ଧର୍ମଶାଳା: ଧର୍ମଶାଳା ଥାନା ଅନ୍ତର୍ଗତ ଜାରକାର ଦୀପକ କୁମାର ଜେନାଙ୍କ ସସ୍ ଓ ଆଚାର କାରଖାନାରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଗତ ୨୫ ତାରିଖ ସନ୍ଧ୍ୟାରେ ଚଢ଼ଉ କରାଯାଇଥିଲା। ଏହି ସମୟରେ କନିଷ୍ଠ ଯନ୍ତ୍ରୀ ଅବନୀକାନ୍ତ ବେହେରା କାରଖାନାର ଗାଡ଼ି ଚାଳକଙ୍କୁ ଜାତିଆଣ ଆକ୍ଷେପ କରିବା ସହିତ ବିଦ୍ୟୁତ୍ ବ୍ୟବହାରକୁ ନେଇ ଦୀପକ ଓ ତାଙ୍କ ପତ୍ନୀଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଦୀପକ ଧର୍ମଶାଳା ଥାନାରେ ଏତଲା ଦେଇଥିଲେ। ପୁଲିସ୍ ୪୫୪/୨୩ରେ ଏକ ମାମଲା ରୁଜୁ କରିଥିବା ବେଳେ ଯାଜପୁରରୋଡ୍ ଏସ୍ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ କାରଖାନାକୁ ଆସି ଘଟଣାର ତଦନ୍ତ କରିଛନ୍ତି।
ଅନ୍ୟପଟେ ବିଦ୍ୟୁତ୍ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଶ୍ରୀ ଜେନାଙ୍କ ନାମରେ ଜାରକା ବିଦ୍ୟୁତ୍ ଉପଖଣ୍ତର ଏସ୍ଡିଓ ବିପ୍ରେଶ କୁମାର ପାଲଟା ଅଭିଯୋଗ କରିଥିଲେ। ପୁଲିସ ଏନେଇ ୪୫୭/୨୩ରେ ଅନ୍ୟ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ ଯେ କିଛିଦିନ ପୂର୍ବେ ଏହି ସସ୍ କାରଖାନାରେ ବିଦ୍ୟୁତ୍ ବିଭାଗ ଚଢ଼ଉ କରି ଜରିମାନା କରିଥିଲେ। ଏନେଇ ଦୀପକ ବିଦ୍ୟୁତ୍ ବିଭାଗ ବିରୋଧରେ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ଗତ ୨୬ ତାରିଖରେ ଏହାର ଶୁଣାଣି ରହିଥିବାବେଳେ ବିଦ୍ୟୁତ୍ କର୍ମଚାରୀ ଆକ୍ରୋଶମୂଳକ ଭାବେ ଏହାର ପୂର୍ବଦିନ କାରଖାନାରେ ପୁନର୍ବାର ଚଢ଼ଉ କରିଥିଲେ ଏବଂ ଧମକଚମକ ଦେଇଥିଲେ ବୋଲି ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ବିଦ୍ୟୁତ୍ ବିଭାଗ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ତନ କରାଯାଇଛି।
ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ନାଁରେ ଜାତିଆଣ ମାମଲା
/sambad/media/post_attachments/wp-content/uploads/2023/08/ff-670x430-1.jpg)