କାଳିଆପାଣି (ରବି ନାରାୟଣ କର): କ୍ରୋମ୍‌ ଉପତ୍ୟକା ସୀମାନ୍ତ ଇଲାକାରେ ଗତ ୧୦ ବର୍ଷ ମଧ୍ୟରେ ୨୫ରୁ ଅଧିକ ଚୋରା କ୍ରୋମାଇଟ୍‌ ଡିପୋ ଧରା ପଡ଼ିଲାଣି। ଯାଜପୁରଜିଲ୍ଲା କାଳିଆପାଣି, ସୁକିନ୍ଦା ଓ ପାଣିକୋଇଲି ଥାନା ଇଲାକା ଏବଂ ପଡ଼ୋଶୀ ଢେଙ୍କାନାଳ ଜିଲ୍ଲା ଭୁବନ, କାମାକ୍ଷାନଗର ଓ ଗଁଦିଆ ଥାନା ଇଳାକାରେ ଏସବୁ ଚୋରା କ୍ରୋମାଇଟ୍‌ ଡିପୋ ଠାବ ହୋଇଥିଲା। ମାଇନିଂ ଏନଫୋର୍ସମେଣ୍ଟ୍‌ ସ୍କ୍ବାଡ୍‌ ନଜରକୁ ଆସିବା ପରେ ମାଫିଆମାନେ ଏସବୁ ଚୋରା ଡିପୋରୁ ମୁହଁ ଫେରାଇ ନେଇଛନ୍ତି।

Advertisment

ଗତମ‌ାସ ୧୮ ତାରିଖରେ ଯାଜପୁରରୋଡ଼ ସର୍କଲ ଖଣି ବିଭାଗ ପକ୍ଷରୁ ସୁକିନ୍ଦା ଥାନା ମଙ୍ଗଳପୁର ପାଞ୍ଚଗୋଛିଆ ସାହିର ଏକ ଚୋରା ଡିପୋରେ ଚଢ଼ଉ କରାଯାଇ ୯୦ ମେଟ୍ରିକ ଟନ୍‌ ପାଖାପାଖି କ୍ରୋମାଇଟ୍ ଜବତ କରାଯାଇଥିଲା। ଏହାର ୬ ମାସ ପୂର୍ବରୁ ସେଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଥିବା ଅନ୍ୟ ଏକ ଚୋରା କ୍ରୋମାଇଟ୍‌ ଡିପୋକୁ ଖଣି ବିଭାଗ ଠାବ କରିଥିଲା। ଗତବର୍ଷ ଅକ୍ଟୋବର ମାସ ୨ ତାରିଖରେ ପାଣିକୋଇଲି ଥାନା ବାଲିପୋଶିରେ ଥିବା ଏକ ଚୋରା ଡିପୋରୁ ୨୧ ଟନ୍‌ କ୍ରୋମାଇଟ୍‌ ଜବତ କରାଯାଇଥିଲା।

ଗତ ଏପ୍ରିଲ ଓ ମେ ମାସ ମଧ୍ୟରେ କାଳିଆପାଣି ଥାନା ଓଏମ୍‌ସିର କ୍ରୋମାଇଟ୍‌ ବ୍ଲକ-୧ ପରିତ୍ୟକ୍ତ ଖଣିରୁ ମାଫିଆମାନେ ପାଖାପାଖି ୨ ହଜାର ଟନ୍‌ ‌ଉଚ୍ଚମାନର କ୍ରୋମାଇଟ୍‌ ଲୁଟି ନେଇଥିଲେ। ସେହି ଖଣିର ଉତ୍ତର-ପୂର୍ବ କାକୁଡ଼ିଆ ଗାଁ ପାଖ ଇଲାକାରୁ ନିୟମିତ କ୍ରୋମାଇଟ୍‌ ଚୋରିର ଦୃଷ୍ଟାନ୍ତ ରହିଛି। ୨୦୨୩ ମସିହା ଅକ୍ଟୋବର ୮ ତାରିଖ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିସାହି ମେଣ୍ଢାଶାଳ ଚୋରା ଡିପୋରେ ଯାଜପୁରରୋଡ଼ ଓ ତାଳଚେର ସର୍କଲ ପକ୍ଷରୁ ଯୁଗ୍ମ ଚଢ଼ଉ ପରେ ୮୫ ଟନ୍‌ କ୍ରୋମାଇଟ୍ ଜବତ କରାଯାଇଥିଲା।

ପୂର୍ବରୁ କାଳିଆପାଣି ଥାନା ସୀମାନ୍ତ ୫ ରୁ ୨୦ କିଲୋମିଟର ମଧ୍ୟରେ ଭୁବନ ଥାନାର ବିଭିନ୍ନ ଗାଁରେ ୧୫ଟି ଚୋରା କ୍ରୋମାଇଟ୍‌ ଡିପୋ ଠାବ କରାଯାଇଛି। ୫ ବର୍ଷ ତଳେ ଭୁବନ ତହସିଲ ଓ ଅଦାଲତ ପଛପଟ ଜଙ୍ଗଲ ପଡ଼ିଆରୁ ବିପୁଳ ପରିମାଣର ଚୋରା କ୍ରୋମାଇଟ୍‌ ଓ କୋଇଲା ଜବତ ହୋଇଥିଲା। ୨୦୨୨ ମସିହା ଭୁବନ ଥାନା ସାମଳ ଗାଁ ଡମଶାଳ କେନାଲ କୂଳରେ ଏବଂ ଏହା ପୂର୍ବରୁ ଭୁଷଳ ଓ କଞ୍ଚନବାହାଳି ଗାଁରେ ଚୋରା କ୍ରୋମ୍‌ ଡିପୋର ସନ୍ଧାନ ମିଳିଥିଲା।

୨୦୧୯ ମସିହାରେ ଭୁବନ ଥାନା ପାଖାପାଖି ୪ଟି ଗାଁ ନୟ‌ା ନୀଳକଣ୍ଠପୁର ପ୍ରାଥମିକ ସ୍କୁଲ ପାଖ ପଡ଼ିଆ, ଚନ୍ଦାର, ବେଣ୍ଟଶାଳିଆ ଓ କାନଖାଇରେ ପୁଲିସ ବିପୁଳ ପରିମାଣର କ୍ରୋମାଇଟ୍‌ ଓ ୨ଟି ଟ୍ରକ୍‌ ଜବତ କରିଥିଲା। ସେହି ୨୦୧୯ ମସିହାରେ ନୀଳକଣ୍ଠପୁରରୁ ୫ କି‌ଲୋମିଟର ଦୂର ଗଁଦିଆ ଥାନା ସଡ଼ଙ୍ଗୀ ଗାଁ ପାଖ ପାଳଗାଣ୍ଡୁଆ ଗାଁରୁ ବିପୁଳ ପରିମାଣର କ୍ରୋମାଇଟ୍‌ ଜବତ ହୋଇଥିଲା। ୨୦୧୬ ରୁ ୨୦୨୧ ମସିହା ମଧ୍ୟରେ ଭୁବନ ଶିଳ୍ପାଞ୍ଚଳ ବାଉଁଶକଣ ଢାବା ପାଖ ଜଙ୍ଗଲରେ ୪ଟି ସ୍ଥାନ‌‌ରେ ବେଆଇନ କ୍ରୋମ୍‌ ଡିପୋରେ ପୁଲିସ ଚଢ଼ଉକରି ପ୍ରତିଥର ବିପୁଳ ପରିମାଣର କ୍ରୋମାଇଟ୍ ଉଦ୍ଧାର କରିଥିଲା। ୧୦ ବର୍ଷ ତଳେ ଭୁବନ ଥାନାର ଅନ୍ୟ ୩ ଗାଁ ଗବଗୋଡ଼ା, ଓଡ଼ିଶ ଓ ସର୍ପଣି ଏବଂ କାମାକ୍ଷାନଗର ଥାନା ଖଟଖୁରା ଓ ଲୋକନାଥପୁର ମୌଜାର ମହୁପାଳ ଜୁଆଙ୍ଗସାହି ଓ କାନପୁରା ମିଶ୍ରିଲାଲ୍‌ ଫେରୋକ୍ରୋମ୍‌ କାରଖାନା ପାଖ ଜଙ୍ଗଲରେ ୩ଟି ପୃଥକ ଚୋରା କ୍ରୋମାଇଟ୍‌ ଆଡ୍ଡାର ସନ୍ଧାନ ମିଳିଥିଲା।

ପ୍ରଶାସନ ପକ୍ଷରୁ ଖଣି ବିଭାଗ, ପୁଲିସ, ବନ ଓ ରାଜସ୍ବ ବିଭାଗକୁ ନେଇ ଗଠିତ ମାଇନିଂ ଏନଫୋର୍ସମେଣ୍ଟ୍‌ ସ୍କ୍ବାଡ୍‌ ପକ୍ଷରୁ ଗତ ୧୦ ରୁ ୧୨ ବର୍ଷ ମଧ୍ୟରେ ଖଣିଅଞ୍ଚଳର ୨୦ କିଲୋମିଟର ବ୍ୟ‌ାସାର୍ଦ୍ଧରେ ଥିବା ୨୫ ରୁ ଅଧିକ ଚୋରା କ୍ରୋମାଇଟ୍‌ ଡିପୋରେ ଚଢ଼ଉ କରାଯାଇ କୋଟିକୋଟି ଟଙ୍କାର ଚୋରା କ୍ରୋମାଇଟ୍‌, ଭାରୀଯାନ, ଟ୍ରକ୍‌, ୱେ-ବ୍ରିଜ୍ ଓ ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରାଂଶ ଜବତ କରାଯାଇଥିଲା। କ୍ରୋମାଇଟ୍‌ ଲୁଟ୍‌ ଅଭିଯୋଗରେ ୩୦ ରୁ ଅଧିକ ମୂଲିଆ ଶ୍ରେଣୀର ଅଭିଯୁକ୍ତ ଗିରଫ ହୋଇଛନ୍ତି। ୫୦ରୁ ଅଧିକ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ବିଚାରାଧୀନ ରହିଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କେହି ଦୋଷୀ ସାବ୍ୟସ୍ତ ହେବାର ଦୃଷ୍ଟାନ୍ତ ନାହିଁ। କ୍ରୋମ୍‌ ସ୍ମଗ୍ଲିଂରେ ସଂପୃକ୍ତ ମାଫିଆ ଓ କିଙ୍ଗପିନ୍‌ ପାଖରେ ପୁଲିସ ପହଞ୍ଚି ପାରିବା ଦୂରେ ଥାଉ ସେମାନଙ୍କୁ ଏଯାବତ୍ ଚିହ୍ନଟ ସମ୍ଭବ ହୋଇନି। ଏ ସଂପର୍କରେ ଯାଜପୁରରୋଡ଼ ଖଣି ଉପନିର୍ଦ୍ଦେଶକ ଇଂ ବିଭୂତି ଭୂଷଣ ବେହେରାଙ୍କୁ ପଚାରିବାରେ ପ୍ରତିଥର ଚୋରା ଠିପୋରେ ଚଢ଼ଉ ପରେ କିମ୍ବା ଖଣିରୁ କ୍ରୋମାଇଟ୍‌ ଲୁଟ୍‌କୁ ନେଇ ଖଣିବିଭାଗ ପକ୍ଷରୁ ଥାନାରେ ଏତଲା ଦିଆଯାଉଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପୁଲିସର ବୋଲି ସେ କହିଛନ୍ତି।  

Jajpur