ତୈଳ ପରୀକ୍ଷଣ ବେଳେ ବିସ୍ଫୋରଣ: ଫାଟିଲା ଘରକାନ୍ଥ

ରତ୍ନଗିରି : ଭାରତୀୟ ତୈଳ ନିଗମ ପକ୍ଷରୁ ଚାଲିଥିବା ତୈଳ ସନ୍ଧାନ ପରୀକ୍ଷଣ ବେଳେ ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ ମନ୍ଦାରୀ ପଞ୍ଚାୟତରେ ଶତାଧିକ ଘର ଫାଟିଯାଇଛି। କ୍ଷତିଗ୍ରସ୍ତ ଲୋକମାନେ କମ୍ପାନିର ଗାଡ଼ିକୁ ଅଟକ ରଖିବା ସହ ବରୀ ଥାନାରେ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ଓଡ଼ିଶାର ବିଭିନ୍ନ ନଦୀ ଅବବାହିକାରେ ତୈଳସନ୍ଧାନ ପରୀକ୍ଷଣ କାର୍ଯ୍ୟ ଚାଲୁରହିଛି। ତୈଳ ନିଗମ ପକ୍ଷରୁ ଆଲ୍ଫା ଜିଓ ନାମକ ଏକ କମ୍ପାନି ପରୀକ୍ଷଣ କାର୍ଯ୍ୟ ଜାରି ରଖିଛି। ଆଜି ବ୍ରାହ୍ମଣୀ ଅବବାହିକାର ମନ୍ଦାରୀ ପଞ୍ଚାୟତରେ ଅନୁସନ୍ଧାନ କାର୍ଯ୍ୟ ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଛି ।

କମ୍ପାନି ପକ୍ଷରୁ ବ୍ୟବହୃତ ବିସ୍ଫୋରକରେ ଶତାଧିକ କୋଠାଘରର କାନ୍ଥ ଫାଟି ଯାଇଛି । କ୍ଷତିଗ୍ରସ୍ତ ଲୋକମାନେ ବରୀ ଥାନାରେ ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି। ଅଭିଯୋଗ ପରେ ବରୀ ପୁଲିସ୍‌ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଉକ୍ତ କମ୍ପାନି ପକ୍ଷରୁ କିଛିଦିନ ହେଲା ନଦୀ ଅବବାହିକାରେ ବରୀ ବ୍ଲକ୍‌ର ରତ୍ନଗିରି, ମହାକାଳପଡ଼ା, ମନ୍ଦାରୀ ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମରେ ତୈଳଅନୁସନ୍ଧାନ କାର୍ଯ୍ୟ ଜାରିରହିଛି । ପ୍ରଥମେ ବୋର ଖୋଳାଯିବା ପରେ ବିସ୍ଫୋରକ ଦେଇ ପରୀକ୍ଷଣ କରାଯାଉଛି। ଗତକାଲି ମନ୍ଦାରୀ ପଞ୍ଚାୟତର ମେଦୂଆକୂଳ ଗ୍ରାମରେ ଜନବସତି ଠାରୁ ଅଳ୍ପ ଦୂରରେ ପରୀକ୍ଷଣ କରାଯାଇଥିଲା। ବିସ୍ଫୋରଣର ପ୍ରଚଣ୍ତ ଶବ୍ଦରେ ଗ୍ରାମର ଶତାଧିକ କୋଠାଘର କାନ୍ଥ ଫାଟିଯାଇଥିଲା। ଉତ୍ୟକ୍ତ ଗ୍ରାମବାସୀ କମ୍ପାନି କର୍ତ୍ତୃପକ୍ଷଙ୍କ ଗାଡ଼ି ଅଟକ ରଖିଥିଲେ। ଗ୍ରାମବାସୀଙ୍କୁ ବୁଝାସୁଝା କରିବା ଉଦ୍ୟମ ବ୍ୟର୍ଥ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ଗ୍ରାମର ୪୦ ପରିବାର କମ୍ପାନି ବିରୋଧରେ ବରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବରୀ ପୁଲିସ୍‌ ପ୍ରାଥମିକ ତଦନ୍ତ କରିବା ସହ ଅଟକ ଗାଡ଼ିଟିକୁ ଥାନାକୁ ନେଇ ଯାଇଥିଲା। ଆଜି ଯାଜପୁରରୋଡ୍ ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ ଓ ବରୀ ଥାନାଧିକାରୀ ଅଜୟ କୁମାର ଜେନା ପରୀକ୍ଷଣସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ବରୀ ଥାନାଧିକାରୀ ଶ୍ରୀ ଜେନାଙ୍କୁ ପଚାରିବାରୁ କମ୍ପାନିର ଗାଡ଼ିକୁ ଥାନାରେ ଅଟକ ରଖାଯାଇଛି ଓ କମ୍ପାନି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପଚରାଉଚରା ପାଇଁ ଡକାଯାଇଛି ବୋଲି କହିଛନ୍ତି। ମେଦୁଆକୂଳ ଗ୍ରାମ ଭଳି ଏହି ପଞ୍ଚାୟତର ବରହମପୁର ଓ ରତ୍ନଗିରି ପଞ୍ଚାୟତର ରାଉତସାହି ଗ୍ରାମରେ କିଛି କୋଠା ଘର କ୍ଷତିଗ୍ରସ୍ତ ହୋଇଛି। ଏହାର ତଦନ୍ତ କରାଯାଇ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହୋଇଛି ।

ସମ୍ବନ୍ଧିତ ଖବର