ସୁନା ଲୁଟ୍‌ ପାଇଁ ଡବଲ୍‌ ମର୍ଡର

ଦୋକାନୀ, କର୍ମଚାରୀଙ୍କ ଗଳାକାଟି ନୃଶଂସ ହତ୍ୟା

୮ ଘଣ୍ଟା ଧରି ସିଂହପୁର-ଯାଜପୁର ରାସ୍ତା ଅବରୋଧ
ଅଇଁଠାପାଲି ଭୟ, ଥାନାରେ ପୁଲିସ୍‌ ଛାଉଣୀ

ବିଂଝାରପୁର/ଦଶରଥପୁର : ଯାଜପୁରର ଜିଲ୍ଲା ବିଂଝାରପୁରରେ ଡବଲ୍‌ ମର୍ଡର। ଦୁର୍ବୃତ୍ତମାନେ ସୁନା ଲୁଟ୍‌ ପାଇଁ ଜଣେ ଦୋକାନୀ ଏବଂ ତାଙ୍କର ଜଣେ କର୍ମଚାରୀଙ୍କ ଗଳାକାଟି ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ବିଂଝାରପୁରଠାରେ ଆଜି ଦିନତମାମ ଉତ୍ତେଜନା ଲାଗି ରହିଥିଲା। ଉତ୍ତ୍ୟକ୍ତ ଲୋକମାନେ ଦୀର୍ଘ ୮ ଘଣ୍ଟା ଧରି ଯାଜପୁର-ସିଂହପୁର ରାସ୍ତା ଅବରୋଧ କରିବା ସହିତ ଥାନା ଘେରାଉ କରିଥିଲେ। ପୁଲିସ୍‌କୁ ମଧ୍ୟ ଅଇଁଠାପାଲି ଭୟ ଗ୍ରାସ କରିଥିଲା। କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ସ୍ଥାନୀୟ ଥାନାକୁ ଘେରାବନ୍ଦୀରେ ରଖିଥଲେ।

ଦୁଇ ମୃତକ ହେଲେ, ପ୍ରୀତିପୁର ବଜାର ତାରିଣୀ ଜୁଏଲାରୀର ମାଲିକ ଖଗେଶ୍ୱର ରଣା (୪୫) ଏବଂ ତାଙ୍କ କାରିଗର ଚୈତନ୍ୟ ସାହୁ (୫୨)।

ଦୁହିଁଙ୍କ ଘର କଲ୍ୟାଣପୁର ପଞ୍ଚାୟତ। ଗତକାଲି ରାତି ପ୍ରାୟ ସାଢ଼େ ଆଠଟାବେଳେ ଦୁହେଁ ଦୋକାନ ବନ୍ଦ ଘରକୁ ଫେରିଥିଲେ। କପିଳା-ମାଁସଡା ମଝି ରାସ୍ତାରେ ଦୁର୍ବୃତ୍ତମାନେ ଦୁହିଁଙ୍କୁ ଅଟକାଇ କଟୁରିରେ ଆକ୍ରମଣ କରିଥିଲେ। ବେକରେ ଚୋଟମାରି ହତ୍ୟା କରିବା ପରେ ସୁନା ଓ ଟଙ୍କା ନେଇ ଫେରାର୍‌ ହୋଇଯାଇଥିଲେ।

ରାତି ୯ଟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ, ଫୋନ୍‌ କଲେ ନ ଉଠାଇବାରୁ ଏବଂ ୪ ବର୍ଷ ତଳେ ତାଙ୍କ ଉପରେ ଥରେ ଆକ୍ରମଣ ହୋଇଥିବାରୁ କାଳେ କିଛି ଅଘଟଣ ଘଟିଛି ବୋଲି ଖଗେଶ୍ୱରଙ୍କ ପରିବାର ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ଗ୍ରାମର ୮/୧୦ ଜଣ ଲୋକଙ୍କ ସହିତ ତାଙ୍କ ଭାଇ ଖୋଜାଖୋଜି କରିଥିଲେ। ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ନମିଳିବାରୁ ପରିବାର ଲୋକ ଅଳକୁଣ୍ଡ ଫାଣ୍ଡି ଏବଂ ବିଂଝାରପୁର ଥାନାକୁ ଏସମ୍ପର୍କରେ ଜଣାଇଥିଲେ। ମାତ୍ର, ଥାନା କର୍ତ୍ତୃପକ୍ଷ ଏଥିପ୍ରତି ଆଗ୍ରହ ପ୍ରକାଶ କରିନଥିଲେ ବରଂ ବିରକ୍ତ ହୋଇଥିଲେ। ଏବଂ, ସକାଳେ ଆସିବାକୁ କହିଥିଲେ।

ଲୋକମାନେ ପୁଣିଥରେ ଫେରିଆସି ଖୋଜାଖୋଜି କରିଥିଲେ। ଖୋଜାଖୋଜି ସମୟରେ କପିଳା-ମାଁସଡା ରାସ୍ତାକଡରେ ଏକ ବ୍ୟାଗ୍‌ ପଡିଥିବା ଦେଖିବାକୁ ପାଇଥିଲେ। ଅନ୍ଧାର ହୋଇଥିବାରୁ ଟଚ୍ଚ୍‌ର୍ ଏବଂ ବାଇକ୍‌ ଲାଇଟ ପକାଇ ସେଠାରେ ଖୋଜିଥିଲେ। ବ୍ୟାଗ ପଡ଼ିଥିବା ସ୍ଥାନଠାରୁ କିଛି ଦୂରରେ ଖଗେଶ୍ୱର ଏବଂ ଚୈତନ୍ୟଙ୍କୁ ସେମାନେ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ। ସେମାନଙ୍କ ବାଇକ୍‌ ବି କିଛିଦୂରରେ ଭଙ୍ଗାରୁଜା ଅବସ୍ଥାରେ ପଡ଼ିଥିଲା।

ଗ୍ରାମବାସୀମାନେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଖଗେଶ୍ୱର ଓ ଚୈତନ୍ୟଙ୍କୁ ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ପରେ ପୁଲିସ ପହଞ୍ଚିି ଆଇନ୍‌ଶୃଙ୍ଖଳାକୁ ଦୃଷ୍ଟିରେ ରଖି ରାତାରାତି ଶବକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲା ।

ଆଜି ସକାଳେ ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ୨ ଜଣଙ୍କ ଶବକୁ ରାସ୍ତାରେ ରଖି ସିଂହପୁର-ବିଂଝାରପୁର ମୁଖ୍ୟ ରାସ୍ତାରେ ଟାୟାର ଜାଳି ଅନଶନ କରିଥିଲେ। ଫଳରେ ରାସ୍ତାର ଉଭୟପଟେ ଶହ ଶହ ଯାନବାହନ ଅଟକି ରହିଥିଲା। ଏତେ ସଂଖ୍ୟାରେ ଲୋକ ଏକତ୍ରିତ ହେବାକୁ ନେଇ ପୁଲିସ୍‌ ମଧ୍ୟରେ ଭୟ ଗ୍ରାସିଥିଲା। ଗତକାଲି ଅଇଁଠାପାଲି ଥାନା ଘଟଣାକୁ ଦୃଷ୍ଟିରେ ରଖି ପୁଲିସ ଲୋକଙ୍କ ପାଖକୁ ନଯାଇ ଥାନା ଜଗିଥିଲା। ଫଳରେ ବିଂଝାରପୁର ଥାନା ପୁଲିସ ଛାଉଣୀରେ ପରିଣତ ହୋଇଯାଇଥିଲା।

ଖବର ପାଇ ଏସପି ଚରଣ ସିଂ ମୀନା, ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଯାଜପୁର ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ମାଜିଷ୍ଟ୍ରେଟ ଦାୟିତ୍ୱରେ ଆଡିସିନାଲ ତହସିଲଦାର ଚକ୍ରଧର ପାଢ଼ୀ, ଅତିରିକ୍ତ ଏସ୍‌ପି ଗୋପାଳକୃଷ୍ଣ ପଟ୍ଟନାୟକ, ଏସ୍‌ଡିପିଓ ପ୍ରଶାନ୍ତ ମଲ୍ଲ, ସ୍ଥାନୀୟ ଆଇଆଇସି ସୁଚିତ୍ର ବିଜୟ ଦାସ, ବରୀ ଆଇଆଇସି ରୋଜାଲିନ ପଟେଲ, ପାଣିକୋଇଲି ଆଇଆଇସି ଶରତ ଚନ୍ଦ୍ର ପାତ୍ର, ଯାଜପୁରରୋଡ ଆଇଆଇସି ଅମିତାଭ ମହାପାତ୍ରଙ୍କ ସମେତ ବହୁ ଅଧିକାରୀଙ୍କ ସହ ୨ ପ୍ଲାଟୁନ ପୁଲିସ ସହ ଆନ୍ଦୋଳନସ୍ଥଳୀକୁ ଯାଇଥିଲେ । ହତ୍ୟାକାରୀଙ୍କୁ ଯଥାଶୀଘ୍ର ଧରାଯିବା ସହ ଉଚିତ ଦଣ୍ଡ ଦେବା ଏବଂ ଉଭୟଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପୁଲିସକୁ ୨୪ ଘଣ୍ଟିଆ କଣ୍ଟ ଦେଇଛନ୍ତି ଅନଶନକାରୀ। ଏହି ୨୪ ଘଣ୍ଟା ମଧ୍ୟରେ ଯଦି ଅପରାଧୀଙ୍କୁ ପୁଲିସ ଠାବ ନକରେ ତେବେ ପୁଣି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଶୁଣାଇଛନ୍ତି।

ଖଗେଶ୍ୱର ରାତିରେ ଦୋକାନରୁ ଫେରିବାବେଳେ ସାଙ୍ଗରେ ସୁନା ଓ ଟଙ୍କା ନେଇ ଘରକୁ ଫେରିଥା’ନ୍ତି। ଯେଉଁଥିପାଇଁ ଦୁର୍ବୃତ୍ତମାନେ ସେମାନଙ୍କୁ ହତ୍ୟା କରି ଟଙ୍କା, ସୁନା ଲୁଟି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବିଂଝାରପୁର ପୁଲିସ ୪୨/୧୮ ଦଫା ୩୯୬ରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର