ଯୁବକଙ୍କୁ ଆକ୍ରମଣ ଓ ପରେ ହତ୍ୟା ଘଟଣାରେ ୮ ଜଣଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁରସଦର/ଚଣ୍ଡିଖୋଲ: ଆଠ ବର୍ଷ ତଳର ଏକ ସଂଘବଦ୍ଧ ହତ୍ୟାକାଣ୍ଡ ଘଟଣାରେ ବୁଧବାର ଯାଜପୁର ଜିଲ୍ଳା ଦୌରାଜଜ୍‌ ଡଃ ରାଧାକାନ୍ତ ମିଶ୍ର ୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୬ ଜଣଙ୍କୁ ୨ ବର୍ଷ ଲେଖାଏଁ ଜେଲ ଦଣ୍ଡ ଶୁଣାଇଛନ୍ତି।

ମାମଲା ଥିଲା ୨୦୦୯ ନଭେମ୍ବର ୧୧ ପ୍ରଥମାଷ୍ଟମୀ ରାତି। ବାଲିଚନ୍ଦ୍ରପୁର ଥାନା ଭୁଲୁକା ଗ୍ରାମରେ ଏକ ସଂଘବଦ୍ଧ ହତ୍ୟାକାଣ୍ଡ ଘଟିଥିଲା। ଗ୍ରାମର ମହାନ୍ତିସାହିର ଗଭା ମହାନ୍ତି ନାମକ ଜଣେ ବିଧବା ମହିଳା ରାତି ୯ଟାରେ ତାଙ୍କ ଘରେ ଜେନାସାହିର କିଛି ଲୋକ ପଶି ପରିବାର ଲୋକଙ୍କୁ ମାଡ ମାରୁଥିବା ମହାନ୍ତି ସାହିରେ ଘରୁକୁ ଘର ବୁଲି ଚିତ୍କାର କରି କହିଥିଲେ। ଗଭାର କଥା ଶୁଣି ଶ୍ରୀକାନ୍ତ ମହାନ୍ତି, ଅରୁଣ ମହାନ୍ତି, ଗୟାଧର ମହାପାତ୍ର, ପବିତ୍‌୍ର ମହାନ୍ତି, ଦିଲିପ ସାହୁ, ଅନିଲ ମହାନ୍ତି ଏକଜୁଟ ହୋଇ ଘଟଣା ସଂପର୍କରେ ଜାଣିବାକୁ ଗଭା ଘର ଅଭିମୁଖେ ଯାଇଥିଲେ। ଏହି ସମୟରେ ବାଟରେ ଥିବା ଭୁଲୁକା ସ୍କୁଲ ନିକଟରେ ଜେନା ସାହିର ୨୪ ଜଣ ବ୍ୟକ୍ତି ମାରଣାସ୍ତ୍ର ଧରି ମହାନ୍ତି ସାହିର ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। ସବା ଆଗରେ ଶ୍ରୀକାନ୍ତ ମହାନ୍ତି ଥିବାରୁ ତାଙ୍କୁ ଜେନା ସାହିର ସରୋଜ ଜେନା ମୁଣ୍ଡକୁ ଚୋଟ ମାରିଥିବା ବେଳେ ଶ୍ରୀକାନ୍ତ ଜେନା ତାଙ୍କ କାନମୂଳକୁ ଅସ୍ତ୍ରରେ ଭୂଷି ଦେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଶ୍ରୀକାନ୍ତ ମହାନ୍ତିଙ୍କୁ ପ୍ରଥମେ ବଡଚଣା ଓ ପରେ କଟକ ଚିକିତ୍ସାଳୟରେ ଭତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟ ହୋଇଥିଲା।

ଘଟଣାରେ ବାଲିଚନ୍ଦ୍ରପୁର ଥାନା ପୁଲିସ କେସ ନଂ ୧୨୯/୨୦୦୯, ଦଫା ୩୦୨, ୧୪୯, ୧୪୮, ଆର୍ମସ୍‌ ଆକ୍ଟ ୨୫ ଓ ୨୭ରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ବୁଧବାର ରାୟ ପ୍ରକାଶ ପାଇଛି। ମାନ୍ୟବର କୋର୍ଟ ୧୧ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ସରୋଜ ଜେନା, ଶ୍ରୀକାନ୍ତ ଜେନା, ବିପିନ ଜେନା, ଗୁଣନିଧି ଜେନା, ନିର୍ମଳ ଜେନା, ଶ୍ରୀଚନ୍ଦନ ଜେନା, ଅମର ଜେନା ଓ ରଂଜନ ଜେନାଙ୍କୁ ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ଆକ୍ରମଣରେ ସଂପୃକ୍ତ ଅନ୍ୟ ୧୬ ଜଣ ହରିଶ୍ଚନ୍ଦ୍ର ଜେନା, ଶ୍ୟାମମଣୀ ଜେନା, ରାଧାନାଥ ଜେନା, ହେମନ୍ତ କୁମାର ଜେନା, ଅମର ଜେନା, ବ୍ରହ୍ମାନନ୍ଦ ଜେନା, ବିବେକାନନ୍ଦ ଜେନା, ରମେଶ ଜେନା, ଶରତ ଜେନା, ରମାକାନ୍ତ ଜେନା, କୃଷ୍ଣ ଜେନା, ମୋହନ ଜେନା, ପୂର୍ଣ୍ଣଚନ୍ଦ୍ର ଜେନା, ସୁୁମନ୍ତ ଜେନା, କଳ୍ପତରୁ ଜେନା ଓ କେଦାର ଜେନାଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ସହିତ ଏକ ହଜାର ଟଙ୍କାର ଜୋରିମାନା ରାୟ ଶୁଣାଇଛନ୍ତି।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସରୋଜକୁ ଆର୍ମସ୍‌ ଆକ୍ଟ ୨୫(ବି)ରେ ସହିତ ୧୦୦୦ ଜରିମାନା ଓ ଆର୍ମସ ଆକ୍ଟ ୨୭ରେ ଅଧିକ ୩ବର୍ଷର କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଆଜୀବନ ସଜା ମଧ୍ୟରେ ଥିବା ଗୁଣନିଧି ଜେନା ଶର୍ଯ୍ୟାଶାୟୀ ଥିବା ବେଳେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ଆଜୀବନ ସଜାର ରାୟ ପ୍ରକାଶ ପରେ କୋର୍ଟ ସମ୍ମୁଖରେ ପରିବାର ଲୋକଙ୍କ ପକ୍ଷରୁ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଏହି ମାମଲାରୁ ପବ୍ଲିକ୍‌ ପ୍ରୋସିକ୍ୟୁଟର(ପିପି) କିଶୋର ଚନ୍ଦ୍ର କର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର