ବନ୍ଧକ ସୁନା ଫେରି ପାଇଲେନି, ବ୍ୟାଙ୍କରେ ତାଲା ପକାଇ ଧାରଣା ଦେଲେ ଗ୍ରାହକ

ବରୀ: ବନ୍ଧକ ଥିବା ସୁନାଗହଣା ଫେରି ପାଇବା ପାଇଁ ବରୀ ବ୍ଲକ୍‌ ଅନ୍ତର୍ଗତ ବାଲିଆପାଳ ଛକରେ ଥିବା ଇଣ୍ଡିଆନ୍ ବ୍ୟାଙ୍କ ଶାଖାରେ କିଛି ଗ୍ରାହକ ଗତକାଲି ତାଲା ପକାଇଥିବା ଦେଖିବାକୁ ମିଳିଥିଲା। ଅଭିଯୋଗ ଅନୁଯାୟୀ ସୁନାଗହଣା ବନ୍ଧକ ରଖି କିଛିଲୋକ ଋଣ ନେଇଥିଲେ। ଋଣ ପରିଶୋଧ କରି ସୁନାଗହଣା ମୁକୁଳାଇବାକୁ ଯିବା ସମୟରେ ବ୍ୟାଙ୍କରେ ସେମାନଙ୍କ ସୁନାଗହଣା ନଥିବା ଜାଣିବାକୁ ପାଇଥିଲେ। ଏହାକୁ ‌ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ ଯେ ୭ମାସ ପୂର୍ବରୁ ଏହି ଶାଖାରୁ ଲୋକମାନଙ୍କ ସୁନାଗହଣା ଚୋରି ହୋଇଥିବା ବ୍ୟାଙ୍କ ପରିଚାଳକ ବରୀ ଥାନାରେ ଅଭିଯୋଗ କରିଥିଲେ। ୭ମାସ ବିତି ଯାଇଥିଲେ ମଧ୍ୟ ଲୋକମାନଙ୍କୁ ସେମାନଙ୍କ ସୁନା ମିଳିପାରିନାହିଁ। ଆଜି ସୁନା ବନ୍ଧକ ରଖିଥିବା କିଛି ଗ୍ରାହକ ବ୍ୟାଙ୍କରେ ତାଲା ପକାଇ ଧାରଣାରେ ବସିଛନ୍ତି। ସେମାନଙ୍କ ସୁନାଗହଣା ବ୍ୟାଙ୍କ ନ ଫେରାଇବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ସୁନା ଚୋରି ଘଟଣା ପରେ ପୂର୍ବତନ ଶାଖା ପରିଚାଳକ ଉମାକାନ୍ତ ନାୟକ ଓ ସହକାରୀ ଶାଖା ପରିଚାଳକ ଅମିତ କୁମାର ବିଶ୍ଵାଳଙ୍କୁ ନିଲମ୍ବିତ କରାଯାଇଛି। ଏନେଇ ବ୍ୟାଙ୍କ୍ ପରିଚାଳକ ବିଶ୍ବମୋହନ ସାହୁଙ୍କ ସହ ଯୋଗାଯୋଗ କରିବାରୁ ଖୁବ୍‌ଶୀଘ୍ର ବୀମା କମ୍ପାନି ଦାବିଦାରଙ୍କ ଅର୍ଥ ଫେରାଇବାକୁ ଚିଠି ଦେଇଛି ବୋଲି କହିଛନ୍ତି। ଗତକାଲି ଅପରାହ୍ଣରେ ମଧ୍ୟ ବ୍ୟାଙ୍କର ଉଚ୍ଚଅଧିକାରୀ ପହଞ୍ଚି ୭ଦିନ ମଧ୍ୟରେ ବୀମା ଅର୍ଥ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସୁନାଗହଣା ନପାଇବା ପର୍ଯ୍ୟନ୍ତ ସେମାନେ ବ୍ୟାଙ୍କ ଖୋଲିବାକୁ ଦେବେ ନାହିଁ ବୋଲି ଗ୍ରାହକମାନେ ଅଡ଼ି ବସିଛନ୍ତି।

ସମ୍ବନ୍ଧିତ ଖବର