ବ୍ୟାପୁଛି ଫାଟୁଆ,ବଜବଜିଆ, ସାହଣ ରୋଗ

ବାରବାଟୀ: ରସୁଲପୁର ବ୍ଲକ ଅଞ୍ଚଳରେ ବ୍ୟାପୁଛି ଫାଟୁଆ, ଚଉଆ, ବଜବଜିଆ, ସାହାଣ ଆଦି ରୋଗ। ଶହ ଶହ ଗୋରୁଗାଈ ଏଥିରେ ଆକ୍ରାନ୍ତ ହେଉଛନ୍ତି । ଏ ନେଇ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଗୋରଗାଈମାନଙ୍କୁ ୨ମାସ ତଳେ ପ୍ରତିଷେଧକ ଟିକା ପ୍ରଦାନ କରାଯାଇଥିଲେ ବି ତାହା ଗୃହପାଳିତ ପଶୁଙ୍କୁ କାମ ଦେଉନି। ଏହି ରୋଗ ବାହାରୁ ଆସିଛି ବୋଲି ରସୁଲପୁର ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ କହିଛନ୍ତି ।
ଗୃହପାଳିତ ପଶୁମାନେ ବର୍ଷା ଦିନିଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ଏଇ ଦିନ କେଇଟା ମଧ୍ୟରେ ଫାଟୁଆ, ଚଉଆ, ବଜବଜିଆ, ସାହଣ ଆଦି ରୋଗରେ ଆକ୍ରାନ୍ତ ହୋଇ ଅନେକ ଗୋରୁ ମଲେଣି । ଭୋଟକା ପଞ୍ଚାୟତର ମକର ପରିଡା, ଅମୂଲ୍ୟ ପରିଡା ଆଦି ଗୋରୁ ମାଲିକଙ୍କ ଗାଈ ଓ ବାଛୁରୀ ଏହି ରୋଗରେ ଆକ୍ରାନ୍ତ ହୋଇ ମରିଗଲେଣି । ଏପରିକି ରସୁଲପୁର ପଞ୍ଚାୟତ ଓ ଭୋଟକା ପଞ୍ଚାୟତର ଗୋପାଳ ସାହିରେ ୫ରୁ ଊର୍ଦ୍ଧ୍ୱ ଗାଈବାଛୁରୀ ମୃତ୍ୟୁ ବରଣ କରିଛନ୍ତି। ଏ ରୋଗ ସବୁ ବାୟୁବାହିତ। ବିଶେଷକରି କଅଁଳା ବାଛୁରୀମାନଙ୍କୁ ଟିକା ଦିଆଯାଇ ନଥିବାରୁ ଏହି ରୋଗର ଶିକାର ହୋଇ ମରିଯାଉଛନ୍ତି ।

ଏ ଦିଗରେ ବିଭାଗ ପକ୍ଷରୁ କୌଣସି ସଚେତନତା କରାଯାଉ ନାହିଁ । ଗୋରୁଗାଈ ମାଲିକମାନେ ଆକ୍ରାନ୍ତ ପ୍ରାଣୀଙ୍କୁ ଘରୋଇ ଉପାୟରେ ଚିକିତ୍ସା କରୁଛନ୍ତି । ବିଭାଗ ପକ୍ଷରୁ ମାଗଣା ଔଷଧ ଓ ସଚେତନତା ଶିବିର ଜରିଆରେ ଏ ନେଇ ଗୋରକ୍ଷକଙ୍କୁ ସଚେତନ କରାଇବାକୁ ସାଧାରଣରେ ଦାବି ହେଉଛି । ଏ ନେଇ ରସୁଲପୁର ବ୍ଲକ ପ୍ରାଣୀ ଚିକିତ୍ସାଅଧିକାରୀ ସୁନାକର ସାମଲଙ୍କୁ ପଚାରିବାରୁ ଏହି ରୋଗର ବାହାରୁ ଆସିଛି । ଏହାର ପ୍ରଭାବ କିଛିଦିନ ରହିବ । ଏ ଦିଗରେ ଗୋରୁଗାଈଙ୍କୁ ଯତ୍ନ ନିଆଯିବା ସହ ଔଷଧ ପ୍ରଦାନ କଲେ ରୋଗ ଭଲ ହୋଇଯିବ ବୋଲି ପ୍ରକାଶ କରିଛନ୍ତି । ଗୋରୁଗାଈ ହରାଉଥିବା ଚାଷୀମାନଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।

ସମ୍ବନ୍ଧିତ ଖବର