ଟାଙ୍ଗିଆରେ ହାଣି ଅତି ନୃଶସ ଭାବେ ଭାଉଜକୁ ହତ୍ୟା କରିଥିବା ଦିଅରକୁ ଆଜୀବନ କାରାଦଣ୍ଡ

ଯାଜପୁର: ନିଜର ଭାଉଜକୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟାକରି ଥିବା ଅପରାଧୀକୁ ଯାଜପୁର ଦୌରାଜଜ ବିରଞ୍ଚି ନାରାୟଣ ମିଶ୍ର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନା ଅନୁସାରେ ୨୦୧୮ ମସିହା ମେ ୩୧ ତାରିଖରେ ମଙ୍ଗଳପୁର ଥାନା ଇଶ୍ବରପୁର ଗ୍ରାମର ଜ୍ଞାନରଂଜନ ତ୍ରିପାଠୀଙ୍କ ପତ୍ନୀ ମଧୁସ୍ମିତା ମିଶ୍ର(୪୨)ଙ୍କୁ ତାଙ୍କ ଦିଅର ଚିତ୍ତରଞ୍ଜନ ତ୍ରିପାଠୀ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ୩୧ ତାରିଖ ସକାଳେ ଭାଉଜ ନିଜ ଦିଅରକୁ ଖାଇବାକୁ ଦେଇ ବାଡ଼ିରେ କାମ କରୁଥିବା ବେଳେ ହଠାତ ଦିଅର ଏକୁଟିଆର ସୁଯୋଗ ନେଇ ଏକ ଧାରୁଆ ଟାଙ୍ଗିଆରେ ଭାଉଜଙ୍କୁ ପଛପଟୁ ନିର୍ମମ ଭାବେ ଆକ୍ରମଣ କରି ରକ୍ତାକ୍ତ କରିଥିଲା। ଏହି ସମୟରେ ତାଙ୍କ ପଡ଼ିଶା ରାଜ କିଶୋର ପତିଙ୍କ ଘରେ ରାଜମିସ୍ତ୍ରୀ କାର୍ଯ୍ୟ କରୁଥିବା ପ୍ରମୋଦ ଜେନା ସବୁ  ଦେଖି ଚିତ୍କାର କରି ଉଠିଥିଲେ। ଘଟଣାସ୍ଥଳରେ ହିଁ ମଧୁସ୍ମିତାଙ୍କ ମୃତ୍ୟୁ ହୋଇଥିଲା।

ଆକ୍ରମଣ ପରେ ଦିଅର ଚିତ୍ତରଂଜନ ଫେରାର ହୋଇ ଯାଇଥିଲେ। ତେବେ ଉକ୍ତ ଦିନ ୧୨ଟା ସମୟରେ ଦିଅର ଚିତ୍ତରଞ୍ଜନ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲା। ଏହି ଘଟଣ‌ା ପରେ ମୃତ ମଧୁସ୍ମିତାଙ୍କ ଭାଇ ରାକେଶ କୁମାର ମିଶ୍ର ମଙ୍ଗଳପୁର ଥାନାରେ କେସ ନଂ ୧୧୭/୧୮‌ରେ ଦଫା ୩୦୨ରେ ମାମଲା ରୁଜୁ କରିଥିଲେ। ତେବେ ୨୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଜିଲ୍ଲା ଦୌରାଜଜ୍ ବିରଞ୍ଚି ନାରାୟଣ ମିଶ୍ର ଚିତ୍ତରଞ୍ଜନକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାକୁ ପବ୍ଲିକ୍ ପ୍ରୋସିକ୍ୟୁଟର ଗଦାଧର ସାହୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର