କାଳିଆପାଣି (ରବି ନାରାୟଣ କର):ଯାଜପୁରଜିଲ୍ଲା ସୁକିନ୍ଦା କ୍ରୋମ୍ ଉପତ୍ୟକାର କଲରଙ୍ଗିଅତ୍ତାରେ ପାଳନ ହୋଇଆସୁଥିବା ଦୁର୍ଗାପୂଜା ଓ ଦଶହରା ମେଳା ଶାନ୍ତିଶୃଙ୍ଖଳାର ନିଦର୍ଶନ ହୋଇଆସିଛି। ୧୯୬୮ ମସିହାରେ ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍ ମାଇନ୍ସ କଲୋନିରେ ତତ୍କାଳୀନ ଖଣି ପ୍ରବନ୍ଧକ ଏନ୍କେ ସାହୁଙ୍କ ତତ୍ତ୍ବାବଧାନରେ ପୁରୁଣା ଖେଳପଡ଼ିଆର ଉତ୍ତର-ପଶ୍ଚିମ କୋଣରେ ଥିବା ୱାର୍କସ ୟୁନିଅନ୍ ଅଫିସ ଓ ପାଣି ବିଶୋଧନାଗାର ବରଗଛ ପାର୍ଶ୍ବସ୍ଥ ଏକ ଟିଣଘରେ ଦୁର୍ଗାପୂଜା ଆରମ୍ଭ ହୋଇଥିବା କହନ୍ତି ଅବସରପ୍ରାପ୍ତ ଟାଟାଷ୍ଟିଲ କର୍ମଚାରୀ ଶମ୍ଭୁନାଥ ଦାସ(୯୨)। କ୍ରମେ ଏହା ସାର୍ବଜନୀନ ଦଶହରା ମେଳାକୁ ବିସ୍ତାରିତ ହୋଇଥିଲା। ବିଗତ ୫୭ ବର୍ଷ ମଧ୍ୟରେ ୩ଟି ପର୍ଯ୍ୟାୟରେ ୩ଟି ପୃଥକ ସ୍ଥାନରେ ଦଶହରା ଅନୁଷ୍ଠିତ ହୋଇଥିଲେ ହେଁ ଏହାକୁ ନେଇ ଖଣିଅଞ୍ଚଳରେ ଆଞ୍ଚଳିକ ଭାଇଚାରା ଅକ୍ଷୁଣ୍ଣ ରହିଛି।
୨୦୨୦ ମସିହାରୁ ସୌରିକ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା କମିଟି ପକ୍ଷରୁ ରାଁସୋଳ ପଞ୍ଚାୟତ କଲରଙ୍ଗିଅତ୍ତା ଭୀମଟାଙ୍ଗର ଗାଁର ସୌରିକ ଆଥଲେଟିକ୍ ଆସୋସିଏସନ୍ ଖେଳପଡ଼ିଆରେ ୬ ବର୍ଷ ଧରି ଦଶହରା ମେଳା ଅନୁଷ୍ଠିତ ହୋଇଆସୁଛି। ପୂଜା ଓ ମେଳାକୁ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା କହନ୍ତି କାଳିଆପାଣି ଥାନାର ୬ ଜଣ ପୂର୍ବତନ ଥାନା ଅଧିକାରୀ ରାଇସେନ ମୁର୍ମୁ, ଶିଶିର କୁମାର ମିଶ୍ର, ଯୁବରାଜ ସ୍ବାଇଁ, ରମାକାନ୍ତ ମୁଦୁଲି, ସୁଶାନ୍ତ କୁମାର ଦାସ ଓ ରଞ୍ଜନ କୁମାର ମଲ୍ଲିକ।
୧୯୬୦ ମସିହାରେ ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍ ଖଣି ଖୋଲିଥିଲା। ୧୯୬୬ ମସିହାରେ ମା’କାଳୀଙ୍କ ଭକ୍ତ ତତ୍କାଳୀନ ଖଣି ପ୍ରବନ୍ଧକ ସିଏମ୍ ଦାସଙ୍କ ତତ୍ତ୍ବାବଧାନରେ ଖଣିରେ କାଳୀପୂଜା ଆରମ୍ଭ ହୋଇଥିଲା। ୨ ବର୍ଷ ପରେ ଦୁର୍ଗାପୂଜା ପ୍ରତି ସାଧାରଣରେ ଆଗ୍ରହ ଦେଖାଦେଇଥିଲା। ୧୯୭୨ ମସିହା ପର୍ଯ୍ୟନ୍ତ ୯୦ ପ୍ରତିଶତ କର୍ମଚାରୀ ଓ ଶ୍ରମିକ ରାଜଋଷି ଠିକାଦାର ଅଧୀନରେ କାମ କରୁଥିଲେ। ଆଇଏନ୍ଟିୟୁସି ମାର୍ଗଦର୍ଶନରେ ଦିବଙ୍ଗତ ଟାଟାଷ୍ଟିଲ କର୍ମଚାରୀ କୃଷ୍ଣଚନ୍ଦ୍ର ଦାସ, ବିନୋଦ ବିହାରୀ ପଣ୍ଡା ଓ ଗୋଲକ ବିହାରୀ ମହାନ୍ତି ପ୍ରମୁଖଙ୍କ ନେତୃତ୍ବରେ ସହସ୍ରାଧିକ କର୍ମଚାରୀ କମ୍ପାନିରେ ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ କରିଥିବା କହନ୍ତି ଅବସରପ୍ରାପ୍ତ ଟାଟାଷ୍ଟିଲ କର୍ମଚାରୀ ପାପୁ ସିଂହ। ବର୍ଷେରୁ ଅଧିକ ଦିନର ଆନ୍ଦୋଳନ ପରେ କମ୍ପାନି ହଜାର ପାଖାପାଖି କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ବାଧ୍ୟ ହୋଇଥିଲା। ଏହି ଖୁସିରେ ୧୯୭୩ ମସିହାରୁ ସେହି ପୁରୁଣା ମଣ୍ଡପରେ ପୂଜା କଳେବର ବୃଦ୍ଧି ପାଇଥିଲା।
୧୯୯୦ ମସିହାରେ ଦୁର୍ଗାପୂଜା ଓ ଦଶହରା ମେଳାର ସ୍ଥାନ ପରିବର୍ତ୍ତନ ହୋଇଥିଲା। ଟାଟାଷ୍ଟିଲ ସୁକିନ୍ଦା ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ କଲୋନିର ଶ୍ରମଶକ୍ତି ସରକାରୀ ହାଇସ୍କୁଲ ପଛ ନବନିର୍ମିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ଭବ୍ୟ ଦୁର୍ଗାପୂଜା ମଣ୍ଡପରେ ପୂଜା ଓ ଏହା ସମ୍ମୁଖ ପାଖାପାଖି ୭୫୦୦ ବର୍ଗମିଟର ପଡ଼ିଆରେ ଆକର୍ଷଣୀୟ ମେଳା ଆୟୋଜିତ ହୋଇଆସୁଥିଲା। ଟାଟାଷ୍ଟିଲ ସୁକିନ୍ଦା ୱାର୍କର୍ସ ୟୁନିଅନ୍ ସଭାପତି, ସମ୍ପାଦକ ଓ ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍ ଖଣିର ଖଣିମୁଖ୍ୟଙ୍କ ନେତୃତ୍ବରେ ୧୫ ଜଣିଆ କମିଟି ଉପରେ ଏହାର ପରିଚାଳନା ଭାର ରହୁଥିଲା। ୨୦୧୯ ମସିହା ପର୍ଯ୍ୟନ୍ତ ପ୍ରତିବର୍ଷ ଏହାର ମୁଖପତ୍ର ତଥା ବାର୍ଷିକ ବିଶେଷାଙ୍କ ପାର୍ବଣ ଉନ୍ମୋଚିତ ହେଉଥିଲା।
/filters:format(webp)/sambad/media/media_files/2025/09/29/img_20250929_114844-2025-09-29-12-10-44.jpg)
ଅପେରା, ଅସ୍ଥାୟୀ ସିନେମା ହଲ, ଯାଦୁଖେଳ, ବିଭିନ୍ନ ଦୋଳି, ମୀନା ବଜାର ସହ ବିଭିନ୍ନ ଷ୍ଟଲରେ ବ୍ରାଣ୍ଡେଡ୍ କମ୍ପାନିର ଆସବାବପତ୍ର, ବାସନକୁସନ, ଲୁଗା ଓ ପୋଷାକ ଷ୍ଟଲ୍ ଖୋଲାଯାଉଥିଲା। ୧୧ ଦିନ ଧରି ଅନୁଷଷ୍ଠିତ ମେଳାରେ ଦୈନିକ ୫୦ ହଜାରରୁ ଅଧିକ ସଂଖ୍ୟାରେ ଜନ ସମାଗମ ସହ ଏଠାରେ ୫ କୋଟିରୁ ଅଧିକ ଟଙ୍କାର ବେପାର ହେଉଥିଲା। ୨୦୨୦ ମସିହା ମାର୍ଚ୍ଚ ୩୧ ତାରିଖରେ ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍ ଖଣିର ଲିଜ୍ ଅତିକ୍ରାନ୍ତ ହେବା ପରେ ସରକାର ଏହାର ନବୀକରଣ ନକରାଇ ଖଣି ନିଲାମ କରିଥିଲେ। ନିଲାମରେ ଟାଟା କମ୍ପାନି ଯୋଗ୍ୟ ବିବେଚିତ ହୋଇଥିଲା। ହେଲେ ଦୁର୍ଗାପୂଜା ଦଶହରା ପଡ଼ିଆକୁ କମ୍ପାନି କ୍ରୋମାଇଟ୍ ଷ୍ଟାକ୍ୟାର୍ଡ ଭାବେ ବ୍ୟବହାର କରିଥିଲା। ସେହିବର୍ଷ କରୋନା ଆଳରେ ଟାଟାଷ୍ଟିଲ କମ୍ପାନି ପୂଜା ଓ ମେଳା ଆୟୋଜନରୁ ଓହରି ଯାଇଥିଲା।
ନବଗଠିତ ସୌରିକ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା କମିଟି ଏହାର ଆୟୋଜନ ଦାୟିତ୍ବ ନିଜ ହାତକୁ ନେଇଥିଲା। ୨୦୨୦ ମସିହାରେ ନିରାଡ଼ମ୍ବର ଭାବେ ଅସ୍ଥାୟୀ ଭାବେ ମାଟିର ପୂଜା ମଣ୍ଡପରେ ତମ୍ବୁ ଟାଣି ଦୁର୍ଗାପୂଜା ଆୟୋଜନ କରାଯାଇଥିଲା। ୨୦୨୧ ମସିହାରୁ ପାଖାପାଖି ୧୫ ଏକର ବିଶିଷ୍ଟ ପଡ଼ିଆରେ ୧୧ ଦିନ ଧରି ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଓ ରାବଣପୋଡ଼ି ସହ ଅନୁଷ୍ଠିତ ଦୁର୍ଗାପୂଜା ଓ ଦଶହରା ମେଳା ପୂର୍ବ ଚମକ ଫେରିପାଇଛି। ଖଣି ପ୍ରଭାବିତ ୭ ପଞ୍ଚାୟତ ଏବଂ ଯାଜପୁର, ଢେଙ୍କାନାଳ ଓ କେନ୍ଦୁଝର ସୀମାନ୍ତ ଇଲାକାର ୨୫ ପଞ୍ଚାୟତର ଅଞ୍ଚଳବାସୀଙ୍କର ଏହା ପ୍ରତୀକ୍ଷିତ ପାର୍ବଣ ଅନୁଷ୍ଠାନ ଭାବେ ସ୍ବୀକୃତି ପାଇଆସିଛି।
Durga Puja | Jajpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/28/kaliapani-2025-09-28-20-17-57.jpg)