା ସାହୁ, କର୍ମୀ ସନାତନ ନାୟକ, ପୂର୍ବତନ ସରପଞ୍ଚ ଅଶୋକ କୁମାର ମହାନ୍ତି, ପୂର୍ବତନ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ରମେଶ ପରିଡ଼ା ଅତିଥି ଭାବେ ଯୋଗଦେଇଥିଲେ।

ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଦେବେନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ବରୀ ବ୍ଲକର ପ୍ରାକ୍ତନ ଉପାଧ୍ୟକ୍ଷ ହେମନ୍ତ କୁମାର ମହାପାତ୍ର କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ସମ୍ବନ୍ଧିତ ଖବର