କାଳିଆପାଣି (ରବି ନାରାୟଣ କର):ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତର ନଗଡ଼ା ଉପକଣ୍ଠ ଦେଓଗାଁ ଉପ୍ରା ସ୍କୁଲର ବଣପାହାଡ଼ ଘେରା ପାରିପାର୍ଶ୍ବିକ ଇଲାକାରେ ପ୍ରଥମରୁ ଅଷ୍ଟମ ଶ୍ରେଶୀ ମଧ୍ୟରେ ୨ଶହରୁ ଅଧିକ ଗରିବ ଆଦିବାସୀ ଡ୍ରପ୍ଆଉଟ୍ ପିଲା ପାଠରୁ ଦୂରେଇ ରହିଥିଲେ। ପିଲା ଓ ସେମାନଙ୍କ ଅଭିଭାବକଙ୍କୁ ବୁଝାଇ ଓ ଗତ ଜୁନମାସରେ ସ୍କୁଲ ଅଣାଯାଇ ୧୦୨ ଜଣ ପିଲାଙ୍କର ନାମ ଦେଓଗାଁ ସ୍କୁଲରେ ଲେଖାଯାଇଥିଲା। ହେଲେ ନାମଲେଖା ପରଠାରୁ ଏହିସବୁ ପିଲା ଦିନଟିଏ ବି ସ୍କୁଲ ଆସିନାହାନ୍ତି। ଡ୍ରପ୍ ଆଉଟ୍ ତାଲିକାରୁ ନାଁ କଟି ଯାଇଥିଲେ ହେଁ ବାସ୍ତବରେ ଏହି ପିଲାମାନେ ପୂର୍ବବତ୍ ନିଜନିଜ ଘରେ ରହିଛନ୍ତି। ସେମାନଙ୍କ ପାଖେ ଏଯାବତ୍ ସମଗ୍ର ଶିକ୍ଷା ଯୋଜନା ଓ ଶିକ୍ଷା ଅଧିକାର ଆଇନ ଅପହଞ୍ଚ ରହିଛି।
ସୁକିନ୍ଦା ବ୍ଲକରେ ୮ଶହରୁ ଅଧିକ ଡ୍ରପ୍ ଆଉଟ୍ ଥିବା ଗଣଶିକ୍ଷା ବିଭାଗ ତାଲିକାରେ ରହିଛି। ତନ୍ମଧ୍ୟରୁ ୯୦ ପ୍ରତିଶତ ଅନୁସୂଚିତ ଜନତାତି ଓ ଆଦିମ ଜନଜାତି ବର୍ଗର। ଏଭଳି ଲଜ୍ଜାଜନକ ସ୍ଥିତିର ସମାଧାନ ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଗତ ଏପ୍ରିଲ ୨ ତାରିଖ ନଗଡ଼ାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବରୁ ତତ୍କାଳୀନ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ଡ୍ରପ୍ଆଉଟ୍ ପିଲାଙ୍କୁ ଖୋଜି ସ୍କୁଲ ମୁହାଁ କରାଇବା ଯୋଜନାକୁ ପଥଦର୍ଶୀ ପ୍ରକଳ୍ପ ଭାବେ ଅଭିହିତ କରିଥିଲେ। ସେଦିନରୁ ଅଧାରୁ ପାଠ ଛାଡ଼ିଥିବା ପିଲା ଓ ଅଭିଭାବକଙ୍କୁ ସଂପୃକ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଭେଟି ସଚେତନ କରାଉଛନ୍ତି। ହେଲେ ସରକାରୀ ନଥିପତ୍ରରେ ପିଲାଏ ସ୍କୁଲକୁ ଫେରିଥିଲେ ହେଁ ବାସ୍ତବ କ୍ଷେତ୍ରରେ ଶିଶୁ ଅଧିକାର ସୁରକ୍ଷା କ୍ଷୁଣ୍ଣ ହେବାରେ ଲାଗିଛି।
ନଗଡ଼ା, ଗୁହିଆଶାଳ, ତୁମୁଣି, ତଳଡିହ, ଅଶୋକଝର, ଦେଓଗାଁ ଓ କଙ୍କଡ଼ାଗୋଡ଼ିର ଜୁଆଙ୍ଗ ଜନଜାତି ପିଲା ଏବଂ ଅରଡ଼ାପାଳ, ପୋଡ଼ାହରା, ଗୁରୁଜଙ୍ଗ, ତଳଙ୍ଗି, ମହୁଲଖାଲ, କାକୁଡ଼ିଆ, ପେଣ୍ଠସାହି, ସାରୁଆବିଲ ଓ ନାତୋର ତଥା ପଡ଼ୋଶୀ ଢେଙ୍କାନାଳ ଜିଲ୍ଲାର ୫ ଜଣ ଓ କେନ୍ଦୁଝର ଜିଲ୍ଲାର ୮ ଜଣଙ୍କୁ ମିଶାଇ ମୋଟ୍ ୪୦ ଜଣ ଛାତ୍ରୀ ଓ ୬୨ ଜଣ ଛାତ୍ର ଗତ ଜୁନମାସରେ ଦେଓଗାଁ ଉପ୍ରା ସ୍କୁଲରେ ନାମ ଲେଖାଇଥିଲେ। ସ୍କୁଲଠାରୁ ପିଲାମାନଙ୍କ ଘର ୧୦ ରୁ ୩୦ କିଲୋମିଟର ଦୂର। କୌଣସି ଗାଁକୁ ସ୍କୁଲବସ୍ ଦୂରେଥାଉ ସାଧାରଣ ଯାତ୍ରୀବାହୀ ବସ୍ ସୁବିଧା ନାହିଁ। ସ୍କୁଲରେ ହଷ୍ଟେଲ ବି ନାହିଁ। ଶୈଶବାବସ୍ଥାରେ ପିଲାଏ ଦୈନିକ ୬୦ କିଲୋମିଟର ଯା’ଆସ କରି ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ଅସମ୍ଭବ। ଅନ୍ୟପକ୍ଷରେ ନୂଆ ପିଲାଙ୍କୁ ମିଶାଇ ସ୍କୁଲ ଉପସ୍ଥାନ ଏବେ ୨୨୫। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ଥିଲେ ହେଁ ମାତ୍ର ୫ଟି ଶ୍ରେଣୀକକ୍ଷ ରହିଛି। ୫ ଜଣ ଶିକ୍ଷକ ଅଛନ୍ତି। ଏଭଳି ଅବ୍ୟବସ୍ଥାକୁ ନେଇ ପ୍ରଧାନଶିକ୍ଷକ ଗିରିଧାରୀ ଦେହୁରୀ ଗତ ସପ୍ତାହ ଜିଲ୍ଲା ମଙ୍ଗଳ ଅଧିକାରୀ(ଡିଡବ୍ଲ୍ୟୁଓ) ଶରତ ଚନ୍ଦ୍ର ବେହେରାଙ୍କୁ ଭେଟି ସମସ୍ୟାର ସମାଧାନ ଦାବି କରିଥିଲେ। ୩ ମାସରୁ ଅଧିକ ଦିନ ଲଗାତାର ଅନୁପସ୍ଥିତ ରହିବା ପରିପ୍ରେକ୍ଷୀରେ ନାମ କଟାଯିବା ନିୟମକୁ ନେଇ ଆଲୋଚନା କରିଥିଲେ।
ଏ ସଂପର୍କରେ ଡିଡବ୍ଲ୍ୟୁଓ ଶ୍ରୀ ବେହେରାଙ୍କୁ ପଚାରିବାରେ ଆଶୁ ପଦକ୍ଷେପ ନିଆଯାଇଛି। ଦଶହରା ଛୁଟି ପରେ ସମସ୍ୟା ସମାଧାନ ହେବା ନେଇ ସେ ଆଶାବାଦୀ ବୋଲି କହିଥିଲେ।
ଦେଓଗାଁ ସ୍କୁଲରେ ଡ୍ରପ୍ଆଉଟ୍ ଥଇଥାନର ଦୟନୀୟ ସ୍ଥିତି: ସାଢ଼େ ୩ ମାସ ଧରି ସ୍କୁଲ ଆସୁନାହାନ୍ତି ୧୦୨ ଆଦିବାସୀ ଶିଶୁ
ଡ୍ରପ୍ ଆଉଟ୍ ତାଲିକାରୁ ନାଁ କଟି ଯାଇଥିଲେ ହେଁ ବାସ୍ତବରେ ଏହି ପିଲାମାନେ ପୂର୍ବବତ୍ ନିଜନିଜ ଘରେ ରହିଛନ୍ତି। ସେମାନଙ୍କ ପାଖେ ଏଯାବତ୍ ସମଗ୍ର ଶିକ୍ଷା ଯୋଜନା ଓ ଶିକ୍ଷା ଅଧିକାର ଆଇନ ଅପହଞ୍ଚ ରହିଛି।
/sambad/media/media_files/2025/09/26/untitled-2025-09-26-20-24-31.jpg)