କଂଗ୍ରେସର ଥାନା ଘେରାଉ ଉଦ୍ୟମ

 ଶୋଭାଯାତ୍ରାକୁ ଅଧାରେ ଅଟକାଇଲା ପୁଲିସ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି

ଆନନ୍ଦପୁର,: ସାଧାରଣ ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ବିରୋଧୀଙ୍କୁ ଦମନ କରିବାପାଇଁ ପୁଲିସ୍‌ର ଗିରଫଦାରିକୁ ନେଇ ଘସିପୁରା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଆନ୍ଦୋଳନ ପାଇଁ କଂଗ୍ରେସର ସଜବାଜ ଦେଖି ପୁଲିସ ରକ୍ଷଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାକୁ ବାଧ୍ୟ ହୋଇଛି। ଥାନା ଘେରାଉ ପାଇଁ ବାହାରିଥିବା ଶୋଭାଯାତ୍ରାକୁ ଅଧାରାସ୍ତାରେ ଅଟକାଇବା ସହ ଆନ୍ଦୋଳନରୁ ଓହରିଯିବାକୁ ଅନୁରୋଧ କରିଛି। ୭୨ ଘଣ୍ଟା ମଧ୍ୟରେ ଘସିପୁରା ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି। ଏହାପରେ ପରିସ୍ଥିତି ସାମାନ୍ୟ ସ୍ବାଭାବିକ ହୋଇଛି। ଅନ୍ୟପଟେ କାର୍ଯ୍ୟାନୁଷ୍ଠାନ ନହେଲେ ପୁଣି ଆନ୍ଦୋଳନ ହେବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି। କୌଣସି କାରଣ ନଥାଇ ପୁଲିସ ଜାଣିଶୁଣି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବା କଂଗ୍ରେସ ଅଭିଯୋଗ କରିଛି। ଗତ ୫ତାରିଖ ରାତିରେ ଘସିପୁରାରେ ଅଷ୍ଟପ୍ରହରୀ ନାମଯଜ୍ଞ ଚାଲିଥିଲା। ଘସିପୁରା ଥାନା ଆଇଆଇସି ବିର‌ଞ୍ଚି ବାଗ୍ କୌଣସି ନିର୍ଦିଷ୍ଟ କାରଣ ନଥାଇ ଆନନ୍ଦପୁର ପୌରପାଳିକାର ପୂର୍ବତନ ପୌର ଉପାଧ୍ୟକ୍ଷ ସୁରେଶ ସାହୁଙ୍କ ସାନଭାଇ ରାଜେନ୍ଦ୍ର ସାହୁଙ୍କୁ ଥାନାକୁ ଉଠାଇ ନେଇଥିଲେ। ଖବର ପାଇ ସୁରେଶ ଓ ତାଙ୍କର ସାମ୍ବାଦିକ ଭାଇ ଜିତେନ୍ଦ୍ର ସାହୁ ରାତି ୧୨ଟାରେ ଏ ସମ୍ପର୍କରେ ବୁଝିବା ପାଇଁ ଥାନାରେ ପହଞ୍ଚିଥିଲେ। ଏଭଳି ଗିରଫଦାରିର କାରଣ ପଚାରିବାରୁ ପୁଲିସ୍‌ ସହିତ ବଚସା ହୋଇଥିଲା।

ଏହି ବଚସାକୁ କେନ୍ଦ୍ରକରି ପୁଲିସ ସଂଗିନ୍ ଦଫାରେ ସୁରେଶ ଓ ଜିତେନ୍ଦ୍ରଙ୍କୁ କୋର୍ଟଚାଲାଣ କରିଦେଇଥିଲା। ଜାମିନ୍ ନାମଞ୍ଜୁର ହେବାରୁ ସେମାନେ ଏବେ ଜେଲ ହାଜତରେ ଅଛନ୍ତି। ଆନନ୍ଦପୁର ବିକାଶ ପରିଷଦର ସଭାପତି ତଥା ସନାସେନାର ନେତା ସୁରେଶ ସାହୁ ଗତ କିଛିଦିନ ହେଲା ଘସିପୁରାର କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କୁ ସମର୍ଥନ କରି ପ୍ରଚାରକୁ ଜୋରଦାର କରିଥିଲେ। ଏଣୁ ପୁଲିସ୍‌ ତାଙ୍କୁ ଟାଗେର୍ଟ୍ କରି ଗିରଫ କରିଥିବା ଅଭିଯୋଗ ହୋଇଥିଲା। ଏଭଳି ବେଆଇନ ଗିରଫଦାରିର ପ୍ରତିବାଦ କରିଥିଲା କଂଗ୍ରେସ। ଥାନା ଘେରାଉ କରିବାକୁ ଆଜି ଦିନ ୧୧ଟାରେ ପା‌ଞ୍ଚ ହଜାରରୁ ଊର୍ଦ୍ଧ୍ବ କଂଗ୍ରେସ ସମର୍ଥକ ଶୈଲଙ୍ଗ ଛକ ନିକଟରେ ଏକାଠି ହୋଇଥିଲେ। ଏହା ଦେଖି ପୁଲିସ୍‌ ସହରରେ ୩୦ ଧାରା ଜାରି କରିବା ସହିତ ଆନ୍ଦୋଳନକୁ ବେଆଇନ୍ ବୋଲି ଦର୍ଶାଇ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରିଥିଲା। ଥାନାରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା। ଏହାସତ୍ତ୍ବେ ଆନ୍ଦୋଳନକାରୀମାନେ ସାଢ଼େ ୧୨ଟାରେ ଘସିପୁରା ଆଇଆଇସିଙ୍କ ବିରୋଧରେ ସ୍ଲୋଗାନ୍ ଦେଇ ତାଙ୍କୁ ଏଠାରୁ ହଟାଇବା ଦାବି କରି ଶୋଭାଯାତ୍ରାରେ ବାହାରିଥିଲେ। ୫ ଶହ ମିଟର ଆସିବାପରେ ଆନନ୍ଦପୁର ଏସ୍‌ଡିପିଓ ବିଦ୍ୟୁତ୍ ଚନ୍ଦ୍ର ପଣ୍ତା ଆନ୍ଦୋଳନକାରୀଙ୍କୁ ଅଟକାଇ ଦାବିପତ୍ର ଗ୍ରହଣ କରିଥିଲେ। ଆନ୍ଦୋଳନରୁ ଓହରି ଯିବାକୁ ନିବେଦନ କରିଥିଲେ। ଆଗାମୀ ୭୨ ଘଣ୍ଟା ମଧ୍ୟରେ ଆଇଆଇସିଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ହଟିଥିଲା। ସୁରେଶ ଓ ତାଙ୍କ ଭାଇ ପୁଲିସ୍‌କୁ ମାଡ଼ ମାରିବା ଅଭିଯୋଗ ସମ୍ପର୍କରେ ଥାନାରେ ଲାଗିଥିବା ସିସିଟିଭି ଫୁଟେଜର ତଦନ୍ତ କରିବାକୁ ଦାବି କରାଯାଇଥିଲା। ଏପରିକି ଗତକାଲି ଆଇଆଇସି ବିର‌ଞ୍ଚି ବାଗ୍ କେତେକ ଗଣମାଧ୍ୟମ ପ୍ରତିନିଧି ଓ ଏତଲା ଦେବାକୁ ଯାଇଥିବା ଛାତ୍ରନେତା ଯଜ୍ଞପ୍ରସାଦଙ୍କୁ ମଧ୍ୟ ନାଲିଆଖି ଦେଖାଇବା ସହିତ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ଏହାର ଭିଡିଓ ଭାଇରାଲ ହେବାପରେ ଥାନା ଅଧିକାରୀଙ୍କ ଏପରି ଆଚରଣଙ୍କୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଥାନା ଆଇଆଇସିଙ୍କ ଏଭଳି କାର୍ଯ୍ୟଶୈଳୀ ଯୋଗୁ ଏଠାରେ ଅବାଧ ମତଦାନ ନେଇ କଂଗ୍ରେସ ପକ୍ଷରୁ ସନ୍ଦେହ ପ୍ରକଟ କରାଯିବା ସହିତ ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଆଜିର ଆନ୍ଦୋଳନରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳ, ଯୁବନେତା ନିକୁଞ୍ଜ ବିହାରୀ ମିଶ୍ର, ସୁବ୍ରତ କୁମାର ଚକ୍ର, ସଂଗ୍ରାମ ଜେନା, ମନୋଜ ସ୍ବାଇଁ, ଜୟନ୍ତ ସାହୁ, ସୁରେଶ ପୃଷ୍ଟି, ଦିଲୀପ ଜେନା, ତ୍ରିଲୋଚନ ପରିଡ଼ା, ଚଗଲା କୁଅଁର, ତାରିଣୀ ପ୍ରସାଦ ପଟ୍ଟନାୟକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର