ଖରସ୍ରୋତା ନଦୀରେ କୁମ୍ଭୀର, ପାଣିରୁ ବାହାରି ଉପରେ ବୁଲିଲେ

ନଠୁଆବର : ରସୁଲପୁର ବ୍ଲକ୍ ଅନ୍ତର୍ଗତ ଶ୍ରୀବନ୍ତପୁର ଗ୍ରାମ ନିକଟରେ ଆଜି ଖରସ୍ରୋତା ନଦୀରେ ଦୁଇଟି କୁମ୍ଭୀର ଭାସୁଥିବା ଦେଖି ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି । ଶ୍ରୀବନ୍ତପୁର ଓ ଯୋକଡ଼ିଆ ମଝିରେ ଥିବା ପୁରୁଣା ସେତୁର ଉପର ମୁଣ୍ଡରେ ଗୋଟିଏ କୁମ୍ଭୀର ଭାସୁଥିବା ବେଳେ ନୂଆ ସେତୁର ତଳମୁଣ୍ଡରେ ଅନ୍ୟ କୁମ୍ଭୀରଟି ଭାସୁଥିଲା ।

ଗୋଟିଏ କୁମ୍ଭୀର ପାଣିରୁ ବାହାରି ନଦୀକୂଳ ବୁଦୁବୁଦୁକିଆ ଅଞ୍ଚଳରେ ବୁଲୁଥିବା ଦେଖି ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ଫଳରେ ଶ୍ରୀବନ୍ତପୁର, ଯୋକଡ଼ିଆ, ମାର୍ଥାପୁର, ଟିକରପଡ଼ା ଓ ଆଖପାଖ ଗାଁର ଲୋକେ ନଦୀକୁ ଯିବା ବନ୍ଦ କରିଦେଇଛନ୍ତି। ସେହିପରି ନିଜର ଗୃହପାଳିତ ପ୍ରାଣୀଙ୍କୁ ନଦୀକଡ଼କୁ ଛାଡ଼ୁନାହାନ୍ତି । ପ୍ରକାଶ ଯେ, ଗତକାଲି ଏଠାରେ ଗୋଟିଏ କୁମ୍ଭୀର ନଦୀରେ ଭାସୁଥିବା ବେଳେ ଅନ୍ୟଟି ବନ୍ଧକଡ଼ରେ ଶୋଇଥିବା ଦେଖିବାକୁ ମିଳିଥିଲା ।

ବନବିଭାଗ ଓ ରସୁଲପୁର ତହସିଲ ପକ୍ଷରୁ ଗତକାଲି ପ୍ରଚାର କରାଯାଇ ଲୋକଙ୍କୁ ସତର୍କ କରାଯାଇଥିଲା । ହେଲେ ଆଜି ବନବିଭାଗ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଅନ୍ୟପକ୍ଷରେ କୁମ୍ଭୀର ନଦୀରେ ରହିଥିବାରୁ ସ୍ଥାନୀୟ ଅଞ୍ଚଳ ଲୋକେ ଭୟଭୀତ ହୋଇପଡ଼ିଛନ୍ତି ।

ସମ୍ବନ୍ଧିତ ଖବର