ଚଣ୍ଡିଖୋଲ: ପଟ୍ଟାମୁଣ୍ଡାଇ କେନାଲର ଭରା ପାଣି ଭିତରକୁ ଭାରସାମ୍ୟ ହରାଇ ଏକ ଚଳନ୍ତା କାର ପଶି ଯାଇଥିଲା। ଫଳରେ କାର ଭିତରେ ଥିବା ଚାଳକ ସହିତ ଜଣେ ମହିଳା ଓ ତାଙ୍କର ଜଣେ ପୁଅ ଅଳ୍ପକେ ବର୍ତ୍ତି ଯାଇଥିଲେ। 

Advertisment

ସୂଚନା ମୁତାବକ ବାଲିଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ନାନପୁର ପଟଣା ଗ୍ରାମର ଚିତ୍ତ ରଞ୍ଜନ ମିଶ୍ରଙ୍କ ପତ୍ନୀ ହରପ୍ରିୟା ମିଶ୍ର (୪୫) ଓ ତାଙ୍କ ପୁତ୍ର ଶୁଭକାନ୍ତ (୧୭) ଆଜି ଏକ କାର ଯୋଗେ କୌଣସି କାମରେ ପଟ୍ଟାମୁଣ୍ଡାଇ କେନାଲ ଦେଇ ମାହାଙ୍ଗା ବ୍ଲକ ଅନ୍ତର୍ଗତ ତ୍ରିବେଣୀଶ୍ବର ଅଭିମୁଖେ ଯାଇ ଫେରୁ ଥିବା ବେଳେ କାରଟି ଭାରସାମ୍ୟ ହରାଇ ଜଳେଶ୍ବର ଗ୍ରାମ ନିକଟ ପଟ୍ଟାମୁଣ୍ଡାଇ କେନାଲ ଭିତରକୁ ପଶି ଯାଇଥିଲା। ତେବେ କେନାଲ ଭିତରେ ଭରା ପାଣି ଥିବାରୁ କାରଟି ଅଧା ପର୍ଯ୍ୟନ୍ତ ବୁଡ଼ି ଯାଇଥିଲା।

ଏଭଳି ପରିସ୍ଥିତିରେ ପୁତ୍ର ଶୁଭକାନ୍ତ କାର ଭିତରେ ଥାଇ ମଧ୍ୟ ନିଜର ମାଆଙ୍କୁ କାର ଭିତରୁ ବାହାରକୁ ଠେଲି ବାହାର କରିଦେଇ ନିଜେ ସମସ୍ୟା ଭିତରେ ରହି ଯାଇଥିଲେ। ଏହି ସମୟରେ ସେଠାରେ ଥିବା ଜଣେ ଅବସରପ୍ରାପ୍ତ ସୈନିକ ନିରଞ୍ଜନ ତ୍ରିପାଠୀ ଲୋକ ମାନଙ୍କୁ ଡକା ପକାଇବା ସହିତ ନିଜେ ପାଣି ଭିରକ୍ତରକୁ ଯାଇ ବହୁ କଷ୍ଟରେ ପାଣି ଭିତରୁ ଉଭୟ ମାଆ ପୁଅଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

ପରେ ଖବର ପାଇ ନାନପୁର ପଟଣା ଗ୍ରାମର ଯୁବ ସମାଜସେବୀ ଦିଲ୍ଲୀପ କୁମାର ଷେଣ୍ଢ, ଲକ୍ଷ୍ମୀଧର ବାନା, ସୁନାକର ମିଶ୍ର, କମଳ ଷେଣ୍ଢ, ଜଗବନ୍ଧୁ ଜେନା, ସଞ୍ଜୟ ବଳ, ରଘୁନାଥ ସ୍ୱାଇଁ ଓ ସୂର୍ଯ୍ୟକାନ୍ତ ମିଶ୍ର ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତ ମାଆ ଓ ପୁଅଙ୍କୁ ମାହାଙ୍ଗା ମେଡିକାଲକୁ ଆଣି ଚିକିତ୍ସିତ କରାଇଥିଲେ।

ତେବେ ଚିକିତ୍ସା ପରେ ଉଭୟ ମାଆ ପୁଅ ଘରକୁ ଫେରି ଆସିଥିବା ଜଣାଯାଇଛି। ଜଳେଶ୍ୱରପୁର ଗ୍ରାମବାସୀଙ୍କ କହିବାନୁଯାୟୀ ଏହା ପୂର୍ବରୁ ପଟ୍ଟାମୁଣ୍ଡାଇ କେନାଲର ଭରା ପାଣି ଭିତରକୁ ପଶି ଆସିଥିବା ଯେ କୌଣସି ଗାଡିର ଲୋକେ ମୃତ୍ୟୁ ମୁଖରେ ପଡିଥିବା ବେଳେ ଆଜି ପ୍ରଥମ ଘଟଣା ଯେଉଁଥିରେ ଏଭଳି ଏକ ଦୁର୍ଘଟଣାରେ ମାଆ ପୁଅ ଜୀବନ ଫେରି ପାଇଛନ୍ତି। 

Jajpur