ଯାଜପୁର: କୁମ୍ଭୀର ଆତଙ୍କରେ ଆତଙ୍କିତ ଯାଜପୁର । କେବେ ବରୀରେ ତ ପୁଣି କେବେ ବଡଚଣ୍ଡାରେ । ବରୀରେ ଜଣେ ମହିଳାଙ୍କୁ କୁମ୍ଭୀର ନଈକୁ ଟାଣି ନେଇଥିବା ବେଳେ ବଡ଼ଚଣାରେ କୁମ୍ଭୀର ଭାସୁଥିବା ଦେଖି ଭୟଭୀତ ହୋଇଛନ୍ତି ଲୋକେ ।

Advertisment

ତେବେ ବଡ଼ଚଣା ବ୍ଲକ ବାଲିପଡ଼ିଆ ପଞ୍ଚାୟତ ଅନ୍ତର୍ଗତ ମାତକତପୁର ଡ୍ରେନେଜକଟର ବାଲିପଡ଼ିଆ ଦଣ୍ଡା ସାହି ତୁଠ ନିକଟରୁ ଆଜି ୬ ଫୁଟ ଲମ୍ବର ଏକ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଭାସୁଥିବା ଏହି କୁମ୍ଭୀରକୁ ଦେଖି ଛାନିଆ ହୋଇଯାଇଥିଲେ । ତେବେ କୁମ୍ଭୀରଟି ଜୀବନ ନୁହେଁ ବରଂ ମୃତ ଅବସ୍ଥାରେ ଭାସୁଥିବା ଜାଣିବାକୁ ପାଇବା ପରେ ତାକୁ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ଚଣ୍ଡିଖୋଲ ବନପାଳ ଘଟଣାସ୍ଥଳକୁ ଆସି ମୃତ କୁମ୍ଭୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବିଭାଗୀୟ କାର୍ଯ୍ୟାଳୟକୁ ନେଇଯାଇଛନ୍ତି ।

WhatsApp Image 2025-10-06 at 20.57.27

ସେପଟେ ଜଣେ ମହିଳାଙ୍କୁ ଆଜି ଏକ କୁମ୍ଭୀର ଖରସ୍ରୋତା ନଦୀ ଭିତରକୁ ଟାଣିନେଇଛି। ମହିଳା ଜଣକ ହେଉଛନ୍ତି ବରୀ ବ୍ଲକ୍‌ ବୋଦୁଅ ପଞ୍ଚାୟତ କନ୍ତିଆ ଗ୍ରାମର ସୌଦାମିନୀ ମହଲା(୫୭)। ସୂଚନା ମୁତାବକ ସୌଦାମିନୀ ଆଜି ଅପରାହ୍ଣରେ ନଦୀ କୂଳକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ସେଠାରେ ତାଙ୍କୁ ଏକ କୁମ୍ଭୀର ଝାମ୍ପି ନେଇଥିଲା । ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ନଦୀ କୂଳରେ ପହଞ୍ଚି ହୋହଲ୍ଲା କରିଥିଲେ। ହେଲେ କୁମ୍ଭୀର ସୌଦାମିନୀଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା। କୁମ୍ଭୀର ସୌଦାମିନୀଙ୍କୁ ବୁଡ଼ାଇ ମାରୁଥିବା ଦୃଶ୍ୟ ଦେଖଣାହାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। 

New Project

କୁମ୍ଭୀର ମୁହଁରୁ କେହି ସୌଦାମିନୀଙ୍କୁ ବଞ୍ଚାଇବାକୁ ସାହସ ଜୁଟାଇ ପାରିନଥିଲେ। ଜିଲ୍ଲାର ବିଭିନ୍ନ ନଦୀରେ ଏବେ ପାଣି କମ୍‌ ଥିଲେ ମଧ୍ୟ କୁମ୍ଭୀରମାନଙ୍କ ଆତଙ୍କ ଦେଖାଦେଇଛି। ଫଳରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ନଦୀ ଭିତରକୁ ନଯିବାକୁ ସଚେତନ କରାଯାଉଥିଲେ ମଧ୍ୟ ନଦୀକୂଳିଆ ଲୋକଙ୍କ ଅସାବଧାନତା ତଥା ଜୀବନଜୀବିକା ପାଇଁ ନଦୀ ଉପରେ ନିର୍ଭର କରୁଥିବା ବେଳେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ତେବେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। ଖବର ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ସୌଦାମିନୀଙ୍କ ପତ୍ତା ମିଳିପାରିନାହିଁ।