କାଳିଆପାଣି (ରବି ନାରାୟଣ କର):ଯାଜପୁରଜିଲ୍ଲା ସୁକିନ୍ଦାରେ ଏକାଧିକ ଚୋରା କ୍ରୋମାଇଟ୍ ଡିପୋ ଥିବା ଖୋଦ୍ ମାଇନିଂ ଏନ୍ଫୋର୍ସମେଣ୍ଟ୍ ସ୍କ୍ବାଡ୍ର ତଦନ୍ତରୁ ସ୍ପଷ୍ଟ ହୋଇଛି। ଗତ ୧୮ ତାରିଖ ସୁକିନ୍ଦା ଥାନା ଜାତୀୟ ରାଜପଥ-୫୩ ରୁ ମାତ୍ର ୫୦ ମିଟର ଦୂର ମଙ୍ଗଳପୁର ପାଞ୍ଚଗୋଛିଆ ସାହିରେ ସକ୍ରିୟ ଥିବା ଏକ ଚୋରା କ୍ରୋମାଇଟ୍ ଡିପୋରେ ଖଣି ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୯୦ ମେଟ୍ରିକ୍ ଟନ୍ ମୂଲ୍ୟବାନ କ୍ରୋମ୍ ପଥର ଗୁଣ୍ଡ ଜବତ ହୋଇଥିଲା।
ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲେ ହେଁ ମାଫିଆ ଧରାପଡ଼ିବା ଦୂରେଥାଉ ଏଯାବତ୍ ଚିହ୍ନଟ ନହେବା ସାଧାରଣରେ ବିସ୍ମୟର କାରଣ ହୋଇଛି।
ସେହିପରି ଘଟଣାକୁ ସପ୍ତାହ ବିତି ଯାଇଥିଲେ ହେଁ ବିଭାଗୀୟ ତଦନ୍ତ ସେଇଠି ଅଟକି ଯାଇଥିବା କୁହାଯାଉଛି। ପାଞ୍ଚଗୋଛିଆ ସାହିରୁ ପାଖାପାଖି ୨ କିଲୋମିଟର ଦୂରତା ମଧ୍ୟରେ ସେହି ଜାତୀୟ ରାଜପଥ-୫୩ ମଙ୍ଗଳପୁର-ସୁକିନ୍ଦା ସଡ଼କର ବାମ ପାର୍ଶ୍ବରେ ଆଉ ଏକ ଚୋରା କ୍ରୋମାଇଟ୍ ଡିପୋ ଥିବା ଖୋଦ୍ ବିଭାଗୀୟ ସୂତ୍ରରୁ ଖବର ମିଳିଛି। ୭ ମାସ ତଳେ ଏଠାରେ ପାଖାପାଖି ଶହେ ମେଟ୍ରିକ୍ ଟନ୍ର ଚୋରା କ୍ରୋମାଇଟ୍ ଗଚ୍ଛିତ ରଖାଯାଇଥିଲା। ଗୁଇନ୍ଦା ବିଭାଗରୁ ସୂଚନା ପରେ ଖଣିବିଭାଗ ଚୋରା ଡିପୋକୁ ଯାଇ ଏହାର ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲା।
ପ୍ରଶାସନ ପକ୍ଷରୁ ସେଦିନ ଏହାକୁ ଯଥାଶୀଘ୍ର ଉଠାଇନେବା ଯୋଜନା କରାଯାଇଥିଲେ ହେଁ ପ୍ରବଳ ବର୍ଷା ବାଧକ ସାଜିଥିଲା। ଅନ୍ୟପକ୍ଷରେ ଖଣି ବିଭାଗର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିବା ମାଫିଆମାନେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦିବାଲୋକରେ ଜଳକାକରି ସେଦିନ ସବୁ କ୍ରୋମାଇଟ୍ ଉଠାଇ ନେଇଥିଲେ। ୬ ଘଣ୍ଟାର ବର୍ଷା ଛାଡ଼ିଲା ପରେ ଖଣି ବିଭାଗ ଉକ୍ତ ଚୋରା ଡିପୋକୁ ଯାଇ ଭକୁଆ ହୋଇଥିଲା। ସୁକିନ୍ଦା ଥାନାରୁ ମାତ୍ର ୪ କିଲୋମିଟର ଦୂରତା ମଧ୍ୟରେ ରାଜପଥ କଡ଼ ୨ କିଲୋମିଟର ଦୂରତା ମଧ୍ୟରେ ଦୁଇଦୁଇଟି ଚୋରା କ୍ରୋମାଇଟ୍ ଡିପୋ ସକ୍ରିୟ ରହିବା ସାଧାରଣରେ ବିସ୍ମୟର କାରଣ ହୋଇଛି।
ସେହିପରି ଖଣିଜ ସମ୍ପଦ ଚୋରି ରୋକିବା ଦିଗରେ ଗଠିତ ଗଠିତ ମାଇନିଂ ଏନ୍ଫୋର୍ସମେଣ୍ଟ୍ ସ୍କ୍ବାଡ୍ର ପ୍ରଦର୍ଶନ ଓ କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସ୍କ୍ବାଡ୍ର ଅଧ୍ୟକ୍ଷ ଭାବେ ଜିଲ୍ଲାପାଳ ଏବଂ ସରକାରଙ୍କ ୪ ଗୁରୁତ୍ବପୂର୍ଣ୍ଣ ବିଭାଗ ଖଣି ଓ ଇସ୍ପାତ, ପୁଲିସ, ବନ ଓ ରାଜସ୍ବ ବିଭାଗକୁ ନେଇ ଗଠିତ ଏହି ଏନ୍ଫୋର୍ସମେଣ୍ଟ୍ ସ୍କ୍ବାଡ୍ ସକ୍ରିୟତା ଉପରେ ଖଣି ଓ ଖଣିଜ ସମ୍ପଦ ଚୋରି ରୋକାଯିବା କିମ୍ବା ନିୟନ୍ତ୍ରଣ ସମ୍ଭବ ହୋଇଥାଏ।
ସଂପୃକ୍ତ ୪ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟରୁ ଖଣି ମାଫିଆ ସାବାଡ଼୍ ହେବା ଥୟ। କିନ୍ତୁ ଗତ ୨୫ ବର୍ଷ ଧରି ସୁକିନ୍ଦା କ୍ରୋମ୍ ଉପତ୍ୟକାର ବିଭିନ୍ନ ଖଣି, ରାଜପଥ କିମ୍ବା ସଡ଼କ ପଥରେ ଯେତେ କ୍ରୋମାଇଟ୍ ଚୋରି ଧରାପଡ଼ିଛି ସେଠାରେ ଗୋଟିଏ କିମ୍ବା ଅତିବେଶୀରେ ୨ ବିଭାଗ ପକ୍ଷରୁ ଯୁଗ୍ମ ଚଢ଼ଉ ହୋଇଛି। ୪ ବିଭାଗର ମିଳିତ ଚଢ଼ଉ ସଫଳତାର ଦୃଷ୍ଟାନ୍ତ ନାହିଁ। ଯାହାକି ମାଫିଆମାନଙ୍କ ପାଇଁ ବରଦାନ ହୋଇଆସିଛି। ସରକାରୀ ଚାକିରିଆ ଭାବେ ୪ ବିଭାଗର କର୍ମଚାରୀ ଓ ଅଧିକାରୀ ସ୍ବାଭାବିକ ବେତନ ପାଇଆସୁଥିବା ସ୍ଥଳେ ମାଫିଆ ମାଲାମାଲ୍ ହୋଇଆସିଛନ୍ତି। ପ୍ରଭାବିତ ହେଉଛି ଦେଶ ଓ ରାଜ୍ୟ ରାଜକୋଷ।
Jajpur