ଯାଜପୁର/ଧର୍ମଶାଳା: ଧର୍ମଶାଳା ଅଞ୍ଚଳରେ ଉଜୁଡ଼ି ଯାଇଥିବା ପରିବେଶ ପୁଣିଥରେ ସବୁଜିମାରେ ହସି ଉଠିବ। ଖଣି ଉତ୍ତୋଳନ ଅଞ୍ଚଳରେ ବିରାଟ ଖାଲଗୁଡ଼ିକୁ ପୋତାଯାଇ ଲାଣ୍ଡବ୍ୟାଙ୍କ ସୃଷ୍ଟି କରାଯାଇପାରିବ। ସେହି ଜାଗାରେ ନୂତନ ଜଙ୍ଗଲ ସୃଷ୍ଟି ହେବ। ଏନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ଜିଲ୍ଲା ପ୍ରଶାସନ ସହଯୋଗରେ ଖୁବଶୀଘ୍ର କିପରି ଖାଦନ ଜନିତ ଗର୍ତ୍ତ ଗୁଡ଼ିକୁ କାରଖାନାରୁ ବାହାରୁଥିବା ପାଉଁଶରେ ପୋତାଯାଇ ବନୀକରଣ କରାଯିବ ତା’ ଉପରେ ପ୍ରଚେଷ୍ଟା ଜାରି ରହିଛି।
ଜନସାଧାରଣଙ୍କୁ ସୁରକ୍ଷିତ ପରିବେଶ ସହିତ ସୁସ୍ଥ ଜୀବନ ପ୍ରଦାନ ଲାଗି ଯାହା ପଦକ୍ଷେପ ନିଆଯିବା ଆବଶ୍ୟକ ତାହା ନିଶ୍ଚିତ ଭାବେ କରିବାକୁ ସଂକଳ୍ପବଦ୍ଧ ବୋଲି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ କହିଛନ୍ତି। ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମ୍ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ଣରେ ‘ସମ୍ବାଦ’ ତରଫରୁ ଅନୁଷ୍ଠିତ ‘ପରିବେଶ ପଞ୍ଚାୟତ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ସାହୁ କହିଲେ, ବ୍ୟସ୍ତବହୁଳ ଜୀବନରେ ଆଜିକାଲି ପରିବେଶ ସୁରକ୍ଷା କଥା କେହି ଚିନ୍ତା କରୁନାହାନ୍ତି। ବାସ୍ତବରେ କିନ୍ତୁ ପରିବେଶଜନିତ ସମସ୍ୟା ବର୍ତ୍ତମାନ ସବୁଠୁ ବଡ଼ ସମସ୍ୟା ଭାବେ ସମଗ୍ର ବିଶ୍ବରେ ଉଭା ହେଲାଣି। ପରିବେଶ ସୁରକ୍ଷିତ ନରହିଲେ ଆମେ କେହି ବଞ୍ଚି ପାରିବା ନାହିଁ।
ପରିବେଶ ବିନା ବିକାଶର କୌଣସି ମୂଲ୍ୟନାହିଁ। ତେଣୁ ବର୍ତ୍ତମାନର ସରକାର ଏଥିପ୍ରତି ସମ୍ପୂର୍ଣ୍ଣ ଭାବେ ସଚେତନ ଅଛନ୍ତି। ଏହା କୌଣସି ସରକାର କିମ୍ବା ଦଳ ଭିତରେ ସୀମିତ ରହିବା ଆଦୌ ଉଚିତ ନୁହେଁ। ପରିବେଶ ସୁରକ୍ଷା ନିମନ୍ତେ ସାମୂହିକସ୍ତରରେ ସମସ୍ତେ ଆଗେଇ ଆସିବା ଉଚିତ ବୋଲି ଶ୍ରୀ ସାହୁ କହିଥିଲେ। ଏଥିସହ ‘ସମ୍ବାଦ’ ତରଫରୁ ପୁନଶ୍ଚ ପୃଥିବୀ ମାଧ୍ୟମରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ ଦ୍ବାରା ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ପରିବେଶଜନିତ ସମସ୍ୟା ଆଗକୁ ଅଣାଯିବା ସହିତ ସ୍ଥାନୀୟ ବିଧାୟକ, ନିର୍ବାଚିତ ପ୍ରତିନିଧି ଓ ସଚେତନ ନାଗରିକଙ୍କୁ ଏକାଠି କରି ଏହାର ସମାଧାନ ଦିଗରେ ହେଉଥିବା ଆଲୋଚନାକୁ ସେ ପ୍ରଶଂସା କରିଥିଲେ। ଏହାକୁ ଆହୁରି ବ୍ୟାପକ କରିବା ଲାଗି ରାଜ୍ୟସ୍ତରରେ କିମ୍ବା ଜାତୀୟସ୍ତରରେ ଏକ ସମ୍ମିଳନୀ କରାଯାଇ ପରିବେଶଜନିତ ସମସ୍ୟାର ସମାଧାନ ଦିଗରେ ନିଷ୍କର୍ଷର ବାଟ ବାହାର କରାଯାଉ ବୋଲି ସେ ପ୍ରସ୍ତାବ ଦେଇଥିଲେ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ସାହିତ୍ୟିକ ଡ. ଗୌତମ ଜେନା ଯୋଗଦେଇ କହିଥିଲେ, ପରିବେଶର ସୁରକ୍ଷା ଏବେ ସବୁଠୁ ବଡ଼ ଆହ୍ବାନ। ଆଲୋକ, ଜଳ, ପବନ, ମାଟି ଏସବୁ ପରିବେଶର ସୁରକ୍ଷା ତଥା ମଙ୍ଗଳ ପାଇଁ ରହିଛି। ଯଦି ଏସବୁ ଭିତରୁ ଗୋଟିଏ ବି ରହିବ ନାହିଁ, ତା’ହେଲେ ଜୀବଜଗତ ରହିବ ନାହିଁ। ବର୍ଜ୍ୟବସ୍ତୁ ପରିଚାଳନା ମଧ୍ୟ ଆଉ ଏକ ବଡ଼ ଆହ୍ୱାନ। ଯାଜପୁର ଜିଲ୍ଲାରେ ଯେତେ ସବୁ କଳାକାରଖାନା ରହିଛି ସେଗୁଡ଼ିକର ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିଧାୟକ ସରକାରଙ୍କ ଦୃଷ୍ଟିକୁ ଆଣନ୍ତୁ।
ଜୈବିକ ଉପାୟରେ ଚାଷକୁ ଯଥେଷ୍ଟ ଗୁରୁତ୍ବ ଦିଆଯିବା ଉଚିତ ବୋଲି ସେ କହିବା ସହିତ ପରିବେଶ ସୁରକ୍ଷା ଦିଗରେ ବୃକ୍ଷରୋପଣ ସବୁଠୁ ବଡ଼ ସମାଧାନ। ‘ସମ୍ବାଦ’ର ଯାଜପୁର ସଂସ୍କରଣ ମୁଖ୍ୟ ଗଦାଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ‘ସମ୍ବାଦ’ର ଧର୍ମଶାଳା ପ୍ରତିନିଧି ସୀତାକାନ୍ତ ସାମଲ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ‘କନକ ନ୍ୟୁଜ୍’ର ଧର୍ମଶାଳା ପ୍ରତିନିଧି ବିମଳ ପତି, ସମାଜସେବୀ ତଥା ବିଜେପି ନେତା ଜିତେନ୍ଦ୍ର ରାଉତ, ତୀର୍ଥରାଜ ପଣ୍ଡା, ପରିବେଶବିତ ଶ୍ରୀନିବାସ ଜେନା, ଜାରକା ସରପଞ୍ଚ ସୁଦାମ ଚରଣ ବେହେରା, ଯୁବନେତା ରାଜେଶ ପାଳ, ପୂର୍ବତନ ସରପଞ୍ଚ ଅମୂଲ୍ୟଧର ଜେନା, ଶିକ୍ଷାବିତ୍ ଯୁଗଳ କିଶୋର ଦାସ, ବିଜେପି ନେତା ନାରାୟଣ ମଲିକ, ରବୀନ୍ଦ୍ର ବରାଳ, ଅଭିଜିତ ବେହେରା, ସୌମ୍ୟରଂଜନ ଘଟୁଆରୀ, କିଶୋର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପରେ ଷ୍ଟାଡିୟମ ପରିସରରେ ବିଧାୟକ ଶ୍ରୀ ସାହୁ ଓ ଶିକ୍ଷାବିତ୍ ଡ. ଜେନା ଚାରାରୋପଣ କରିଥିଲେ।
Punascha Pruthibi