ଖ‌ରସ୍ରୋତାରେ କୁମ୍ଭୀର ଆତଙ୍କ

ଯାଜପୁର/ନଠୁଆବର : ଯାଜପୁରରୋଡ ଥାନା ଅନ୍ତର୍ଗତ ଯୋକଡ଼ିଆ ନିକଟରେ ଖରସ୍ରୋତା ନଦୀରେ ଆଜି ଏକ କୁମ୍ଭୀର ଆତଙ୍କ ସୃଷ୍ଟି କରିଛି। ପୂର୍ବାହ୍ଣରେ କୁମ୍ଭୀରଟି ନଦୀର ଅପରପାର୍ଶ୍ବରେ କୁଆଖିଆ ଥାନା ଅନ୍ତର୍ଗତ ଶ୍ରୀବନ୍ତପୁର ନଦୀବନ୍ଧ ନିକଟରେ କୂଳକୁ ଆସିଥିବା ବେଳେ ସ୍ଥାନୀୟ ଲୋକେ ଦେଖିଥିଲେ।

ପୁରୁଣା ଯୋକଡ଼ିଆ ସେତୁର ପ୍ରାୟ ୨ ଶହ ମିଟର ଉପରକୁ ନଦୀବନ୍ଧ କଡ଼ରେ ଥିବା ଏକ ଘାସବୁଦା ମୂଳରେ ପ୍ରାୟ ୫ ଫୁଟ୍‌ ଲମ୍ବର ଏକ କୁମ୍ଭୀରଟି ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ରହିଥିଲା। କୁମ୍ଭୀର ଦେଖିବା ପାଇଁ ଆଖପାଖ ଅଞ୍ଚଳର ଶହଶହ ଲୋକ ଦୁଇପଟର ନଦୀବନ୍ଧରେ ଭିଡ଼ ଜମାଇଥିଲେ।

ଶ୍ରୀବନ୍ତପୁର, ଟିକରପଡ଼ା, ମାର୍ଥାପୁର ଓ ଯୋକଡ଼ିଆ ପ୍ରଭୃତି ଗ୍ରାମର ଲୋକମାନେ ଏହି ଅଞ୍ଚଳରେ ନଦୀ ଉପରେ ନିର୍ଭର କରନ୍ତି। କୁମ୍ଭୀର ବାହାରିବା ପରେ ନଦୀକୂଳିଆ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଲୋକେ ନଦୀକୁ ନଯିବା ସହ ଗୃହପାଳିତ ପ୍ରାଣୀମାନଙ୍କୁ ମଧ୍ୟ ନଦୀ କୂଳକୁ ଛାଡ଼ୁନାହାନ୍ତି। ଗତ ଶନିବାର ମଧ୍ୟ କୁମ୍ଭୀରଟି ନଦୀରେ ଭାସୁଥିବା ବେଳେ ‌କିଛି ଲୋକ ଦେଖିଥିଲେ। ହେଲେ ଦୂରରେ ଭାସୁଥିବାରୁ ଏହା କୁମ୍ଭୀର ବୋଲି ଜଣାପଡ଼ି ନଥିଲା। ଆଜି କୁମ୍ଭୀରକୁ ନଦୀ କୂଳକୁ ଚାଲିଆସିଥିବା ଦେଖିବା ପରେ ‌ସ୍ଥାନୀୟ ଲୋକଙ୍କ ସୁରକ୍ଷା ପାଇଁ ପ୍ରଶାସନ ନିକଟରେ ଦାବି ଜଣାଇଥିଲେ ।  ଅପରାହ୍ଣରେ କୁମ୍ଭୀରଟି ପୁଣି ନୂଆ ସେତୁର ପ୍ରାୟ ଶହେ ମିଟର ତଳେ ଭାସୁଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପକ୍ଷରେ ଗଡ଼ମଧୁପୁର ବନବିଭାଗ କାର୍ଯ୍ୟାଳୟ ପକ୍ଷରୁ ଶ୍ରୀବନ୍ତପୁର, ଯୋକଡ଼ିଆ ଓ ଆଖପାଖ ଅଞ୍ଚଳରେ ଆଜି ସନ୍ଧ୍ୟାରେ ଲୋକଙ୍କୁ ନଦୀକୁ ନଯିବା ପାଇଁ ମାଇକରେ ପ୍ରଚାର କରାଯାଇଥିବା ଫରେଷ୍ଟର ରଂଜନ କୁମାର ମିଶ୍ର ସୂଚନା ଦେଇଛନ୍ତି। ସେହିପରି ନଦୀ ଏପଟେ ବ୍ୟାପକ ‌ସଚେତନତା କରାଯାଉଥିବା ରେଞ୍ଜର ଦେବେନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି। ରସୁଲପୁର ତହସିଲ ଓ କୁଆଖିଆ ପୁଲିସ ପକ୍ଷରୁ ନଦୀବନ୍ଧ କଡ଼ର କୋରେଇ ବ୍ଲକ୍‌ ଅନ୍ତର୍ଗତ ତଣ୍ଡରା, ବରେଇ ପ୍ରଭୃତି ଗ୍ରାମରେ ମାଇକ ଯୋଗେ ପ୍ରଚାର କରାଯାଇଛି । ‌ଲୋକଙ୍କୁ ନଦୀକୁ ନଯିବା ସହ ଗୃହପାଳିତ ପ୍ରାଣୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର